Category: ବାଲେଶ୍ୱର

  • ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ସୋର ଅଞ୍ଚଳରେ ଅନଲାଇନ୍ ଟ୍ରେଡିଂ ନାଁରେ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି ଠକ । ଶେଷରେ ମାମଲାରେ ହସ୍ତକ୍ଷେପ କରିଥିଲା EOW । ଅନଲାଇନ୍ ଟ୍ରେଡିଂ କରି ମାଲେମାଲ ହୁଅ । ଏଭଳି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଠକ । ୪ ବର୍ଷ ହେଲା ଦୁଇ ଯୁବକ ସୋର,ବାଲେଶ୍ୱର,ଭଦ୍ରକ,ବାସୁଦେବପୁର,ଖଇରା ଓ କୁପାରୀ ଅଞ୍ଚଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଫେରାର୍ ଥିଲେ ।

    ଟଙ୍କା ଫେରି ନପାଇ ଜମାକାରୀମାନେ ଟେନସନରେ ଥିଲେ । କିପରି ସେମାନେ ନିଜ ନିଜ ଟଙ୍କା ପାଇବେ ସେ ନେଇ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଶେଷରେ ୨ ଜଣଙ୍କୁ ଧରିଛି EOW ଟିମ୍ । ୨ ଅଭିଯୁକ୍ତ ସୋର ଉତ୍ତରେଶ୍ୱର ଅଞ୍ଚଳର ରିପନ୍ ଜେନା ଓ ଅନୁପମ ପ୍ରଧାନ । ଦୀର୍ଘଦିନ ହେଲା ସେମାନେ ଅଞ୍ଚଳର ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କୋଟିକୋଟି ଟଙ୍କା ଠକି ନେଇଥିଲେ । ଏବେ କିନ୍ତୁ ସେମାନେ EOW ହାତରେ ଧରାପଡ଼ିଛନ୍ତି ।

  • ବାଲେଶ୍ୱର : କୁଟାରି ଗାଁ ଚଣ୍ଡି ମନ୍ଦିରରୁ ସୁନା ଅଳଙ୍କାର ନେଇଗଲେ

    ବାଲେଶ୍ୱର : କୁଟାରି ଗାଁ ଚଣ୍ଡି ମନ୍ଦିରରୁ ସୁନା ଅଳଙ୍କାର ନେଇଗଲେ

    ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କୁଟାରି ଗାଁରେ ଚଣ୍ଡି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମା’ଙ୍କର ସୁନା ଓ ରୂପାର ଦୁଇଟି ମୁକୁଟ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

    ଆଜି ସକାଳେ ପୂଜାରୀ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଚୋରି ହୋଇଥିବା ଦେଖିଥିଲେ । ସିମୁଳିଆ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କିଛିଦିନ ଧରି ଦୃବୃର୍ତ୍ତମାନେ ସିମୁଳିଆର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରୁ ଲଗାତାର ଚୋରି କରୁଛନ୍ତି । ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

  • ମହିଳାଙ୍କ ଗଳିତ ଶବ ଠାବ, ପୋଲିସର ଖୋଳତାଡ଼

    ମହିଳାଙ୍କ ଗଳିତ ଶବ ଠାବ, ପୋଲିସର ଖୋଳତାଡ଼

    ସୋର ଥାନା କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଖରାଖିଆ ପଦାରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ଠାବ ହୋଇଛି । କିଛି ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମରଖି ଅକ୍ଷୟ କୁମାର ଜେନାଙ୍କୁ ଜଣାଇଥିଲେ । ମୃତ ମହିଳାଙ୍କ ବୟସ 30 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି । ମହିଳା ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ । ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    କେହି କେବେ କଳ୍ପନା କରିନଥିଲେ । ସେମିତି କା‌ମ କରି‌‌ ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବଚାଷୀ । ପାହାଡ଼ିଆ ମାଟିରେ କ୍ୟାପ୍‌ସିକମ୍‌ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ । ସେହିପରି ଫଳ ଓ ପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି।

    ବାଲେଶ୍ବର ବାହାନଗା ବ୍ଲକ୍‌ ଅଧୀନ ରମଦା ଗାଁ’ର ସୁରତ କୁମାର ନାୟକ । ୨୦୦୯ରେ ଆଇଟିଆଇ ଶିକ୍ଷା ପରେ ଚାକିରି ପାଇଁ ଚେଷ୍ଟା କରି ଫେଲ୍ ମାରିଲେ । ତେବେ ସେ ଭାଙ୍ଗିପଡ଼ିନଥିଲେ । ସଫଳ ଚାଷୀଙ୍କ ସମ୍ପର୍କରେ ଶୁଣିଥିଲେ । ଶେଷରେ ଚାଷ କରିବା ପାଇଁ ଗାଁ’କୁ ଆସିଲେ। ନିଜ ଗାଁ’ଠାରୁ କିଛି ଦୂର ନୀଳଗିରି ବ୍ଲକ୍‌ ପୋଡ଼ାଶୂଳ ଅଞ୍ଚଳର ୧୯ ଏକର ଜମି ୧୫ ବର୍ଷ ପାଇଁ ଲିଜ୍‌ରେ ନେଇ ସେଠାରେ ଚାଷ କରିବାକୁ ପ୍ରସ୍ତତ ହେଲେ ।

    ନିଜ ଅଞ୍ଚଳରେ ବେଶ୍ ଡିମାଣ୍ଡ ଥିବା କ୍ୟାପ୍‌ସିକମ୍‌ ଚାଷ କରିବାକୁ ନିଷ୍ପତ୍ତି ନେଲେ । ସେ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ପ୍ରଥମେ ୫ ଏକର ଜମିରେ କ୍ୟାପ୍‌ସିକମ୍‌ ଚାଷ କଲେ । ଭଲ ଦି’ ପଇସା ରୋଜଗାର ବି କଲେ ପ୍ରତିଦିନ ୨ରୁ ୩ କ୍ୱିଣ୍ଟାଲ୍‌ କ୍ୟାପ୍‌ସିକମ୍‌ ଅମଳ ହେଲା । ବର୍ଷା ଋତୁରେ ୫ରୁ ୬ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଅମଳ ହୋଇଥାଏ ଯାହା ବାଲେଶ୍ବର,ମୟୂରଭଞ୍ଜ ଓ ଭଦ୍ରକ ବଜାରକୁ ବିକ୍ରି କରାଯାଏ । କ୍ୟାପ୍‌ସିକମ୍‌ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୁରତଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ଛୁଇଁଯାଏ । କ୍ୟାପ୍‌ସିକମ୍‌ ସହ ପିଜୁଳି ଓ ପନିପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି । ସୁରତ ଆତ୍ମନିର୍ଭରଶୀଳ ହେବା ସହ ୪୦ରୁ ୫୦ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।

    ଏବେ ସୁରତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତା‌ଙ୍କ ପରିଶ୍ରମ ଦେଖି ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି । ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ନିରାଶ ହେଉଥିଲେ ଏବେ ସେମାନଙ୍କୁ ରୋଜଗାର ଦିଗ ଦେଖାଇଛନ୍ତି ସୁରତ ।

  • ଦାନ୍ତ ଉଠିବାକୁ ଅଶୁଭ ମାନନ୍ତି ହୋ’ ସମ୍ପ୍ରଦାୟ

    ଦାନ୍ତ ଉଠିବାକୁ ଅଶୁଭ ମାନନ୍ତି ହୋ’ ସମ୍ପ୍ରଦାୟ

    ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସକୁ ମୂଳ ପୋଛ କରିପାରୁ ନାହିଁ ମଣିଷ। ଏହି ଅନ୍ଧ ବିଶ୍ୱାସରେ ଏମିତି କିଛି କରାଯାଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ। ହୋ ସମ୍ପ୍ରଦାୟରେ ଆଜି ବି ଦେଖିବାକୁ ମିଳୁଛି। ଏହି ସମ୍ପ୍ରଦାୟରେ ଯେତେବେଳେ ଛୋଟ ପିଲାଙ୍କର ପ୍ରଥମେ ଉପର ମାଢିରେ ଦାନ୍ତ ଉଠିଥାଏ, ଏହାକୁ ଅଶୁଭ ଧରାଯାଇଥାଏ। ତେଣୁ ଏହି ଅଶୁଭତ୍ୱକୁ ଖଣ୍ଡନ ପାଇଁ ଆପଣାଇଥାନ୍ତି ଅଦ୍ଭୂତ କାର୍ଯ୍ୟାନୁଷ୍ଠାନ। ନିଜ ପିଲାଙ୍କୁ ସାହାଡା ଗଛ ବା କୁକୁର ସହ କରିଥାନ୍ତି ବାହାଘର। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। 2 ଜଣ ପିଲାଙ୍କ ବାହାଘର କୁକୁର ସହ କରାଯାଇଛି।

    ସୂଚନା ଅନୁଯା଼ୟୀ, ସୋର ବ୍ଲକ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତର ବନ୍ଧସାହୁ ଗାଁର ଦୁଇ ଶିଶୁଙ୍କର ଆଗେ ଉପର ମାଢିରେ ଦାନ୍ତ ଉଠିଥିଲା। ଏହା ଗାଁକୁ ବିପଦ ବୋଲି ଲୋକଙ୍କ ଭିତରେ ଭାଳେଣି ପଡିଗଲା ଓ ଏହି ଅଶୁଭତ୍ୱକୁ ଖଣ୍ଡନ କରିବାକୁ ଦୁଇଟି କୁକୁର ଯୋଗାଡ କରାଗଲା, ଗୋଟିଏ ଥିଲା ମାଈ କୁକୁର ଓ ଅନ୍ୟଟି ଅଣ୍ଡିରା। ପୁଅକୁ ମାଈ କୁକୁର ସହ ଓ ଝିଅଟିକୁ ଅଣ୍ଡିରା କୁକୁର ସହ ବାହା କରାଯାଇଥିଲା।  ବାହାଘର ପାଇଁ ସକାଳୁ ସକାଳୁ ଉଭୟ ପରିବାରରେ 7ଟି ପରିବାରରୁ ଆସି ପହଞ୍ଚିଥିଲା ହଳଦୀ,ସୋରିଷ ତେଲ, ବାଡୁଅ ପାଣି।

    ଏହା ପରେ ଦୁଇ ପିଲାଙ୍କୁ ନେଇ ଗାଁର ଚାରି ଛକ ନିକଟକୁ ବାହାରିଥିଲା ଶୋଭାଯାତ୍ରା। ସେଠାରେ ପୂଜା ପାଠ କରାଯାଇ ବାଡୁଅ ପାଣି ଗାଧୁଆ ହୋଇଥିଲା। ଯେମିତି ବାହାଘର ହୁଏ ସେମିତି ମାଈ କୁକୁର ଓ ଝିଅ ମଥାରେ ସିନ୍ଦୁର ଦିଆଯାଇଥିଲା। ବାହାଘର ସରିବା ପରେ ସମସ୍ତେ ଫେରିଥିଲେ ଘରକୁ ଓ ଭୋଜି ଖାଇ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ।     

  • ଲାଉ ସହ ସେଲ୍ଫି !

    ଲାଉ ସହ ସେଲ୍ଫି !

    ନୀଳଗିରି ବ୍ଲକ୍‌ ନରସିଂହପୁର ଗାଁର ବିନାୟକ ଦାଶ । ତାଙ୍କ ବାଡ଼ିରେ ଏକ ଲାଉ ଗଛ ଦେଖିବାକୁ ମିଳିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗଛର ଗୋଟିଏ ଡାଳରେ ୫୦ଟି ଲାଉ ଫଳିଛି । ତେବେ ଗୋଟିଏ ଡାଳରେ ଏକାଥରକେ ଏତେ ଫଳ ଫଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମନ ମୋହିଲା ଭଳି ଫଳିଥିବା ଲାଉ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମୁଛି । ଅନେକ ଲୋକ ଲାଉ ସହ ସେଲ୍‌ଫି ମଧ୍ୟ ନେଉଛନ୍ତି ।

  • ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ନଗର ଉପସଭାପତି ଲୋକନାଥ ରାଉତ ମଙ୍ଗଳବାର ସକାଳୁ ସୋର ଥାନା ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି। ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଥାନା ନିକଟରେ 2 ଜଣ ଅଜ୍ଞାତ ଯୁବକ ଆସି ତାଙ୍କୁ ପଛପଟରୁ ଭୁଜାଲିରେ ଆକ୍ରମଣ କରିଥିଲେ।

    ଆକ୍ରମଣ ପରେ ଲୋକନାଥ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁଇ ଯୁବକ ସେଠାରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଲୋକନାଥଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା।

     ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ଲୋକନାଥ ପୂର୍ବରୁ ବିଜେଡିରେ ଥିଲେ, ପରବର୍ତ୍ତି ସମୟରେ  ବିଜେପିରେ ଯୋଗଦେଇଥିଲେ। ତେଣୁ ଏହା ରାଜନୈତିକ ଶତ୍ରୁତାରୁ ସଂଗଠିତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

  • କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    MEDICAL STUDENT DIED

    ବାଲେଶ୍ୱର ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂ ତଳୁ ଜଣେ ଡାକ୍ତରୀ ଛାତ୍ର (Medical Student)ଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ହିତେଷ୍ଣୁ ଦାସ । ସେ ତୃତୀୟ ବର୍ଷର ଏମବିବିଏସ ଛାତ୍ର । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଶିଳ୍ପାଞ୍ଚଳ ଥାନା ପୋଲିସ ଶବ ବ୍ୟବଚ୍ଛେଦ (post-mortem)ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

    ଫକୀରମୋହନ ମେଡିକାଲ କଲେଜ ଛାତ୍ରାବାସର ୩ ନମ୍ବର ରୁମରେ ରହୁଥିଲେ ହିତେଷ୍ଣୁ । ଗତକାଲି ରାତିରେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା ବେଳେ କ୍ୟାମ୍ପସର ୩ ଜଣ ଛାତ୍ର ବାଲେଶ୍ୱର ଷ୍ଟେସନ ଆସୁଥିବା ବେଳେ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ (academic building)ତଳେ ହିତେଷ୍ଣୁଙ୍କ ମୃତଦେହ ପଡ଼ିଥିଲା । ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ (real secret) କ’ଣ ସେ ନେଇ କାରଣ ଏଯାଏ ସ୍ପଷ୍ଟ ହୋଇନି ।

    ହତ୍ୟା ନା ଆତ୍ମହତ୍ୟା, ନା ଅସାବଧାନତା ମୃତ୍ୟୁର କାରଣ ସେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ (speeded up) କରିଛି । ମୃତ ଛାତ୍ର ହିତେଷ୍ଣୁଙ୍କ ଘର ବାଲେଶ୍ୱର ସଦର ଥାନା ଅଧିନ ଭୀମପୁରା ଗାଁରେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୁଖ୍ୟ କିରାଣି ଭାବେ ଚାକିରି କରିଥିଲେ । କିଛିମାସ ପୂର୍ବେ ସେ ଅବସର ନେଇଛନ୍ତି ।