ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

କେହି କେବେ କଳ୍ପନା କରିନଥିଲେ । ସେମିତି କା‌ମ କରି‌‌ ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବଚାଷୀ । ପାହାଡ଼ିଆ ମାଟିରେ କ୍ୟାପ୍‌ସିକମ୍‌ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ । ସେହିପରି ଫଳ ଓ ପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି।

ବାଲେଶ୍ବର ବାହାନଗା ବ୍ଲକ୍‌ ଅଧୀନ ରମଦା ଗାଁ’ର ସୁରତ କୁମାର ନାୟକ । ୨୦୦୯ରେ ଆଇଟିଆଇ ଶିକ୍ଷା ପରେ ଚାକିରି ପାଇଁ ଚେଷ୍ଟା କରି ଫେଲ୍ ମାରିଲେ । ତେବେ ସେ ଭାଙ୍ଗିପଡ଼ିନଥିଲେ । ସଫଳ ଚାଷୀଙ୍କ ସମ୍ପର୍କରେ ଶୁଣିଥିଲେ । ଶେଷରେ ଚାଷ କରିବା ପାଇଁ ଗାଁ’କୁ ଆସିଲେ। ନିଜ ଗାଁ’ଠାରୁ କିଛି ଦୂର ନୀଳଗିରି ବ୍ଲକ୍‌ ପୋଡ଼ାଶୂଳ ଅଞ୍ଚଳର ୧୯ ଏକର ଜମି ୧୫ ବର୍ଷ ପାଇଁ ଲିଜ୍‌ରେ ନେଇ ସେଠାରେ ଚାଷ କରିବାକୁ ପ୍ରସ୍ତତ ହେଲେ ।

ନିଜ ଅଞ୍ଚଳରେ ବେଶ୍ ଡିମାଣ୍ଡ ଥିବା କ୍ୟାପ୍‌ସିକମ୍‌ ଚାଷ କରିବାକୁ ନିଷ୍ପତ୍ତି ନେଲେ । ସେ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ପ୍ରଥମେ ୫ ଏକର ଜମିରେ କ୍ୟାପ୍‌ସିକମ୍‌ ଚାଷ କଲେ । ଭଲ ଦି’ ପଇସା ରୋଜଗାର ବି କଲେ ପ୍ରତିଦିନ ୨ରୁ ୩ କ୍ୱିଣ୍ଟାଲ୍‌ କ୍ୟାପ୍‌ସିକମ୍‌ ଅମଳ ହେଲା । ବର୍ଷା ଋତୁରେ ୫ରୁ ୬ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଅମଳ ହୋଇଥାଏ ଯାହା ବାଲେଶ୍ବର,ମୟୂରଭଞ୍ଜ ଓ ଭଦ୍ରକ ବଜାରକୁ ବିକ୍ରି କରାଯାଏ । କ୍ୟାପ୍‌ସିକମ୍‌ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୁରତଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ଛୁଇଁଯାଏ । କ୍ୟାପ୍‌ସିକମ୍‌ ସହ ପିଜୁଳି ଓ ପନିପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି । ସୁରତ ଆତ୍ମନିର୍ଭରଶୀଳ ହେବା ସହ ୪୦ରୁ ୫୦ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।

ଏବେ ସୁରତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତା‌ଙ୍କ ପରିଶ୍ରମ ଦେଖି ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି । ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ନିରାଶ ହେଉଥିଲେ ଏବେ ସେମାନଙ୍କୁ ରୋଜଗାର ଦିଗ ଦେଖାଇଛନ୍ତି ସୁରତ ।

Leave a Reply

Your email address will not be published. Required fields are marked *