ବିଷାକ୍ତ ମଦ ପିଇ 8 ମୃତ

ପୁଣି ବିହାରରେ ମଦ ବିଭୀଷିକା।  ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି 8 ଜଣ ଓ 25 ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ବିହାରର ମୋତିହାରି ଜିଲ୍ଲାରେ ପୁଣି ମଦ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଲକ୍ଷ୍ମୀପୁର, ପାହାରପୁର ଓ ହରିସିଦ୍ଧି ବ୍ଲକରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ 5ରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । 

ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିକଟରେ ଜାରି କରିଥିବା ରିପୋର୍ଟରେ କୁହାଯାଇଥିଲା କି, ସାରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ 40 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିବା ବେଳେ ସରକାର ମଦ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରିଥିବା ପାଲଟା ଅଭିଯୋଗ ହେଉଛି।

ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ କି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ରିପୋର୍ଟ ପ୍ରକାଶ ପାଇଛି। ବିଜେପି ଜାଣିଶୁଣି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିବା କହିଥିଲେ। ସାରନ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମଧ୍ୟ  ବିଧାନସଭା ଭିତରେ ବିଜେପି ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲା। ଏଥିରେ ଉତକ୍ଷିପ୍ତ ନୀତିଶ  କହିଥିଲେ ଯେ ମଦ ପିଇଲେ ମରିବ। ମଦ ବ୍ୟାନ ହୋଇ ନଥିବା ରାଜ୍ୟରେ ମଧ୍ୟ ଲୋକେ ବିଷାକ୍ତ ମଦ ପିଇ ମରୁଛନ୍ତି।

ସୂଚନାଯୋଗ୍ୟ, 2016ରୁ ବିହାରରେ ମଦ ପିଇବା ଓ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି, ହେଲେ ରାଜ୍ୟରେ ଚୋରାରେ ବ୍ୟାପକ ମଦ ବିକ୍ରି କରାଯାଇଛି ଓ ବିଷାକ୍ତ ମଦ ପିଇ ମରୁଛନ୍ତି ବହୁ ଲୋକ।

Leave a Reply

Your email address will not be published. Required fields are marked *