ଭାରତୀୟ ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ। ଜନ୍ମ ପୂର୍ବରୁ ମା’ ଗର୍ଭରେ ଶିଶୁର ମେରୁଦଣ୍ଡ ଅସ୍ତ୍ରୋପଚାର। ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍। ଗର୍ଭରେ ବଢ଼ୁଥିବା ୨୫ ସପ୍ତାହର ଏକ ଶିଶୁର ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରି ବଡ଼ ସଫଳତା ହାସଲ କରିଛନ୍ତି ଡାକ୍ତରମାନେ। ଭାରତରେ ପ୍ରଥମ ଥର ପାଇଁ ଏଭଳି ଓପନ୍ ଫିଟାଲ୍ ସର୍ଜରୀ କରାଯାଇଥିବା କୁହାଯାଉଛି। ଏହି ଅସ୍ତ୍ରୋପଚାରରେ ୩୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ।
ସୂଚନା ଅନୁଯାୟୀ, ନଭେମ୍ବର ୧୨ ତାରିଖରେ ଦିଲ୍ଲୀ AIIMSର ନ୍ୟୁରୋସାଇନ୍ସ ସେଣ୍ଟରରେ ପ୍ରାୟ ୬ ଘଣ୍ଟା ଧରି ଏହି ଜଟିଳ ଅସ୍ତ୍ରୋପଚାର ଚାଲିଥିଲା। ଗର୍ଭସ୍ଥ ଶିଶୁଟି ‘ମାଇଲୋମେନିଙ୍ଗୋସିଲ୍’ ନାମକ ଏକ ଗମ୍ଭୀର ଜନ୍ମଗତ ରୋଗରେ ପୀଡ଼ିତ ଥିଲା। ଏହି ରୋଗରେ ଶିଶୁର ମେରୁଦଣ୍ଡ ଓ ଏହାକୁ ଆବୃତ କରି ରଖୁଥିବା ଝିଲ୍ଲୀର କିଛି ଅଂଶ ବାହାରକୁ ବାହାରି ଆସିଥାଏ। ଫଳରେ ସ୍ନାୟୁ କ୍ଷତିଗ୍ରସ୍ତ ହେବା ସହ ଜନ୍ମ ପରେ ଗୋଡ଼ ପକ୍ଷାଘାତ, ଚାଲିବାରେ ଅସୁବିଧା ଏବଂ ମସ୍ତିଷ୍କରେ ପାଣି ଜମିବା ଭଳି ସମସ୍ୟା ଦେଖାଦେଇପାରେ।
ସାଧାରଣତଃ ଏହି ରୋଗର ଅସ୍ତ୍ରୋପଚାର ଶିଶୁ ଜନ୍ମ ହେବା ପରେ କରାଯାଇଥାଏ। କିନ୍ତୁ ସେତେବେଳକୁ ସ୍ନାୟୁଗୁଡ଼ିକ କ୍ଷତିଗ୍ରସ୍ତ ହୋଇସାରିଥିବାର ଆଶଙ୍କା ରହିଥାଏ। ତେଣୁ ଜନ୍ମ ପୂର୍ବରୁ ଅସ୍ତ୍ରୋପଚାର କରି ଶିଶୁର ଭବିଷ୍ୟତ ଜଟିଳତା କମାଇବାକୁ ଉଦ୍ୟମ କରିଛନ୍ତି ଡାକ୍ତରମାନେ।
ସବୁଠାରୁ ବଡ଼ କଥା ହେଉଛି, ଏହି ଅସ୍ତ୍ରୋପଚାର ପାଇଁ ୫ ସପ୍ତାହରୁ ଅଧିକ ସମୟ ଧରି ପ୍ରସ୍ତୁତି ଚାଲିଥିଲା। ଅଲ୍ଟ୍ରାସାଉଣ୍ଡ, ଅତ୍ୟାଧୁନିକ ମାଇକ୍ରୋସ୍କୋପ୍ ଓ ବିଶେଷ ଚିକିତ୍ସା ଉପକରଣ ସହାୟତାରେ ଅସ୍ତ୍ରୋପଚାର କରାଯାଇଥିଲା। ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର ଦୀପକ ଗୁପ୍ତା ଏହାର ନେତୃତ୍ୱ ନେଇଥିବା ବେଳେ ପ୍ରଫେସର ନୀନା ମଲହୋତ୍ରା ଓ ପ୍ରଫେସର କେ. ଅପର୍ଣ୍ଣା ଶର୍ମାଙ୍କ ସମେତ ବହୁ ବିଶେଷଜ୍ଞ ସାମିଲ ହୋଇଥିଲେ।
ଏହି ଅସ୍ତ୍ରୋପଚାର ଦ୍ୱାରା ଶିଶୁର ଜନ୍ମ ପରବର୍ତ୍ତୀ ଶାରୀରିକ ଜଟିଳତା ହ୍ରାସ ପାଇବାର ଆଶା ରହିଛି। ତେବେ ଏହା ରୋଗର ସମ୍ପୂର୍ଣ୍ଣ ଉପଚାର ନୁହେଁ। ମା’ ଓ ଗର୍ଭସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରମାନେ ନିରନ୍ତର ନଜର ରଖିବେ। ଏହି ଅସ୍ତ୍ରୋପଚାର ଭାରତରେ ଗର୍ଭସ୍ଥ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି।