US Aviation Crisis : ଆମେରିକାରେ ହଠାତ୍ ବନ୍ଦ ହେଲା ସମସ୍ତ ବିମାନ ଉଡ଼ାଣ ! ବିମାନବନ୍ଦରରେ ଫସିଲେ ଲକ୍ଷାଧିକ ଯାତ୍ରୀ

ଆମେରିକାରେ ହଠାତ୍ ଠପ୍ ହୋଇଗଲା ବିମାନ ସେବା। ଆକାଶରେ ଉଡ଼ିପାରିଲାନି ବିମାନ। ବିଭିନ୍ନ ବିମାନବନ୍ଦରରେ ଫସି ରହିଲେ ହଜାର ହଜାର ଯାତ୍ରୀ। ଆମେରିକାର ବିମାନ ଚଳାଚଳ ଇତିହାସରେ ପୁଣି ଦେଖାଦେଇଛି ଏକ ବଡ଼ ସଙ୍କଟ। ଶୁକ୍ରବାର ଅର୍ଥାତ୍ ନଭେମ୍ବର ୧୩ ତାରିଖରେ ଦେଶବ୍ୟାପୀ ବିମାନ ଉଡ଼ାଣ ଉପରେ ସାମୟିକ କଟକଣା ଲଗାଇଥିଲା ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ବା FAA। ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଯୋଗୁଁ ଏଭଳି ଜରୁରୀ ପଦକ୍ଷେପ ନିଆଯାଇଥିଲା।

ସୂଚନା ଅନୁଯାୟୀ, ଆମେରିକାର ୨୨ଟି ଆଞ୍ଚଳିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟରରେ ଯୋଗାଯୋଗ ଓ ରାଡାର ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଫଳରେ ବିମାନ ଚଳାଚଳ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି FAA ସମଗ୍ର ଦେଶରେ ନୂଆ ବିମାନ ଉଡ଼ାଣକୁ ବନ୍ଦ କରିଦେଇଥିଲା। ତେବେ ପୂର୍ବରୁ ଆକାଶରେ ଥିବା ବିମାନଗୁଡ଼ିକୁ ସୁରକ୍ଷିତ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା।

ଏହି ସଙ୍କଟ ଯୋଗୁଁ ଅତିକମ୍‌ରେ ୮୨୭ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ସେଥିମଧ୍ୟରୁ ୬୭୦ଟି ବିମାନକୁ ନିଜ ପ୍ରାରମ୍ଭିକ ବିମାନବନ୍ଦରକୁ ଫେରାଇ ନିଆଯାଇଥିବା ବେଳେ ୧୫୭ଟି ବିମାନକୁ ଅନ୍ୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ପ୍ରାୟ ୧୧ ହଜାର ନିର୍ଦ୍ଧାରିତ ବିମାନ ଉଡ଼ାଣ ଓ ୧୫ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଯାତ୍ରା ଯୋଜନା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିଲା।

ଅନ୍ୟପଟେ ଏହା କୌଣସି ସାଇବର ଆକ୍ରମଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ମାର୍କୱେନ୍ ମୁଲିନ୍ କହିଛନ୍ତି, ଏହା ଟେଲିକମ୍ୟୁନିକେସନ୍ ବ୍ୟବସ୍ଥାରେ ଦେଖାଦେଇଥିବା ବୈଷୟିକ ସମସ୍ୟା। ପ୍ରାୟ ଚାରି ଘଣ୍ଟାରୁ ଅଧିକ ସମୟ ପରେ ରାତି ୮ଟା ୧୫ ମିନିଟ୍‌ରେ କଟକଣା ହଟାଯାଇ ବିମାନ ଚଳାଚଳ ପୁଣି ଆରମ୍ଭ କରାଯାଇଥିଲା।

୨୦୦୧ ମସିହାର ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ୨୦୨୩ ଜାନୁଆରୀରେ ମଧ୍ୟ ଆମେରିକାରେ ଏଭଳି ଦେଶବ୍ୟାପୀ ଉଡ଼ାଣ କଟକଣା ଲାଗିଥିଲା। ଏବେ ୨୦୨୬ର ଏହି ଘଟଣା ଆମେରିକାର ବିମାନ ସୁରକ୍ଷା ଓ ପୁରୁଣା ଯୋଗାଯୋଗ ଭିତ୍ତିଭୂମିକୁ ନେଇ ପୁଣି ବଡ଼ ପ୍ରଶ୍ନ ଉଠାଇଛି।