Sambalpur Road Accident : ଯାତ୍ରା ଦେଖି ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, ଅଧାବାଟରେ ଜଗିଥିଲା ମୃତ୍ୟୁ! ଟ୍ରାକ୍ଟର ଧକ୍କାରେ ଦମ୍ପତି ମୃତ, ଅନାଥ ହୋଇଗଲେ ଦୁଇ ପୁଅ

ସମ୍ବଲପୁର: ହସଖୁସିର ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା। ଯାତ୍ରା ଦେଖି ହସି ହସି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଅଧା ବାଟରେ ଜମଦୂତ ସାଜି ଜଗି ରହିଥିଲା ମୃତ୍ୟୁ। ଦ୍ରୁତଗାମୀ ଟ୍ରାକ୍ଟରରେ ଲାଗିଥିବା ହାର୍ଭେଷ୍ଟର ମେସିନ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଆଉ ଗୋଟିଏ ମୁହୂର୍ତ୍ତରେ ଉଜୁଡ଼ିଗଲା ସୁନାର ସଂସାର। ବାପା-ମାଆଙ୍କୁ ହରାଇ ସବୁଦିନ ପାଇଁ ଅନାଥ ହୋଇଗଲେ ଦୁଇ ପୁଅ। ସମ୍ବଲପୁର ଶାସନ ବାଇପାସ୍‌ରେ ଘଟିଛି ଏଭଳି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା।

ମୃତକ ହେଉଛନ୍ତି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ାର ରମେଶ ବଗର୍ତ୍ତୀ ଓ ତାଙ୍କ ପତ୍ନୀ ସବିତା ବଗର୍ତ୍ତୀ। ଶୁକ୍ରବାର ସନ୍ଧ୍ୟାରେ ଉଭୟ ସ୍କୁଟି ଯୋଗେ ଶ୍ୱଶୁର ଘର ଗାଁ ରାଣୀଖିଣ୍ଡାକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ଯାତ୍ରା ଦେଖିବା ପରେ ନିଜ ଘର ସାକ୍ଷୀପଡ଼ାକୁ ଫେରୁଥିଲେ। ହେଲେ ଶାସନ ବାଇପାସ୍ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କ ସ୍କୁଟିକୁ ଓଭରଟେକ୍ କରିବାକୁ ଉଦ୍ୟମ କରିଥିଲା।

ଏହି ସମୟରେ ଟ୍ରାକ୍ଟର ସହ ସଂଯୁକ୍ତ ବିରାଟ ହାର୍ଭେଷ୍ଟର ମେସିନ୍ ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଟ୍ରାକ୍ଟର ଓ ହାର୍ଭେଷ୍ଟର ମେସିନ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ସବୁଠାରୁ ଦୁଃଖଦ କଥା ହେଉଛି, ରମେଶ ଓ ସବିତାଙ୍କ ମୃତ୍ୟୁ ପରେ ସେମାନଙ୍କ ୨୨ ବର୍ଷୀୟ ବଡ଼ ପୁଅ ଖୁସବନ୍ତ ଓ ୧୫ ବର୍ଷୀୟ ସାନ ପୁଅ ଦିଲେଶ୍ୱର ବାପା-ମାଆଙ୍କୁ ହରାଇଛନ୍ତି। ଦୁଇ ପୁଅଙ୍କ କାନ୍ଦବୋବାଳିରେ ଫାଟିପଡ଼ୁଛି ଘର। ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

ଏବେ ପ୍ରଶ୍ନ ଉଠୁଛି, ରାସ୍ତାରେ ବିପଜ୍ଜନକ ଭାବେ କୃଷି ଯନ୍ତ୍ରପାତି ପରିବହନ ଉପରେ କେବେ ଲାଗିବ ଅଙ୍କୁଶ? ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ?