ଦାନ୍ତ ଉଠିବାକୁ ଅଶୁଭ ମାନନ୍ତି ହୋ’ ସମ୍ପ୍ରଦାୟ

ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସକୁ ମୂଳ ପୋଛ କରିପାରୁ ନାହିଁ ମଣିଷ। ଏହି ଅନ୍ଧ ବିଶ୍ୱାସରେ ଏମିତି କିଛି କରାଯାଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ। ହୋ ସମ୍ପ୍ରଦାୟରେ ଆଜି ବି ଦେଖିବାକୁ ମିଳୁଛି। ଏହି ସମ୍ପ୍ରଦାୟରେ ଯେତେବେଳେ ଛୋଟ ପିଲାଙ୍କର ପ୍ରଥମେ ଉପର ମାଢିରେ ଦାନ୍ତ ଉଠିଥାଏ, ଏହାକୁ ଅଶୁଭ ଧରାଯାଇଥାଏ। ତେଣୁ ଏହି ଅଶୁଭତ୍ୱକୁ ଖଣ୍ଡନ ପାଇଁ ଆପଣାଇଥାନ୍ତି ଅଦ୍ଭୂତ କାର୍ଯ୍ୟାନୁଷ୍ଠାନ। ନିଜ ପିଲାଙ୍କୁ ସାହାଡା ଗଛ ବା କୁକୁର ସହ କରିଥାନ୍ତି ବାହାଘର। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। 2 ଜଣ ପିଲାଙ୍କ ବାହାଘର କୁକୁର ସହ କରାଯାଇଛି।

ସୂଚନା ଅନୁଯା଼ୟୀ, ସୋର ବ୍ଲକ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତର ବନ୍ଧସାହୁ ଗାଁର ଦୁଇ ଶିଶୁଙ୍କର ଆଗେ ଉପର ମାଢିରେ ଦାନ୍ତ ଉଠିଥିଲା। ଏହା ଗାଁକୁ ବିପଦ ବୋଲି ଲୋକଙ୍କ ଭିତରେ ଭାଳେଣି ପଡିଗଲା ଓ ଏହି ଅଶୁଭତ୍ୱକୁ ଖଣ୍ଡନ କରିବାକୁ ଦୁଇଟି କୁକୁର ଯୋଗାଡ କରାଗଲା, ଗୋଟିଏ ଥିଲା ମାଈ କୁକୁର ଓ ଅନ୍ୟଟି ଅଣ୍ଡିରା। ପୁଅକୁ ମାଈ କୁକୁର ସହ ଓ ଝିଅଟିକୁ ଅଣ୍ଡିରା କୁକୁର ସହ ବାହା କରାଯାଇଥିଲା।  ବାହାଘର ପାଇଁ ସକାଳୁ ସକାଳୁ ଉଭୟ ପରିବାରରେ 7ଟି ପରିବାରରୁ ଆସି ପହଞ୍ଚିଥିଲା ହଳଦୀ,ସୋରିଷ ତେଲ, ବାଡୁଅ ପାଣି।

ଏହା ପରେ ଦୁଇ ପିଲାଙ୍କୁ ନେଇ ଗାଁର ଚାରି ଛକ ନିକଟକୁ ବାହାରିଥିଲା ଶୋଭାଯାତ୍ରା। ସେଠାରେ ପୂଜା ପାଠ କରାଯାଇ ବାଡୁଅ ପାଣି ଗାଧୁଆ ହୋଇଥିଲା। ଯେମିତି ବାହାଘର ହୁଏ ସେମିତି ମାଈ କୁକୁର ଓ ଝିଅ ମଥାରେ ସିନ୍ଦୁର ଦିଆଯାଇଥିଲା। ବାହାଘର ସରିବା ପରେ ସମସ୍ତେ ଫେରିଥିଲେ ଘରକୁ ଓ ଭୋଜି ଖାଇ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ।     

Leave a Reply

Your email address will not be published. Required fields are marked *