Tirupati Balaji Temple : ତିରୁପତି ମନ୍ଦିରକୁ ୨୦୬ କୋଟି ଟଙ୍କାର ସୁନା ଦାନ, ୧୨୧ କିଲୋ ସୁନା ଦେଲେ ଜୈନ ଦମ୍ପତି

ତିରୁପତି: ଭଗବାନଙ୍କ ପ୍ରତି ଅଗାଢ଼ ଭକ୍ତି ଓ ସମର୍ପଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ। ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଦାନ କରିଛନ୍ତି ଚେନ୍ନାଇର ଏକ ଜୈନ ଦମ୍ପତି। ଦାନ କରାଯାଇଥିବା ଏହି ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୦୬ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

ଗୁରୁବାର ଚେନ୍ନାଇର ବର୍ଦ୍ଧମାନ ଜୈନ ଓ ତାଙ୍କ ପତ୍ନୀ ରାଧିକା ଜୈନ ତିରୁମାଳା ତିରୁପତି ଦେବସ୍ଥାନମ୍‌ (ଟିଟିଡି)କୁ ଏହି ମୂଲ୍ୟବାନ ସୁନା ଅଳଙ୍କାର ହସ୍ତାନ୍ତର କରିଛନ୍ତି। ଏତେ ବିପୁଳ ପରିମାଣର ସୁନା ଦାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଏହି ଦାନ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଟିଟିଡିର ବରିଷ୍ଠ ଅଧିକାରୀ ଏବଂ ମନ୍ଦିରର ପୂଜକମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଜୈନ ଦମ୍ପତିଙ୍କ ଏହି ମହତ୍‌ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନା ଅନୁଯାୟୀ, ଦାନ କରାଯାଇଥିବା ୧୨୧ କିଲୋଗ୍ରାମ ସୁନା ମଧ୍ୟରୁ ୧୦୬ କିଲୋଗ୍ରାମ ଓଜନର ୪୬ଟି ଅଳଙ୍କାର ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୧୫ କିଲୋଗ୍ରାମ ସୁନାରେ ମାଆ ପଦ୍ମାବତୀଙ୍କ ପାଇଁ ସ୍ୱର୍ଣ୍ଣ ଶାଢ଼ି ପ୍ରସ୍ତୁତ କରାଯିବ। ମୁକୁଟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅଳଙ୍କାର ଏହି ଦାନରେ ସାମିଲ ରହିଛି। ଅଳଙ୍କାରଗୁଡ଼ିକରେ ହୀରା ଓ ମୂଲ୍ୟବାନ ରତ୍ନପଥର ମଧ୍ୟ ଖଚିତ ହୋଇଛି।

ବର୍ଦ୍ଧମାନ ଜୈନ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ସେ ଆକ୍ସେସ୍ ହେଲ୍‌ଥକେୟାର କମ୍ପାନୀର ପ୍ରତିଷ୍ଠାତା ଓ ଉପାଧ୍ୟକ୍ଷ। ଏହି ବିଶାଳ ଦାନ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଜୈନ ଦମ୍ପତିଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ମାନିତ କରାଯିବା ସହ ପ୍ରସାଦ ପ୍ରଦାନ କରାଯାଇଥିଲା।

ତିରୁପତି ବାଲାଜୀ ମନ୍ଦିର ବିଶ୍ୱର ଅନ୍ୟତମ ଧନୀ ହିନ୍ଦୁ ମନ୍ଦିର ଭାବେ ପରିଚିତ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଭକ୍ତମାନେ ନିଜ ସାମର୍ଥ୍ୟ ଅନୁଯାୟୀ ସୁନା, ରୁପା ଓ ଅର୍ଥ ଦାନ କରିଥାନ୍ତି। ତେବେ ଜୈନ ଦମ୍ପତିଙ୍କ ଏହି ବିଶାଳ ଦାନ ମନ୍ଦିର ଇତିହାସର ଅନ୍ୟତମ ବୃହତ୍‌ ବ୍ୟକ୍ତିଗତ ଦାନ ଭାବେ ପରିଗଣିତ ହେଉଛି।