ବାଲେଶ୍ୱର: ଖାକି ବର୍ଦ୍ଦି ଭିତରେ ଜଣେ ମାଆର ଅସହାୟତା। ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ମିଳିଲାନି ଗୋଟିଏ ଦିନ ଛୁଟି। ଶେଷରେ ଥାନା ସାମ୍ନାରେ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ମହିଳା କନଷ୍ଟେବଳ। ବାଲେଶ୍ୱର ଟ୍ରାଫିକ ଥାନା ସାମ୍ନାରୁ ଆସିଥିବା ଏଭଳି ଏକ ଭାବବିହ୍ୱଳ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ପୋଲିସ କର୍ମଚାରୀଙ୍କ କାର୍ଯ୍ୟଚାପ ଓ ଛୁଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ଅଭିଯୋଗ ଅନୁଯାୟୀ, ମହିଳା କନଷ୍ଟେବଳ ଜଣକ ନିଜ ଅସୁସ୍ଥ ସନ୍ତାନର ଚିକିତ୍ସା ପାଇଁ ଛୁଟି ଆବେଦନ କରିଥିଲେ। ଏଥିପାଇଁ ସେ ଛୁଆର ମେଡିକାଲ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ। ହେଲେ ତାଙ୍କୁ ଗୋଟିଏ ଦିନ ପାଇଁ ମଧ୍ୟ ଛୁଟି ମଞ୍ଜୁର କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ବାରମ୍ବାର ନିବେଦନ କରିବା ସତ୍ତ୍ୱେ ତାଙ୍କ ଗୁହାରି କେହି ଶୁଣୁନଥିବା ସେ କହିଛନ୍ତି।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସମ୍ମୁଖରେ କାନ୍ଦି କାନ୍ଦି ନିଜର ଅସୁବିଧା ଜଣାଇଥିଲେ ମହିଳା କନଷ୍ଟେବଳ। କାନ୍ଦୁଥିବା କନଷ୍ଟେବଳଙ୍କୁ ମହିଳା କମିଶନ ଅଧ୍ୟକ୍ଷା ବୁଝାସୁଝା କରିବା ସହ ତାଙ୍କ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

‘ମୁଁ ବି ଜଣେ ମାଆ। ମୋ ଛୁଆର ମେଡିକାଲ ରିପୋର୍ଟ ଦେଇଛି। ତଥାପି ମୋତେ ଗୋଟିଏ ଦିନ ଛୁଟି ମିଳୁନାହିଁ। ଏଠାରେ କ’ଣ ମାନବିକତା ନାହିଁ?’ ବୋଲି ଭାବବିହ୍ୱଳ ହୋଇ ପ୍ରଶ୍ନ କରିଥିଲେ ମହିଳା କନଷ୍ଟେବଳ। ବରିଷ୍ଠ ଅଧିକାରୀ ଓ କନଷ୍ଟେବଳଙ୍କ ମଧ୍ୟରେ ବ୍ୟବହାରଗତ ପାର୍ଥକ୍ୟକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଥିଲେ।
ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ମଧ୍ୟ ପରିବାର ରହିଛି। କର୍ତ୍ତବ୍ୟ ପାଳନ ସହ ପାରିବାରିକ ଦାୟିତ୍ୱ ନିର୍ବାହ କରିବା ମଧ୍ୟ ସେମାନଙ୍କ ପାଇଁ ଜରୁରୀ। ଏଭଳି ସ୍ଥିତିରେ ଅସୁସ୍ଥ ସନ୍ତାନର ଚିକିତ୍ସା ପାଇଁ ଛୁଟି ନ ମିଳିବା ଅଭିଯୋଗ ପୋଲିସ ବିଭାଗର କର୍ମଚାରୀ କଲ୍ୟାଣ ବ୍ୟବସ୍ଥାକୁ ନେଇ ବିତର୍କ ସୃଷ୍ଟି କରିଛି।
ମହିଳା କନଷ୍ଟେବଳଙ୍କ କାନ୍ଦିବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଛୁଟି ମଞ୍ଜୁର ନ ହେବାର ପ୍ରକୃତ କାରଣ କ’ଣ, ତାହା ସମ୍ପର୍କରେ ପୋଲିସ ବିଭାଗର ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିବା ବାକି ରହିଛି। ମହିଳା କନଷ୍ଟେବଳଙ୍କ ଅଭିଯୋଗ ଉପରେ କର୍ତ୍ତୃପକ୍ଷ କି ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।