Digha Jagannath Temple : ଦୀଘା ଜଗନ୍ନାଥ ମନ୍ଦିର ନାମରୁ ହଟିଲା ‘ଧାମ’, ବଦଳିଲା ମନ୍ଦିରର ନାମ

କୋଲକାତା: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ମନ୍ଦିରର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଯାଇଛି। ଓଡ଼ିଶା ସରକାର, ପୁରୀ ଶ୍ରୀମନ୍ଦିର ସେବାୟତ ଏବଂ ଜଗନ୍ନାଥପ୍ରେମୀଙ୍କ ଆପତ୍ତି ପରେ ମନ୍ଦିରର ନାମ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷ ଜୁନ୍ ମାସରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ନୂଆ ନାମକରଣ ଅନୁଯାୟୀ, ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ମନ୍ଦିର’ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିର ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯାଇଛି। ଜୁନ୍ ୯ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏନେଇ ଘୋଷଣା କରିଥିଲେ। ଜୁନ୍ ୧୦ ତାରିଖରେ ମନ୍ଦିର ପରିସରରେ ନୂଆ ନାମଫଳକ ଲଗାଯାଇଥିଲା।

୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ କରିଥିଲେ। ପୁରୀ ଶ୍ରୀମନ୍ଦିରର ସ୍ଥାପତ୍ୟ ଶୈଳୀ ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ତେବେ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମରେ ନାମିତ କରାଯିବା ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ପୁରୀ ହେଉଛି ଦେଶର ପବିତ୍ର ଚାରି ଧାମ ମଧ୍ୟରୁ ଅନ୍ୟତମ। ଏହାର ସ୍ୱତନ୍ତ୍ର ଧାର୍ମିକ ଓ ଐତିହାସିକ ମହତ୍ତ୍ୱ ରହିଛି। ତେଣୁ ଦୀଘା ମନ୍ଦିରକୁ ଧାମ ଭାବେ ନାମିତ କରିବାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରଦାନ କରିଥିଲେ। ଏହାପରେ ନାମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଥିଲେ ପଶ୍ଚିମବଙ୍ଗ ସରକାର।

ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାରେ ସୀମିତ ନୁହେଁ, ସମଗ୍ର ବିଶ୍ୱରେ ଏହାର ପ୍ରଚାର ଓ ପ୍ରସାର ହୋଇଛି। ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ପରିଚୟ ରହିଛି। ଦୀଘା ମନ୍ଦିରର ନାମ ପରିବର୍ତ୍ତନ ଦ୍ୱାରା ଦୀର୍ଘଦିନର ଧାର୍ମିକ ଓ ସାଂସ୍କୃତିକ ବିବାଦର ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହି ନିଷ୍ପତ୍ତି ପୁରୀ ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ପରିଚୟ ଓ ଧାର୍ମିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଦିଗରେ ସହାୟକ ହେବ।