ପାଟନା: ବିହାରର ମୋକାମା ବିଧାୟକ ଅନନ୍ତ ସିଂଙ୍କ ସାନ ଝିଅ ଶିବାଙ୍ଗୀ ସିଂଙ୍କ ବିବାହ ଧୁମ୍ଧାମରେ ସମ୍ପନ୍ନ ହୋଇଛି। ନଭେମ୍ବର ୨୫ ତାରିଖରେ ଅନନ୍ତ ସିଂଙ୍କ ପୈତୃକ ଗ୍ରାମ ନଦୱାଁରେ ଋଷିକେଶ କୁମାରଙ୍କ ସହ ଶିବାଙ୍ଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ସମାରୋହର ଏକାଧିକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଶିବାଙ୍ଗୀଙ୍କ ପାରମ୍ପରିକ ବଧୂ ବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ବରମାଳା ସମୟରେ ଶିବାଙ୍ଗୀ ମେରୁନ୍ ରଙ୍ଗର ଏକ ଆକର୍ଷଣୀୟ ଲେହେଙ୍ଗା ପିନ୍ଧିଥିଲେ। ଲେହେଙ୍ଗାରେ ସୁନେଲି ରଙ୍ଗର ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିଲା। ଏଥିସହ ପାରମ୍ପରିକ ସୁନେଲି ଅଳଙ୍କାର, ହାର, ଝୁମକା, ନଥ ଓ ଚୁଡ଼ି ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥିଲା। ମୁଣ୍ଡରେ ଓଢ଼ଣି ସହ ରାଜକୀୟ ବଧୂ ବେଶରେ ନଜର ଆସିଥିଲେ ଶିବାଙ୍ଗୀ।
ସେହିପରି ବିବାହ ମଣ୍ଡପରେ ଶିବାଙ୍ଗୀଙ୍କୁ ନାଲି ରଙ୍ଗର ବନାରସୀ ଶାଢ଼ିରେ ଦେଖିବାକୁ ମିଳିଥିଲା। ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା। ଋଷିକେଶ ଯେତେବେଳେ ଶିବାଙ୍ଗୀଙ୍କ ମଥାରେ ସିନ୍ଦୂର ଦେଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ବିବାହ ମଣ୍ଡପରେ ନବବଧୂଙ୍କୁ ସ୍ନେହଭରା ନଜରରେ ଚାହିଁ ରହିଥିବା ଋଷିକେଶଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି।
ଅନ୍ୟପଟେ ବର ଋଷିକେଶ ହାଲୁକା ଗୋଲାପି ରଙ୍ଗର ଶେରୱାନି, ଧଳା ପାଇଜାମା ଓ ଗୋଲାପି ପଗଡ଼ିରେ ନଜର ଆସିଥିଲେ। ପାଟନାର ବିହଟାରୁ ପ୍ରାୟ ୨୦୦ ଗାଡ଼ିର କାରକେଡ୍ ସହ ବରଯାତ୍ରୀ ବାହାରିଥିଲେ। ବର ଡିଫେଣ୍ଡର ଗାଡ଼ିରେ ପହଞ୍ଚିଥିବା ବେଳେ ଶିବାଙ୍ଗୀ ଲ୍ୟାଣ୍ଡ କ୍ରୁଜର ଗାଡ଼ିରେ ବିବାହ ସ୍ଥଳକୁ ଆସିଥିଲେ।
ଝିଅର ବିବାହ ପାଇଁ ଅନନ୍ତ ସିଂଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ନିଜେ ଅନନ୍ତ ସିଂ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଆଜତକ୍ର ରିପୋର୍ଟ ଅନୁଯାୟୀ, ଏହି ଭବ୍ୟ ବିବାହ ସମାରୋହରେ ୪ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। ଅତିଥିଙ୍କ ଆତିଥେୟତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଗତ କିଛି ଦିନ ଧରି ଶିବାଙ୍ଗୀଙ୍କ ବିବାହକୁ ନେଇ ବିହାରରେ ଚର୍ଚ୍ଚା ଲାଗି ରହିଥିଲା। ଏବେ ବିବାହ ସମ୍ପନ୍ନ ହେବା ପରେ ନବଦମ୍ପତିଙ୍କ ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ଉଭୟଙ୍କୁ ବିବାହ ପାଇଁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଶିବାଙ୍ଗୀଙ୍କ ପାରମ୍ପରିକ ବଧୂ ବେଶ ଓ ଭବ୍ୟ ବିବାହ ଆୟୋଜନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।