Ratna Bhandar : ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତିମଣତି, ଖୋଲିବ ତିନି କାଠ ସିନ୍ଦୁକ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତି ଓ ମୂଲ୍ୟାୟନ କରାଯିବ। ଏଥିପାଇଁ ଖୋଲାଯିବ ଅବଶିଷ୍ଟ ତିନୋଟି କାଠ ସିନ୍ଦୁକ। ସିନ୍ଦୁକରେ କେଉଁ ସବୁ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି, ତାହା ଜାଣିବା ପାଇଁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନାଭାବ ଯୋଗୁଁ ଖଟଶେଜ ଘରେ ଗଣତିମଣତି କରାଯିବାର ସମ୍ଭାବନା ରହିଛି।

୨୦୨୬ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଏକାଧିକ ପର୍ଯ୍ୟାୟରେ ଚାଲିଛି। ଏପର୍ଯ୍ୟନ୍ତ ୧୭ ଦିନରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍ ଧରି ଗଣତିମଣତି କରାଯାଇଛି। ଶେଷଥର ପାଇଁ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି ହୋଇଥିଲା। ପବିତ୍ର କାର୍ତ୍ତିକ ମାସ ପାଇଁ ଏହି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।

ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାରର ବିସ୍ତୃତ ଗଣତିମଣତି ହୋଇଥିଲା। ବର୍ତ୍ତମାନ ଗଣତି ହେଉଥିବା ଅଳଙ୍କାରଗୁଡ଼ିକୁ ସେହି ପୁରୁଣା ତାଲିକା ସହ ମେଳ କରାଯାଉଛି। ମୂଲ୍ୟବାନ ରତ୍ନପଥରର ଚିହ୍ନଟ ଓ ମୂଲ୍ୟାୟନ ପାଇଁ ଅଭିଜ୍ଞ ରତ୍ନ ବିଶେଷଜ୍ଞଙ୍କ ସହାୟତା ନିଆଯିବ।

ଅନ୍ୟପଟେ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତିର ସବିଶେଷ ତଥ୍ୟ ସଂରକ୍ଷଣ ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି। ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଥ୍ରିଡି ମ୍ୟାପିଂ ମାଧ୍ୟମରେ ଅଳଙ୍କାରଗୁଡ଼ିକର ଡିଜିଟାଲ ଦସ୍ତାବିଜ ପ୍ରସ୍ତୁତ କରାଯାଉଛି। ଏଥିସହ ସମସ୍ତ ରତ୍ନ ଅଳଙ୍କାରର ଏକ ବିସ୍ତୃତ ଡିଜିଟାଲ କାଟାଲଗ୍ ପ୍ରସ୍ତୁତ କରାଯାଉଛି।

ଗଣତିମଣତି ପାଇଁ ଦୁଇ ଦିନ ଧରି ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍‌ଓପି ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହେବ।

ତେବେ ଆସନ୍ତାକାଲି ସୁଦ୍ଧା ଅବଶିଷ୍ଟ ସମସ୍ତ ରତ୍ନ ଅଳଙ୍କାରର ଗଣତିମଣତି ଶେଷ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଗଣତି ଶେଷ ନହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପୁଣି ଦିନ ଧାର୍ଯ୍ୟ କରାଯାଇପାରେ। ଏବେ ସମସ୍ତଙ୍କ ନଜର ଭିତର ରତ୍ନଭଣ୍ଡାରର ଅବଶିଷ୍ଟ ତିନୋଟି ସିନ୍ଦୁକ ଉପରେ ରହିଛି।