ଇଜିପ୍ଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିଆଁ ଆଖପାଖରେ ଥିବା ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯିବାରୁ ଦୁର୍ଘଟଣା ଅଧିକ ଭୟଙ୍କର ରୂପ ନେଇଛି।
ନଭେମ୍ବର ୨୫ ତାରିଖ ବୁଧବାର ଇଜିପ୍ଟର ରାଜଧାନୀ କାଇରୋ ନିକଟସ୍ଥ ଗିଜାର ୱାରାକ୍ ଅଞ୍ଚଳର ରିଙ୍ଗ୍ ରୋଡ୍ରେ ଏହି ଦୁର୍ଘଟଣା ଘଟିଛି। ପେଟ୍ରୋଲିୟମ ପଦାର୍ଥ ପରିବହନ କରୁଥିବା ଏକ ଟ୍ୟାଙ୍କର ହଠାତ୍ ଓଲଟି ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ଆଁ ଭିତରକୁ ଚାଲିଆସିଥିଲା ନିକଟରେ ଥିବା ଏକାଧିକ ଗାଡ଼ି। ଚାରିଆଡ଼େ ଘନ କଳା ଧୂଆଁ ଛାଇଯାଇଥିଲା।
ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ ଆତଙ୍କ ଖେଳିଯାଇଥିଲା। ନିଆଁ ଘେରରେ ଫସି ରହିଥିବା ଲୋକଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁସାରେ, ମୃତକଙ୍କ ସଂଖ୍ୟା ୩୧ ଏବଂ ଆହତଙ୍କ ସଂଖ୍ୟା ୨୧ ରହିଛି। ପ୍ରଥମେ ୩୦ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ଇଜିପ୍ଟର ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ ଅବ୍ଦେଲ ଗଫାର ସୂଚନା ଦେଇଛନ୍ତି।
ତେବେ କେଉଁ ପରିସ୍ଥିତିରେ ତେଲ ଟ୍ୟାଙ୍କରଟି ଓଲଟି ପଡ଼ିଲା, ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ପରେ ସମ୍ପୃକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।
ଏହି ଘଟଣା ପୁଣିଥରେ ଇଜିପ୍ଟର ସଡ଼କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି। ବ୍ୟସ୍ତବହୁଳ ରାସ୍ତାରେ ଦାହ୍ୟ ପଦାର୍ଥ ପରିବହନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି।