26/11 Mumbai Attack :୧୮ ବର୍ଷ ବିତିଗଲା, ହେଲେ ଲିଭିନି ଆତଙ୍କର ଦାଗ; ୨୬/୧୧କୁ ଭୁଲିନି ଭାରତ !

ମୁମ୍ବାଇ: ବିତିଗଲା ୧୮ ବର୍ଷ। ହେଲେ ଆଜି ବି ଶୁଖିନି ସେହି ଦିନର କ୍ଷତ। କ୍ୟାଲେଣ୍ଡରରେ ତାରିଖ ବଦଳିଛି, ସମୟ ବଦଳିଛି, କିନ୍ତୁ ଭାରତବାସୀଙ୍କ ମନରୁ ଲିଭିନି ଆତଙ୍କର ସେହି କଳା ଦାଗ। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଆଜି ସେହି ହୃଦୟବିଦାରକ ଘଟଣାକୁ ୧୮ ବର୍ଷ ପୂରିଛି।

ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଏହି ଆକ୍ରମଣ ଘଟାଇଥିଲା। ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ, ବିଦେଶୀ ପର୍ଯ୍ୟଟକ ଏବଂ ସୁରକ୍ଷାକର୍ମୀ ରହିଥିଲେ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଖେଳିଯାଇଥିଲା ଭୟ ଓ ଆତଙ୍କର ବାତାବରଣ।

ଦେଶବାସୀଙ୍କ ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥିଲେ ବୀର ଯବାନ ଓ ପୋଲିସ କର୍ମଚାରୀ। ହେମନ୍ତ କରକରେ, ଅଶୋକ କାମଟେ, ବିଜୟ ସାଲାସକର, ତୁକାରାମ ଓମ୍ବଲେ ଓ ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ଭଳି ବୀରଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ଦେଶ। ସେମାନଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଆଜି ଆକ୍ରମଣର ୧୮ତମ ବାର୍ଷିକୀରେ ମୃତକ ଓ ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କର ମଧ୍ୟ ସହିଦଙ୍କ ସ୍ମୃତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

୨୬/୧୧ ଆକ୍ରମଣ ପରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏ ଗଠନ କରାଯିବା ସହ ସାମୁଦ୍ରିକ ସୁରକ୍ଷା, ଗୁଇନ୍ଦା ବ୍ୟବସ୍ଥା ଏବଂ ଆତଙ୍କବାଦ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯାଇଛି।

ସମୟର ସ୍ରୋତରେ ମୁମ୍ବାଇ ପୁଣି ନିଜର ସ୍ୱାଭାବିକ ଜୀବନକୁ ଫେରିଛି। ହେଲେ ସେଦିନ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରର ଯନ୍ତ୍ରଣା ଆଜି ବି ଦୂର ହୋଇନାହିଁ। ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଲଢ଼ିବା ଏବଂ ଶାନ୍ତି ଓ ମାନବିକତାକୁ ସୁରକ୍ଷିତ ରଖିବାର ବାର୍ତ୍ତା ଦେଉଛି ଏହି ଦିନ। ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ୨୬/୧୧ର ସେହି କଳା ଅଧ୍ୟାୟକୁ ଭୁଲିନି ଭାରତ।