ଚେନ୍ନାଇ: ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର। ଏଣିକି ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି। ନବଜାତ ଶିଶୁର ଯତ୍ନ ନେବା ସହ ପତ୍ନୀଙ୍କୁ ସହଯୋଗ କରିବା ପାଇଁ ପୁରୁଷ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ।
ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟିର ବ୍ୟବସ୍ଥା ରହିଥିବା ବେଳେ ଏବେ ପୁରୁଷ କର୍ମଚାରୀଙ୍କ ପାଇଁ ପିତୃତ୍ୱ ଛୁଟିର ବ୍ୟବସ୍ଥା ପରିବାରରେ ଉଭୟ ବାପା ଓ ମାଆଙ୍କ ଦାୟିତ୍ୱକୁ ଗୁରୁତ୍ୱ ଦେଉଛି।
ଗୁରୁବାର ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆଦେଶ ମଧ୍ୟ ଜାରି କରାଯାଇଛି। ରାଜ୍ୟର ବିବାହିତ ପୁରୁଷ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଏହି ସୁବିଧା ପାଇପାରିବେ। ତାମିଲନାଡୁରେ ପ୍ରଥମ ଥର ପାଇଁ ଏଭଳି ଛୁଟି ବ୍ୟବସ୍ଥା ଲାଗୁ କରାଯାଇଛି।
ନୂଆ ନିୟମ ଅନୁଯାୟୀ, ସନ୍ତାନ ଜନ୍ମର ସମ୍ଭାବ୍ୟ ତାରିଖର ୧୫ ଦିନ ପୂର୍ବରୁ କିମ୍ବା ସନ୍ତାନ ଜନ୍ମର ଛଅ ମାସ ମଧ୍ୟରେ କର୍ମଚାରୀମାନେ ଏହି ଛୁଟି ନେଇପାରିବେ। ଫଳରେ ପ୍ରସବ ସମୟରେ ପତ୍ନୀଙ୍କ ପାଖରେ ରହିବା ସହ ନବଜାତ ଶିଶୁର ଲାଳନପାଳନରେ ବାପାଙ୍କ ଭାଗୀଦାରି ବଢ଼ିପାରିବ।
ସାଧାରଣତଃ ସନ୍ତାନ ଜନ୍ମ ପରେ ମାଆଙ୍କୁ ଅଧିକ ଯତ୍ନ ଓ ବିଶ୍ରାମର ଆବଶ୍ୟକତା ରହିଥାଏ। ଏଭଳି ସମୟରେ ସ୍ୱାମୀଙ୍କ ସହଯୋଗ ପରିବାର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପିତୃତ୍ୱ ଛୁଟି ଦ୍ୱାରା କର୍ମଜୀବନ ଓ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ କର୍ମଚାରୀଙ୍କୁ ସହାୟତା ମିଳିପାରିବ।
ତେବେ କେବଳ ତାମିଲନାଡୁ ନୁହେଁ, ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ପିତୃତ୍ୱ ଛୁଟିର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆସାମ ସରକାର ମଧ୍ୟ ଯୋଗ୍ୟ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ୧୪ ଦିନର ପିତୃତ୍ୱ ଛୁଟି ବ୍ୟବସ୍ଥା କରିଥିଲେ।