Category: ରାଜ୍ୟ ଖବର

  • ଧାନ ଜଗିଥିଲେ ଚାଷୀ, କଚାଡ଼ି ଦଳିଦେଲା ଦନ୍ତା

    ଧାନ ଜଗିଥିଲେ ଚାଷୀ, କଚାଡ଼ି ଦଳିଦେଲା ଦନ୍ତା

    ହାତୀ ଓ ମଣିଷ ଲଢ଼େଇରେ କାହାର କେତେବେଳେ ଜୀବନ ଯାଉଛି । ଶିକାରୀମାନେ ହାତୀ ଶିକାର କରିବା ପାଇଁ ସୁଯୋଗ ଖୋଜୁଥିବା ବେଳେ ହାତୀ ଖୁଲମଖୁଲା ଧନସମ୍ପତ୍ତି ନଷ୍ଟ କରିବା ସହ ଲୋକଙ୍କ ଜୀବନ ନେଉଛି । ଢେଙ୍କାନାଳ ସଦର ରେଞ୍ଜ କୁରୁମ ଟାଙ୍ଗର ଗାଁରେ ଆଜି ଭୋରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

    ହାତୀ ଆକ୍ରମଣରେ ଆଉ ଏକ ଜୀବନ ଯାଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା । ଗାଁ ନିକଟ ଜମିରେ ଧାନ ଚାଷ କରିଥିଲେ । ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ । ଚାଷ ଜମି ନିକଟ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇଥିଲେ । ପୋଖରୀକୁ ପାଣି ପିଇବାକୁ ଆସିଥିବା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଶ୍ରୀକାନ୍ତଙ୍କୁ କଚାଡ଼ି ଦଳି ଦେଇଥିଲା ହାତୀ । ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଜାରି ରଖିଛନ୍ତି ଅଧିକାରୀ । ଗତକାଲି ଅନୁଗୁଳ ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

  • ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ପ୍ରବାହ ଗ୍ରୀଷ୍ମପ୍ରବାହ ଭିତରେ ଏବେ ପୁଣି ଲଘୁଚାପ ଚିନ୍ତା । ସପ୍ତାହକ ପରେ ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ହେଲେ, ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

    ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେପଟେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନଥିବା କହିଛନ୍ତି IMD DG । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏଭଳି ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାର ନାହିଁ କିନ୍ତୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ହେବ ବୋଲି ଡିଜି କହିଛନ୍ତି ।

  • ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

    ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

    କେନ୍ଦୁଝର,ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା ବଢୁଛି । ଲୁହା କାମ କରୁଥିବା ଲୋକମାନଙ୍କ ଜମିପଟ୍ଟାରେ ଭୁଲ୍ ତଥ୍ୟ ରହିଛି । ଜାତି ସ୍ତମ୍ଭରେ ଭୁଲ୍ ତଥ୍ୟ ଲେଖାଥିବାରୁ ଆଦିବାସୀମାନେ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି । ମାଧୁରୀ ପାଟିଲ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ସରଜମିନ ତଦନ୍ତ କରି ପ୍ରମାଣପତ୍ର ପ୍ରଦାନ କରିପାରିବେ ରାଜ୍ୟ ସରକାର । ହେଲେ ରାଜ୍ୟରେ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

    ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ-୩୪(ଇ)ଅନୁସାରେ ସେଟେଲମେଣ୍ଟ ଜମିପଟ୍ଟାରେ ଥିବା ଭୁଲ୍ ତଥ୍ୟର ସଂଶୋଧନ କରିପାରିବେ ତହସିଲଦାର । ଜମିପଟ୍ଟାରେ ଥିବା ଭୁଲ୍ ଜାତି ସମ୍ପର୍କିତ ତଥ୍ୟର ତଦନ୍ତ କରି ତୁରନ୍ତ ଏହାର ସଂଶୋଧନ କରିବା ଆବଶ୍ୟକ ରହିଛି । ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଏହାକୁ କାର୍ଯ୍ୟକାରୀ କଲେ ଐତିହାସିକ ଭୁଲ୍ ସବୁଦିନ ପାଇଁ ସଂଶୋଧିତ ହୋଇପାରିବ । ଅନେକ ଲୋକ ଏଥିରେ ଉପକୃତ ହୋଇପାରିବେ ବୋଲି ଆଦିବାସୀ ଲୋକେ ଦାବି ଉଠାଇଛନ୍ତି ।

    ପୂର୍ବରୁ ଜାତୀୟ ମାନବାଧିକାର ଆୟୋଗ ଏକ ପ୍ରସ୍ତାବ ରଖିଥିଲେ । ତଦନ୍ତ ସହ ଭୁଲ୍ ଜାତି ସେଟେଲମେଣ୍ଟ ପାଇଁ ୨୦୧୪ରୁ ସଂଶୋଧନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ରାଜ୍ୟରେ ଏଯାଏ କାର୍ଯ୍ୟକାରୀ ହୋଇପାରିନି । ଏହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଗରିବ ଆଦିବାସୀ । ଏହାର ପ୍ରତିବାଦରେ କେନ୍ଦୁଝରରେ ଆଦିବାସୀମାନେ ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • ବିବାହ ଏକ ପବିତ୍ର ବନ୍ଧନ, ସମଲିଙ୍ଗୀ ବିବାହକୁ ନା

    ବିବାହ ଏକ ପବିତ୍ର ବନ୍ଧନ, ସମଲିଙ୍ଗୀ ବିବାହକୁ ନା

    ବିବାହ ଏକ ପବିତ୍ର ବନ୍ଧନ । ନାରୀ ଓ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର ଗଢ଼ିଥାନ୍ତି । ପରସ୍ପରକୁ ଭଲ ପାଇ ପରିବାର ଗଠନ କରିଥାନ୍ତି । ହେଲେ ଆଜିକାଲି ବିବାହ ବିବାଦ ଘେରକୁ ଆସିଛି । ଏପରିକି ମାମଲା କୋର୍ଟରେ ପହଞ୍ଚିଛି ।

    ସମଲିଙ୍ଗୀ ବିବାହ ପୌରାଣିକ, ସତ୍ୟ, ଦ୍ୱାପରେ ନଥିଲା । ଏପରିକି କଳିଯୁଗ ଆରମ୍ଭରେ ବି ସମଲିଙ୍ଗୀ ବିବାହର ପ୍ରଶ୍ନ ହିଁ ନଥିଲା । ତେବେ ଆଜିକାଲି ଇଣ୍ଟରନେଟ୍ ଯୁଗ ସବୁ କିଛି ବଦଳାଇ ଦେଇଛି । ଫେସବୁକ୍, ହ୍ୱାଟସଆପ୍ ମାଧ୍ୟମରେ ପରସ୍ପର ଚାଟିଂ, ପ୍ରେମାଳପ ଦ୍ୱାରା ମନରେ ବ୍ୟାପକ ପରିବର୍ତ୍ତନ ଆସିଛି । ପୁରୁଷ ହୁଅନ୍ତି ଅବା ମହିଳା ଧୀରେ ଧୀରେ ଏହା ଲୋକଙ୍କୁ ନିକଟତର କରୁଛି । ଯାହାଦ୍ୱାରା ସେମାନେ ସବୁଦିନ ପାଇଁ ଏକାଠି ରହିବାକୁ ମନ ବଳାଉଛନ୍ତି । ସେଥିପାଇଁ ତ ସମଲିଙ୍ଗୀ ବିବାହ ପ୍ରସଙ୍ଗ ଉଠିଛି ।

    ସମାଜ ବିରୋଧୀ କାର୍ଯ୍ୟ ହୋଇଥିବାରୁ ଅଧିକାଂଶ ଲୋକ ସମଲିଙ୍ଗୀ ବିବାହକୁ ନା କରୁଛନ୍ତି । ଏହାକୁ ସ୍ୱୀକୃତି କେମିତି ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲାରେ ସଚେତନ ନାଗରିକ ମହିଳାମାନେ ଏହାର ଜୋରଦାର ବିରୋଧ କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

  • କେନ୍ଦ୍ରାପଡ଼ାକୁ ବଡ଼ ପ୍ୟାକେଜ୍, ଉନ୍ନୟନମୂଳକ କାମ ଅନୁଧ୍ୟାନ କଲେ 5T ସେକ୍ରେଟାରୀ

    କେନ୍ଦ୍ରାପଡ଼ାକୁ ବଡ଼ ପ୍ୟାକେଜ୍, ଉନ୍ନୟନମୂଳକ କାମ ଅନୁଧ୍ୟାନ କଲେ 5T ସେକ୍ରେଟାରୀ

    5T ସଚିବ ଭି.କେ.ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତର ଆଜି ଥିଲା ଦ୍ୱିତୀୟ ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି । ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ସେ ପ୍ରଶାସନକୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

    5T ସଚିବ ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର,କେରେଡ଼ାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଭଳି ସେ ପରିଦର୍ଶନ କରିଥିଲେ । ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ DPR ପ୍ରସ୍ତୁତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସେ ସାତଭାୟା ପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଛନ୍ତି ।

    ପଞ୍ଚୁବରାହୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସେ ଆଲୋଚନା କରିଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜ ଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ କହିଛନ୍ତି । ରାଜକନିକା ଓ ରାଜନଗର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆହୁରି ସୁବିଧା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି 5T ସଚିବ । ଏଥିସହ ଆଳିରେ ଥିବା ଏକ ଫୁଟବଲ ଷ୍ଟାଡିଅମ ପରିଦର୍ଶନ କରି ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ପାଣ୍ଡିଆନ୍ ।

  • ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍, ପ୍ରଶାସନର ଅପାରଗତାକୁ BJPର ନିନ୍ଦା

    ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍, ପ୍ରଶାସନର ଅପାରଗତାକୁ BJPର ନିନ୍ଦା

    ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ଅପାରଗତା ଯୋଗୁଁ ଏଭଳି ଘଟଣା ଘଟିଗଲା ବୋଲି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    ସମ୍ବଲପୁର ହିଂସାରେ ଲୋକଙ୍କ ମଧ୍ୟରେ ମାରପିଟ୍ ହେଲା । ବହୁତ ସମ୍ପତ୍ତି ନଷ୍ଟ ହେଲା । ହନୁମାନ ଜୟନ୍ତୀ ଦିନ ଆଦିବାସୀ ପିଲାର ହତ୍ୟା କରାଗଲା । ଏଯାଏ ଏତଲା ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଛି ପୋଲିସ । ବିଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରୁଛି ଯେ ପୋଲିସ ପ୍ରଶାସନ ଏକତରଫା ଭାବେ କାମ କରୁଛି । ହିଂସା ଘଟଣା ପରେ ଏସଟି କମିଶନର ସଦସ୍ୟ ଆସିଥିଲେ । ଏଥିରେ କିନ୍ତୁ ଅସହଯୋଗ କଲା ସ୍ଥାନୀୟ ପ୍ରଶାସନ ଯାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପିର ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଏ ସମ୍ପର୍କରେ ଅବଗତ କରାଗଲା । ସେଥିପାଇଁ ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ, ଫ୍ୟାକ୍ଟ ଫାଇଣ୍ଡିଂ ପାଇଁ ପଠାଇଛନ୍ତି । ସେପଟେ ଜଣଙ୍କ ଉପରେ ଅତ୍ୟାଚାର କରିବା, ଡରାଇବା,ଧମକାଇବା ଏହା ଶାନ୍ତିର ପ୍ରତୀକ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

  • ରାଜସ୍ୱ ଆଦାୟ କରିବାକୁ ସରକାରର ନୂଆ ନୀତି

    ରାଜସ୍ୱ ଆଦାୟ କରିବାକୁ ସରକାରର ନୂଆ ନୀତି

    ରାଜ୍ୟ ସରକାର ରାଜସ୍ୱ ଆଦାୟ କରିବାକୁ ଆପଣାଇଛନ୍ତି ଅଭିନବ ଉପାୟ। ରାଜରାସ୍ତାରେ ଗାଡି ଚଳାଇବାରେ ସାମାନ୍ୟତମ ତ୍ରୁଟି ହେଲେ ଗଣିବାକୁ ହେବ ଜରିମାନା। ଏନେଇ ପରିବହନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦିଆଯିବ ଟାର୍ଗେଟ।  ଇ ଚାଲାଣ ଓ ଜରିମାନା ଆଦାୟ କରିବାକୁ ବିଭାଗ ଅଧିକାରୀଙ୍କୁ କରାଯାଇଛି ତାଗିଦ। 

    ଏଥିସହ ସବୁ ଆରଟିଓ, ଏମଭିଆଇ ଓ ଡିଏସଟିଙ୍କୁ  ମୋଟର ଭେହିକିଲ ନିୟମରେ ଉଲ୍ଲଙ୍ଘନ ପାଇଁ ଜରିମାନା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 20220-23 ଆର୍ଥିକ ବର୍ଷର ଗାଡି ଚଳାଚଳ ଓ ଅନ୍ୟ ତଥ୍ୟ ଆଧାରରେ ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି। ଇଚାଲାଣ ଓ ଜରିମାନାରୁ 141କୋଟି 90 ଲକ୍ଷ ଆଦାୟ କରିବାକୁ ଅଧିକାରୀଙ୍କୁ କଣ୍ଟ ଦିଆ ଯାଇଛି। ସେହିପରି 2023-24 ବର୍ଷ ପାଇଁ ଲକ୍ଷ୍ୟ ରହିଛି।

    ତେବେ ବିଗତ ଦିନରେ ଆରଟିଓକୁ ଏମିତି କୌଣସି ଟାର୍ଗେଟ କରାଯାଇ ନ ଥିଲା ବେଳେ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଏହି ଉପାୟ ଆପଣା ଯାଇଥିବା କୁହାଯାଉଛି। ବିଗତ ଦିନରେ ଚଢାଉ ଓ ଜରିମାନା କାରଣରୁ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁରେ ହ୍ରାସ ହୋଇଥିବାରୁ ଏପରି ଉପାୟ ଆପଣା ଯାଇଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଜରିମାନା ଆଦାୟକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏହା ସରକାରର ଝିଣ୍ଟିକା ମାରି ବଣି ପୋସିବା ନୀତି ବୋଲି ଅନେକ କହିଛନ୍ତି।

  • ଓଡିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

    ଓଡିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

    ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରାଏଲ ରନରେ ହାୱଡାରୁ ଏହି ଟ୍ରେନ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚିଥିଲା। ସକାଳ ୬.୧୦ରେ ହାୱଡାରୁ ବାହାରି ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧ ଷ୍ଟେସନରେ ଟ୍ରେନ୍ ୨ ମିନିଟ ରହଣି କରିଥିଲା। ପୁରୀରେ ପହଞ୍ଚି ପୁଣି ୧.୫୦ରେ ପୁରୀ ଛାଡିଛି, ଯାହା ସନ୍ଧ୍ୟା ପ୍ରାୟ 8.30ରେ ହାୱଡାରେ ପହଞ୍ଚିବ।

    ବନ୍ଦେ ଭାରତ ଟ୍ରେନ ହାୱଡାରୁ ଚଳାଚଳ କଲେ ବଙ୍ଗାଳୀ ପର୍ଯ୍ୟଟକ ଓ ଭକ୍ତ ଗୋଟିଏ ଦିନରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହଜରେ କରି ପରିବେ। ବିଭିନ୍ନ ଅତ୍ୟାଧୁନିକ ସୁବିଧାରେ ସମୃଦ୍ଧ ଏହି ଟ୍ରେନ ଅନେକ ରାଜ୍ୟରେ ଚଳାଚଳ କରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଓଡିଶା ମାଟିରେ ପରୀକ୍ଷାମୂଳକ ଭାବେ ଗଡିଛି। ଟ୍ରେନକୁ ଦେଖିବାକୁ ବିଭିନ୍ନ ଷ୍ଟେସନରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

    ତେବେ ଭୁବନେଶ୍ୱରରୁ ରାଉରକେଲା ଓ କୋରାପୁଟରୁ ବାଲେଶ୍ବର ପର୍ଯ୍ୟନ୍ତ ଏହି ଟ୍ରେନ ଗଡିବାକୁ ଓଡିଶା ପକ୍ଷରୁ ଦାବି ହେଉଛି।

  • ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁସୂଦନ ଦାସ, ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

    ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁସୂଦନ ଦାସ, ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

    ଓଡ଼ିଶାର ଗର୍ବ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର, ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସ । ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ମଧୁସୂଦନ ଦାସଙ୍କ ଆଜି ୧୭୫ତମ ଜୟନ୍ତୀ ।

    ୧୯୪୮ ମସିହା ଏପ୍ରିଲ ୨୮ ତାରିଖରେ ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ ମଧୁସୂଦନ ଦାସ । ସାରା ରାଜ୍ୟରେ ଆଜି ତାଙ୍କର ଜୟନ୍ତୀ ପାଳିତ ହୋଇଛି । ସବୁଠି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ବେଶ୍ ଭୂମିକା ଥିଲା । ଏକାଧାରରେ ସେ ଜଣେ ଓକିଲ, ସାମ୍ବାଦିକ, ରାଜନେତା, ସମାଜ ସଂସ୍କାରକ ଥିଲେ । ରାଜ୍ୟବାସୀଙ୍କ ସାମାଜିକ, ରାଜନୈତିକ, ଅର୍ଥନୈତିକ ଉନ୍ନତି ଲାଗି ନିଜ ଜୀବନକୁ ସେ ଉତ୍ସର୍ଗ କରିଥିଲେ ।

    ଓଡ଼ିଆଙ୍କ ହୃଦୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ସେ ବହୁ କବିତା ରଚନା କରିଥିଲେ । ମଧୁବାବୁଙ୍କ ଉଦ୍ୟମରେ ୧୯୦୩ରେ ଉତ୍କଳ ସମ୍ମିଳନୀ’ର ସୃଷ୍ଟି ହୋଇଥିଲା । କଟକର ତାରକସି କାମକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା । ନିଜର ବିଚକ୍ଷଣ ବୁଦ୍ଧି ବଳରେ ସମସ୍ତଙ୍କୁ ଏକାଠି କରି ପୁରୀ ଶ୍ରୀମନ୍ଦିରକୁ ଇଂରେଜ ସରକାରଙ୍କ ଷଡ଼ଯନ୍ତ୍ରରୁ ମୁକ୍ତ କରିପାରିଥିଲେ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଓଡ଼ିଆଙ୍କ ପାଇଁ ଲଢ଼ିଥିଲେ,ସଂଘର୍ଷ କରିଥିଲେ । କେହି ଜଣେ ଓଡ଼ିଆ ଥିଲା ବୋଲି ମନେ ରଖିବେ ବୋଲି ଶେଷ ଜୀବନର ଶେଷ ମୁହୂର୍ତ୍ତରେ ସେ କହିଥିଲେ । ଆଜି ତାଙ୍କର ଜୟନ୍ତୀରେ #Suchanatv24x7 ପରିବାର ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

  • ଆଜି ଦକ୍ଷିଣାଞ୍ଚଳ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ଅଧିକ

    ଆଜି ଦକ୍ଷିଣାଞ୍ଚଳ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ଅଧିକ

    କାଳବୈଶାଖୀ ପାଇଁ ପାଣିପାଗ ବିଭାଗର ସତର୍କତା। ରାଜ୍ୟରେ ଆଗାମୀ ୩ରୁ ୪ ଦିନ ଜାରି ରହିବ କାଳବୈଶାଖୀଜନିତ ବର୍ଷା। ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲାକୁ ଆଜି କାଳବୈଶାଖୀ ସମ୍ଭାବନା ଅଧିକ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ସୂଚନା ଦେଇଛନ୍ତି।

    ଏଥିନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଂଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ଅଛି।

    ସେହିପରି ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଗୋଟିଏ ଦିନ କାଲବୈଶାଖୀର ତାଣ୍ଡବ ସମ୍ଭାବନା ଥିବା ବେଳେ ଆସନ୍ତାକାଲି ପ୍ରଭାବ ସାମାନ୍ୟ କମିବ। ପୁଣି ୩୦ ତାରିଖରୁ ପ୍ରଭାବ ଦେଖିବାକୁ ମିଳିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।