ଆଜି ଦକ୍ଷିଣାଞ୍ଚଳ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ଅଧିକ

କାଳବୈଶାଖୀ ପାଇଁ ପାଣିପାଗ ବିଭାଗର ସତର୍କତା। ରାଜ୍ୟରେ ଆଗାମୀ ୩ରୁ ୪ ଦିନ ଜାରି ରହିବ କାଳବୈଶାଖୀଜନିତ ବର୍ଷା। ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲାକୁ ଆଜି କାଳବୈଶାଖୀ ସମ୍ଭାବନା ଅଧିକ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ସୂଚନା ଦେଇଛନ୍ତି।

ଏଥିନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଂଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ଅଛି।

ସେହିପରି ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଗୋଟିଏ ଦିନ କାଲବୈଶାଖୀର ତାଣ୍ଡବ ସମ୍ଭାବନା ଥିବା ବେଳେ ଆସନ୍ତାକାଲି ପ୍ରଭାବ ସାମାନ୍ୟ କମିବ। ପୁଣି ୩୦ ତାରିଖରୁ ପ୍ରଭାବ ଦେଖିବାକୁ ମିଳିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *