ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

କେନ୍ଦୁଝର,ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା ବଢୁଛି । ଲୁହା କାମ କରୁଥିବା ଲୋକମାନଙ୍କ ଜମିପଟ୍ଟାରେ ଭୁଲ୍ ତଥ୍ୟ ରହିଛି । ଜାତି ସ୍ତମ୍ଭରେ ଭୁଲ୍ ତଥ୍ୟ ଲେଖାଥିବାରୁ ଆଦିବାସୀମାନେ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି । ମାଧୁରୀ ପାଟିଲ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ସରଜମିନ ତଦନ୍ତ କରି ପ୍ରମାଣପତ୍ର ପ୍ରଦାନ କରିପାରିବେ ରାଜ୍ୟ ସରକାର । ହେଲେ ରାଜ୍ୟରେ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ-୩୪(ଇ)ଅନୁସାରେ ସେଟେଲମେଣ୍ଟ ଜମିପଟ୍ଟାରେ ଥିବା ଭୁଲ୍ ତଥ୍ୟର ସଂଶୋଧନ କରିପାରିବେ ତହସିଲଦାର । ଜମିପଟ୍ଟାରେ ଥିବା ଭୁଲ୍ ଜାତି ସମ୍ପର୍କିତ ତଥ୍ୟର ତଦନ୍ତ କରି ତୁରନ୍ତ ଏହାର ସଂଶୋଧନ କରିବା ଆବଶ୍ୟକ ରହିଛି । ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଏହାକୁ କାର୍ଯ୍ୟକାରୀ କଲେ ଐତିହାସିକ ଭୁଲ୍ ସବୁଦିନ ପାଇଁ ସଂଶୋଧିତ ହୋଇପାରିବ । ଅନେକ ଲୋକ ଏଥିରେ ଉପକୃତ ହୋଇପାରିବେ ବୋଲି ଆଦିବାସୀ ଲୋକେ ଦାବି ଉଠାଇଛନ୍ତି ।

ପୂର୍ବରୁ ଜାତୀୟ ମାନବାଧିକାର ଆୟୋଗ ଏକ ପ୍ରସ୍ତାବ ରଖିଥିଲେ । ତଦନ୍ତ ସହ ଭୁଲ୍ ଜାତି ସେଟେଲମେଣ୍ଟ ପାଇଁ ୨୦୧୪ରୁ ସଂଶୋଧନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ରାଜ୍ୟରେ ଏଯାଏ କାର୍ଯ୍ୟକାରୀ ହୋଇପାରିନି । ଏହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଗରିବ ଆଦିବାସୀ । ଏହାର ପ୍ରତିବାଦରେ କେନ୍ଦୁଝରରେ ଆଦିବାସୀମାନେ ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *