Cuttack Violence : ସାହି ବିବାଦରୁ ରକ୍ତାକ୍ତ ସଂଘର୍ଷ, କଟକରେ ଗଲା ଜଣଙ୍କ ଜୀବନ

କଟକ: ପୁଣି ଅଶାନ୍ତ ହୋଇପଡ଼ିଛି ରୌପ୍ୟନଗରୀ କଟକ। ସାହି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ। ପୂର୍ବ ଶତ୍ରୁତାରୁ ଉଗ୍ର ରୂପ ନେଲା ବିବାଦ। କଟକ ପୁରୀଘାଟ ଥାନା ଅଞ୍ଚଳରେ ଘଟିଥିବା ଏହି ଗୋଷ୍ଠୀ ସଂଘର୍ଷରେ ଅମରେନ୍ଦ୍ର ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ପୁରୀଘାଟ ଅଞ୍ଚଳରେ ସାହି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏହି ବିବାଦ ହିଂସାର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଯୋଗୁଁ ଅମରେନ୍ଦ୍ରଙ୍କ ଜୀବନ ଚାଲିଯାଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଅନ୍ୟପଟେ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ମୃତ ଅମରେନ୍ଦ୍ରଙ୍କ ପରିବାର ଲୋକେ। ପୋଲିସ ଉପଯୁକ୍ତ ସମୟରେ ପଦକ୍ଷେପ ନେଇଥିଲେ ହୁଏତ ଏଭଳି ଅଘଟଣକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ସେମାନେ ଏହି ଘଟଣା ପାଇଁ ଦାୟୀ କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ସ୍ପଷ୍ଟ ହୋଇନାହିଁ।

ବାଲିଯାତ୍ରା ସମୟରେ କଟକରେ ଏଭଳି ହିଂସାକାଣ୍ଡ ସହରର ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ସାମାନ୍ୟ ସାହି ବିବାଦ କିଭଳି ଏତେ ବଡ଼ ସଂଘର୍ଷର ରୂପ ନେଲା? ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିବା ସତ୍ତ୍ୱେ କାହିଁକି ହିଂସାକୁ ରୋକାଯାଇପାରିଲା ନାହିଁ? ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଅମରେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି। ଅନ୍ୟପଟେ, ସହରରେ ଗୋଷ୍ଠୀ ସଂଘର୍ଷ ରୋକିବା ପାଇଁ ପୋଲିସର ପାଟ୍ରୋଲିଂ, ଗୁଇନ୍ଦା ବ୍ୟବସ୍ଥା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ତେବେ କେବେ କଟକରେ ଥମିବ ଏଭଳି ଗୋଷ୍ଠୀ ହିଂସା? ଅମରେନ୍ଦ୍ରଙ୍କ ପରିବାରକୁ କେବେ ମିଳିବ ନ୍ୟାୟ? ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।