କାବୁଲ: ତାଲିବାନ ଶାସନ ମଧ୍ୟରେ ପୁଣି ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ। ଦେଶର କୁନାର ପ୍ରଦେଶରେ ଥିବା ଏକ ସ୍କୁଲରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଛାତ୍ର ହତାହତ ହୋଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଜଣ ଆହତ ହୋଇଛନ୍ତି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ସକାଳ ସମୟରେ କୁନାର ପ୍ରଦେଶର ଏକ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ତେବେ ନଭେମ୍ବର ୨୯ ତାରିଖର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ନଭେମ୍ବର ୨୮ ତାରିଖ ଶନିବାର ଅସଦାବାଦର ଶାଗାଇ ମିଡିଲ୍ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି।
ବିସ୍ଫୋରଣର ପ୍ରଭାବରେ ସ୍କୁଲ କୋଠାର କିଛି ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି। ଆହତ ଛାତ୍ରମାନଙ୍କୁ ଅସଦାବାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଓ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଛାନଭିନ୍ ଆରମ୍ଭ କରିଛନ୍ତି।
ଅନ୍ୟପଟେ, ସ୍କୁଲ ନିକଟରେ ଥିବା ଏକ ଖଣି କମ୍ପାନୀର ବିସ୍ଫୋରକ ଗୋଦାମରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅସାବଧାନତା ଓ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଚୂଡ଼ାନ୍ତ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏହି ଦୁଃଖଦ ଘଟଣାକୁ ନେଇ ୟୁନିସେଫ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛି। ଶିକ୍ଷାନୁଷ୍ଠାନ ଓ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସଂସ୍ଥା ଗୁରୁତ୍ୱାରୋପ କରିଛି। ତେବେ ଶିକ୍ଷାନୁଷ୍ଠାନ ନିକଟରେ କିଭଳି ବିସ୍ଫୋରକ ଗୋଦାମ ରହିଥିଲା? ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା? ଏତେ ସଂଖ୍ୟକ ନିରୀହ ଶିଶୁଙ୍କ ହତାହତ ପାଇଁ କିଏ ଦାୟୀ? ଏହି ମର୍ମନ୍ତୁଦ ଘଟଣା ଏବେ ଆଫଗାନିସ୍ତାନରେ ଶିକ୍ଷାନୁଷ୍ଠାନଗୁଡ଼ିକର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି।