Category: ମୁଖ୍ୟ ଖବର

  • ସୁନ୍ଦରଗଡ଼: କେମିତି ଗଲା ୩ ଜଣଙ୍କ ଜୀବନ, ଖୋଳତାଡ଼ ଜାରି

    ସୁନ୍ଦରଗଡ଼: କେମିତି ଗଲା ୩ ଜଣଙ୍କ ଜୀବନ, ଖୋଳତାଡ଼ ଜାରି

    ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରୁ ୩ ମୃତଦେହ ଠାବ କରାଯାଇଛି । ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ହତ୍ୟା ନା ଏହା କୌଣସି ଦୁର୍ଘଟଣା ସେ ନେଇ ସସପେନ୍ସ ଜାରି ରହିଛି । ମୃତକଙ୍କ ମଧ୍ୟରେ ବାଙ୍କିବାହାଲ–ଟପରିଆ ରାସ୍ତା ନିର୍ମାଣକାରୀ ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ ଅଛନ୍ତି ।

    ୩ ମୃତକ ବରଗଡ଼ ଭେଡେନ ଥାନା ମହୁଲପାଲିର ମାନସ କୁମାର ରଥ,ସୁନ୍ଦରଗଡ଼ ବିଶ୍ରା ଥାନା ଉଡୁସୁ ଗାଁର ପ୍ରିନ୍ସ ନାଏକ ଏବଂ ହେମଗିର ଥାନା ବଲିଙ୍ଗାର ସଚିନ ଚିତକି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତ ୨୯ ତାରିଖରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିଟି ରାସ୍ତାକଡ଼ରେ ପଡ଼ିଥିଲା । ଗତକାଲି ରାତିରେ ୩ ଜଣ ଏହାର ଚକ ଏବଂ ଅନ୍ୟାନ୍ୟ ପାର୍ଟସ ନେବାକୁ ଚେଷ୍ଟା କରିଥିଲେ ଯାହାକୁ ସେଠାରେ ଥିବା ସୁରକ୍ଷାକର୍ମୀ ବିରୋଧ କରିଥିଲେ । ଘଟଣାକୁ ନେଇ ଦୁର୍ବୃତ୍ତ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୨ ସୁରକ୍ଷାକର୍ମୀ ଏବଂ ଜଣେ ଦୁର୍ବୃତ୍ତର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

  • ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କଲେ ଶରଦ ପାଓ୍ବାର, ତେବେ ଏନସିପିର ଆଗାମୀ ଅଧ୍ୟକ୍ଷ କିଏ ?

    ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କଲେ ଶରଦ ପାଓ୍ବାର, ତେବେ ଏନସିପିର ଆଗାମୀ ଅଧ୍ୟକ୍ଷ କିଏ ?

    ଏନସିପି ମୁଖ୍ୟ ଶରଦ ପାଓ୍ବାର ଏକ ବଡ ଘୋଷଣା କରିଛନ୍ତି । 82 ବର୍ଷୀୟ ମହାରାଷ୍ଟ୍ର ବାସିନ୍ଦା ଶରଦ ପାଓ୍ବାର ଏନସିପି ଅଧ୍ୟକ୍ଷ ପଦ ଛାଡିବା ପାଇଁ ଘୋଷଣା କରିଛନ୍ତି । ସେ ଏମତି ସମୟରେ ଏହି ଘୋଷଣା କରିଛନ୍ତି ଯେତେବେଳେ ଅଜିତ ପାଓ୍ବାରଙ୍କୁ ନେଇ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବାର ଖବର ସାମ୍ନାକୁ ଆସୁଛି । ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଏନସିପିର କେତେଜଣ ବିଧାୟକଙ୍କୁ ନେଇ ବିଜେପିରେ ସହିତ ମିଶିଯିବେ ବୋଲି ଚର୍ଚ୍ଚା ଚାଲିଥିଲା ।

    ଶରଦ ପାଓ୍ବାର କହିଛନ୍ତି, ଅନେକ ବର୍ଷ ଧରି ରାଜନୀତିରେ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲା । ଆଉ ଏହି ବୟସରେ ପଦ ପାଖରେ ରଖିବାକୁ ଠିକ ଭାବୁନାହିଁ । ମତେ ଲାଗୁଛି ଯେ, ଆଉ କାହାକୁ ଆଗକୁ ଆସିବା ଦରକାର । ଦଳର ନେତାଙ୍କୁ ସ୍ଥିର କରିବାକୁ ପଡିବ ଯେ, ଆଗାମି ଅଧ୍ୟକ୍ଷ କିଏ ହେବେ । ଶରଦ ପାଓ୍ବାରଙ୍କୁ ଶେଷଥର ପାଇଁ 2022 ମସିହାରେ ଦଲର ଅଧ୍ୟକ୍ଷ ଭାବେ ବଛାଯାଇଥିଲା ।

    ଶରଦ ପାଓ୍ବାର କହିଛନ୍ତି, 1999 ମସିହାରେ ଏନସିପି ଗଠନ ପରଠାରୁ ମତେ ଅଧ୍ୟକ୍ଷ ଭବେ ରହିବାର ସୁଯୋଗ ମିଳିଛ । ଆଜିକୁ 24 ବର୍ଷ ହୋଇଗଲା ଦଳର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଦଳର ମଙ୍ଗ ଧରି ରଖିଥିଲି । ସେ କହିଛନ୍ତି, 1960 ମସିହା ମେ 1 ତାରିଖରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଜୀବନ ଯାତ୍ରା ଗତ 63 ବର୍ଷ ଧରି ଜାରି ରହିଛି । ଏହି ସମୟ ଭିତରେ ମୁଁ ମହାରାଷ୍ଟ୍ର ଆଉ ଦେଶର ଭିନ୍ନ ଭିନ୍ନ ଭୂମିକାରେ ସେବା କରିଛି । ସେ କହିଛନ୍ତି, ମୋର ରାଜ୍ୟସଭା କାର୍ଯ୍ୟକାଳ ଆଉ 3 ବର୍ଷ ପାଇଁ ରହିଛି । ଏହା ଭିତରେ ମୁଁ କୌଣସି ପଦରେ ରହିବାକୁ ଚାହୁଁନାହିଁ । କାରଣ ଦେଶର ପ୍ରସଙ୍ଗ ସହିତ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହେଁ ।

    ଶରଦ ପାଓ୍ବାର ପଦ ଛାଡିବା ପାଇଁ ଘୋଷଣା କରିବା ସମୟରେ ଲୋକମାନେ ଭାବବିହ୍ବଳ ହୋଇପଡିଥିଲେ । କାର୍ଯ୍ୟକ୍ରମରେ ସାମିଲ ଥିବା ଲୋକମାନେ ତାଙ୍କୁ ପଦ ନଛାଡିବାକୁ କହିବା ସହିତ କାନ୍ଦି ପକାଇଥିଲେ । ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ଅନୁରୋଧ କରିଥିଲେ ।

    ବିଗତ 6 ଦଶକ ଧରି ମହାରାଷ୍ଟର ଲୋକମାନେ ଯେଉଁ ଭଲପାଇବା ଦେଇଛନ୍ତି ତାକୁ ଭୁଲିପାରିବିନି ବୋଲି ଶରଦ ପାଓ୍ବାର କହିଛନ୍ତି । ଦଳ ଖୁବଶୀଘ୍ର ଏକ କମିଟି ଗଠନ କରି ପାର୍ଟିର ଅଧ୍ୟକ୍ଷ ନିର୍ବାଚିତ କରିବା ପାଇଁ ଶରଦ ପାଓ୍ବାର ଆହ୍ବାନ କରିଛନ୍ତି ।

  • କମ ଯନ୍ତ୍ରଣାଦାୟୀ ମୃତ୍ୟୁ ଉପାୟ ବାହାର କରିବାକୁ କମିଟିର ଆବଶ୍ୟକତା ରହିଛି:କେନ୍ଦ୍ର

    କମ ଯନ୍ତ୍ରଣାଦାୟୀ ମୃତ୍ୟୁ ଉପାୟ ବାହାର କରିବାକୁ କମିଟିର ଆବଶ୍ୟକତା ରହିଛି:କେନ୍ଦ୍ର

    ଯନ୍ତ୍ରଣାବିହୀନ ବା କମ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ଆଜି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ପକ୍ଷରୁ ବିଶେଷଜ୍ଞ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର କହିଛି କି, ମୃତ୍ୟୁଦଣ୍ଡ କ୍ଷେତ୍ରରେ କମ ଯନ୍ତ୍ରଣାଦାୟକ ଉପାୟ ଖୋଜିବାକୁ ଏକ୍ସପର୍ଟ କମିଟି ଗଠନ ଉପରେ ବିଚାର କରାଯାଉଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ ହେବ। କେନ୍ଦ୍ର ପକ୍ଷରୁ ଆଟର୍ନି ଜେନେରାଲ ଭେଙ୍କଟରମନୀ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି।ଏଜି କହିଛନ୍ତି, ସାମ୍ପ୍ରତିକ ଆଇନ ପଦ୍ଧତିରେ ଫାଶୀ ଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ଫାଶୀଠାରୁ କମ ଯନ୍ତ୍ରଣାଦୟକ ଦଣ୍ଡ କିଛି ଅଛିକି, ତା ଉପରେ କମିଟି କାର୍ଯ୍ୟ କରିବ।

    ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କେନ୍ଦ୍ରକୁ ଫାଶୀଠାରୁ କମ ଯନ୍ତ୍ରଣାଦାୟକ ଉପାୟ ଖୋଜି ବାହାର କରିବାକୁ ଏକ କମିଟିର ଆବଶ୍ୟକତା ଥିବା କହିଥିଲେ। ଏଥିସହ, ଅନ୍ୟ ଦେଶରେ ଦିଆଯାଉଥିବା ବିଭିନ୍ନ ପ୍ରଣାଳୀକୁ ଅନୁଧ୍ୟାନ କରିବା ଉପରେ ଗୁରୁତ୍ବଆରୋପ କରିଥିଲେ। ପୂର୍ବ ଶୁଣାଣିରେ କୋର୍ଟ ପଚାରିଥିଲେ କି ଫାଶୀ ଦେଲେ କେତେ କଷ୍ଟ ହୁଏ ତାର ତଥ୍ୟ ଦିଆଯାଉ। ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଫାଶି ଉପରେ କଣ ଦୃଷ୍ଟିଭଙ୍ଗି ରହିଛି? ଦେଶ ତଥା ବିଦେଶରେ ମୃତ୍ୟୁଦଣ୍ଡର ନେଇ କଣ ସବୁ ବିକଳ୍ପ ଅଛି? ଏସବୁର ଡାଟା ମାଗିଥିଲେ କୋର୍ଟ।

    ସିଜେଇ ଚନ୍ଦ୍ରଚୂଡ କହିଥିଲେ କି, ଏହା ଏକ ବିଚାରର ବିଷୟ। ତେଣୁ ଏହା ଉପରେ କିଛି ବୈଜ୍ଞାନିକ ତଥ୍ୟ ପ୍ରମାଣର ଆବଶ୍ୟକତା ରହିଛି। ମୃତ୍ୟୁକୁ ନେଇ ଦେଶ ଓ ବିଦେଶରେ ଥିବା ବିଭିନ୍ନ ଉପାୟରେ ହେଉଥିବା ଯନ୍ତ୍ରଣା ଉପରେ ଅଧ୍ୟୟନ କରିବାକୁ ହେବ। ତେଣୁ କମିଟିରେ କେଉଁମାନେ ସାମିଲ ହେବେ ତାକୁ ନେଇ କେନ୍ଦ୍ରର ପରାମର୍ଶ ଲୋଡିଥିଲେ କୋର୍ଟ।

  • ଆସିଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର, ସ୍ନାତକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା

    ଆସିଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର, ସ୍ନାତକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା

    ନିର୍ବାଚନ ତାତିରେ କର୍ଣ୍ଣାଟକ ଉଠୁଛି ପଡୁଛି । ଏହରି ମଧ୍ୟରେ କଂଗ୍ରେସ ତାର ଘୋଷଣାପତ୍ର ଜାରି କରିଛି । ଆଜି କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ସହ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି ।

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରୈମୟା ଓ ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହି ଘୋଷଣା ପତ୍ର ଜାରି କରିଛି । ଏଥିରେ ବେରୋଜଗାର ସ୍ନାତକଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସ୍ନାତକ ଡିଗ୍ରୀଧାରୀ ବେକାର ଯୁବକଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ପ୍ରତିଶୃତି ଦେଇଛି । ଏଥିସହିତ
    କେଏସଆରଟିସି ଏବଂ ବିଏମଟିସିରେ ସବୁ ମହିଳାଙ୍କୁ ମାଗଣା ଯାତ୍ରାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

    ସେହିପରି କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଜାତୀୟ ସଂରକ୍ଷଣକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ଥିବା ସଂରକ୍ଷଣକୁ ୩ରୁ ୭ ପ୍ରତିଶତକୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଥିବା ସଂରକ୍ଷଣକୁ ୪ ପ୍ରତିଶତ କରିବାକୁ କଂଗ୍ରେସ ନିଜର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । ଆଇନ୍ ଏବଂ ସମ୍ବିଧାନକୁ ସର୍ବୋପରି ଦର୍ଶାଇ କଂଗ୍ରେସ ଘଷଣା ପତ୍ରରେ ଦର୍ଶାଇଛି ଯେ, ସମୁଦାୟ ଭିତରେ ଘୃଣା ବଡାଇବା ପାଇଁ ସମ୍ବିଧାନ ଓ ଆଇନର ଉଲ୍ଲଙ୍ଘନ କରିବାକୁ ଦିଆଯିବନି ।

  • ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନର ଦୁରାବସ୍ଥା

    ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନର ଦୁରାବସ୍ଥା

    ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହରାଇଛି ପୂର୍ବ ଗୌରବ। ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍)ଗ୍ରେଡେସନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏକ ପାଦ ତଳକୁ ଖସିଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ଏହି ଅନୁଷ୍ଠାନ। ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ  A+ ମାନ୍ୟତା ପାଇଥିଲା।

    ପୂର୍ବରୁ ନାକ୍ ମୂଲ୍ୟାୟନରେ ଉତ୍କଳ ବିଶ୍ବବିଦ୍ୟାଳୟ A+ ମାନ୍ୟତା ହାସଲ କରିଥିଲା। କିନ୍ତୁ ଚଳିତ ମୂଲ୍ୟାଙ୍କନରେ ପାଦେ ତଳକୁ ଖସି ୩.୧୬ ପଏଣ୍ଟ ସହ A ମାନ୍ୟତା ହାସଲ କରିଛି। ଗତ ମାସରେ ନାକର ମୂଲ୍ୟାୟନ ଟିମ୍ ବିଶ୍ୱବିଦ୍ୟାଳୟ ଆସି ଅନୁଧ୍ୟାନ କରି କାଉନ୍‌ସିଲକୁ ରିପୋର୍ଟ ଦେଇଥିଲେ।

    ନାକ୍ ରିପୋର୍ଟ ଆସିବା ପରେ ରାଜ୍ୟ ଗୌରବର ପ୍ରତୀକ ଏହି ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟର ଅବନତିକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଅନୁଷ୍ଠାନର ଦୁର୍ବଳ ଭିତ୍ତିଭୂମିକୁ   କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି।

  • IPL ମୈଦାନରେ ପୁଣି ମୁହାଁମୁହିଁ, ଦୁଇ ଜଣଙ୍କ କଟିଲା ମ୍ୟାଚ୍ ଫି’

    IPL ମୈଦାନରେ ପୁଣି ମୁହାଁମୁହିଁ, ଦୁଇ ଜଣଙ୍କ କଟିଲା ମ୍ୟାଚ୍ ଫି’

    ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ ଯେତିକି ଲୋକପ୍ରିୟତା ହାସଲ କରୁଛି ତା ପଛରେ ବିବାଦ ବି ବଢ଼ିବାରେ ଲାଗିଛି । IPL ଇତିହାସରେ ଏମିତି ଅନେକ ଘଟଣା ଅଛି ଯେଉଁଥିରେ ଖେଳାଳି, ଅମ୍ପାୟାର, ଦର୍ଶକ, ମ୍ୟାନେଜମେଣ୍ଟ, ମାଲିକ ସମସ୍ତେ ବିବାଦ ଘେରକୁ ଆସିଛନ୍ତି । ଏବେ ପୁଣି ଥରେ ସେହି ବିବାଦ ନେଇ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ଖେଳାଳି-ଖେଳାଳି ବିବାଦ ନୁହେଁ, ମୁହାଁମୁହିଁ ହୋଇଛନ୍ତି ଜଣେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ତ ଆଉ ଜଣେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ମେଣ୍ଟର ।

    ସୋମବାର ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ–ବାଙ୍ଗାଲୋର ମଧ୍ୟ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୧୨୭ ରନ୍ ଚେଜ୍ କରିନପାରି ୧୮ ରନରେ ହାରିଥିଲା ଲକ୍ଷ୍ନୌ । ହେଲେ ଏହା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆରସିବି ଠାରୁ ଲକ୍ଷ୍ନୌ ହାରିବା ପରେ ବିରାଟଙ୍କ ସହ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ମେଣ୍ଟର । ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ମ୍ୟାଚ୍ ପରେ ରେଜଲ୍ଟ ଆସିଲା ହେଲେ ବାକ୍ ଯୁଦ୍ଧ ଆରମ୍ଭ ହେଲା । ପଡି଼ଆରେ ଅମିତ ମିଶ୍ର, ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟାଙ୍କ ପରି ଖେଳାଳିଙ୍କ ଉପସ୍ଥିତିରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର । ଦୁଇ ଜଣଙ୍କ ମଧ୍ୟରେ ବେଶ୍ କିଛି ସମୟ କଥା କଟାକଟି ହୋଇଥିଲା ।

    ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଜଣଙ୍କୁ ଜରିମାନା କରାଯାଇଛି । ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ଖେଳାଳି ବିରାଟ କୋହଲିଙ୍କ ଶତ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ସେହିପରି, ଏହି ଘଟଣାରେ ‌ଲକ୍ଷ୍ନୌ ବୋଲର ନବୀନ୍-ଉଲ୍-ହକଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ବେଳେ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା । ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିବାବେଳେ ଆରସିବି ଦାୟିତ୍ୱରେ ଥିଲେ କୋହଲି ।

  • ସରକାରୀ ଜମି ଆବଣ୍ଟନରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

    ସରକାରୀ ଜମି ଆବଣ୍ଟନରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

    ରାଜ୍ୟରେ ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ । ସରକାରୀ ଜମି ଆବଣ୍ଟନରେ ଜଣେ ବ୍ୟକ୍ତି ରାଜ୍ୟର କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଏଥିସମ୍ବନ୍ଧିତ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

    ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି କି, ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବାରୁ ଅନେକ ଜମି ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣଙ୍କ ପାଖରେ ଏକାଧିକ ପ୍ଲଟ ତ ଅନ୍ୟ ଜଣେ ଖଣ୍ଡେ ବି ପ୍ଲଟ ପାଉନାହାନ୍ତି। ତେଣୁ ଏହା ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସେମାନଙ୍କ ନିୟମ ପ୍ରସ୍ତୁତ କଲା ବେଳେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।  କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଜଣେ ବ୍ୟକ୍ତି  ଗୋଟିଏ ପ୍ଲଟ ପାଇବା ପରେ ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

  • ସମ୍ପର୍କ ପୂର୍ବବତ୍ତ ହେବାର ସମ୍ଭାବନା ନଥିବା ସ୍ଥଳେ ଛାଡପତ୍ର ଜରୁରୀ: ସୁପ୍ରିମ କୋର୍ଟ

    ସମ୍ପର୍କ ପୂର୍ବବତ୍ତ ହେବାର ସମ୍ଭାବନା ନଥିବା ସ୍ଥଳେ ଛାଡପତ୍ର ଜରୁରୀ: ସୁପ୍ରିମ କୋର୍ଟ

    ପାରସ୍ପରିକ ବୁଝାମଣାରେ ବିବାହ ବିଚ୍ଛେଦ ଉପରେ ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ରାୟ। ଛାଡପତ୍ରକୁ ନେଇ ଦାୟର ଯାଚିକା ଉପରେ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ କହିଛନ୍ତି କି, ଯଦି ସମ୍ବନ୍ଧ ଯୋଡିବା ସମ୍ଭବ ନ ହୁଏ, ତେବେ କୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ବିଶେଷ ଅଧିକାର ଜରିଆରେ ହସ୍ତକ୍ଷେପ କରିପାରିବେ। ଏଥିସହ, ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଲାଗୁଥିବା୬ ମାସ ଅପେକ୍ଷା କରିବା ନିୟମରେ ବାଧ୍ୟବାଧକତା ରହିବ ନାହିଁ। କୋର୍ଟ ଦ୍ୱାରା ଜାରି ଗାଇଡଲାଇନରେ ପ୍ରତିପୋଷଣ ଭତ୍ତା ପରି ଅନ୍ୟ ପ୍ରସଙ୍ଗର ମଧ୍ୟ ଉଲ୍ଳେଖ କରାଯାଇଛି।

     କୋର୍ଟ କହିଛନ୍ତି, ପତି ପତ୍ନୀ ଭିତରେ ଯେତେବେଳେ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡି ଯାଏ ଓ ଆଉ ପୂର୍ବପରି ହେବାର ସମ୍ଭାବନା ନ ରହେ,  ସେପରି ସ୍ଥିତିରେ ବିଚ୍ଛେଦ କରିବା ସମ୍ଭବ। ଏହା ସାର୍ବଜନୀନ ନୀତିର ବିଶେଷତା ବା ମୌଳିକ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁନାହିଁ। ଏପରି କ୍ଷେତ୍ରରେ ପୂର୍ଣ୍ଣ ନ୍ୟାୟ କରିବାକୁ ଛାଡପତ୍ର ଦେଇ ପାରିବେ ଓ ସମ୍ବିଧନାର ଧାରା ୧୪୨ ଅନ୍ତର୍ଗତ ବିଶେଷ କ୍ଷମତାର ପ୍ରୟୋଗ ମଧ୍ୟ କରି ପାରିବେ। କିନ୍ତୁ ଏହି ଧାରାର ପ୍ରୟୋଗ ବେଳେ ବିଶେଷ ସଞ୍ଜମତା ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି କୋର୍ଟ। ଏହା ଉପରେ କୋର୍ଟ ରାୟ ଦେଇଛନ୍ତି କି, ଏପରି ସ୍ଥିତିରେ ପତି ପତ୍ନୀଙ୍କୁ ଫାମିଲି କୋର୍ଟକୁ ଯିବାକୁ ଦିଆଯିବ ନାହିଁ, ଯେଉଁଠାରେ ସେମାନଙ୍କୁ ୬ରୁ ୧୮ ମାସ ଅପେକ୍ଷା କରିବାକୁ ହୋଇଥାଏ।

    ନିଷ୍ପତ୍ତି ଶୁଣାଉଥିବା ସମ୍ବିଧାନିକ ପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୟ ଖନ୍ନା, ଏ ଏସ ଓକା, ବିକ୍ରମ ନାଥ, ଜେକେ ମାହେଶ୍ବରୀ  ସାମିଲ ଥିଲେ। ସମ୍ବିଧାନିକ ପୀଠ ନିକଟକୁ ପଠା ଯାଇଥିବା ମାମଲାରେ ମୁଦ୍ଦା ଥିଲା କି, କଣ ହିନ୍ଦୁ ବିବାହ ଅଧିନିୟମର ଧାରା ୧୩-ବି ଅନୁଯାୟୀ ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଥିବା ଅପେକ୍ଷା ଅବଧିକୁ ଶେଷ କରାଯାଇପାରିବ?

    ଏହି ମାମଲାରେ୨0୨୨ ସେପ୍ଟମ୍ବରରେ ଖଣ୍ଡପୀଠ ନିଜ ରାୟ ସଂରକ୍ଷିତ ରଖିଥିଲେ। ସେତେବେଳେ କୋର୍ଟ କହିଥିଲେ, ସାମାଜିକ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ ଓ  କେବେ କେବେ ଆଇନ ଆଣିବା ସହଜ ହୋଇଥାଏ। କିନ୍ତୁ ସମାଜକୁ ଏଥି ସହ ରାଜି କରିବା କଷ୍ଟକର ହୋଇଥାଏ। କୋର୍ଟ ଶୁଣାଣି ସମୟରେ ପରିବାରର ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ।

  • ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା, ଯେଉଁଥିରେ ISIS ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ

    ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା, ଯେଉଁଥିରେ ISIS ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ

    ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା । ଯେଉଁଥିରେ ନିପାତ ହୋଇଛି ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ । ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନ ସୂଚନା ଦେଇ କହିଛନ୍ତି, ଅବୁ ହୁସେନ ଉପରେ କୁର୍କୀର ଗୁଇନ୍ଦା ବିଭାଗ ଦୀର୍ଘ ଦିନ ଧରି ନଜର ରଖିଆସୁଥିଲା । ସୁଯୋଗ ମିଳିବା ମାତ୍ରେ ସ୍ପେଶାଲ ଅପରେସନ କରାଯାଇଥିଲା, ଯେଉଁଥିରେ ହୁସେନର ମୃତ୍ୟୁ ହୋଇଛି ।

    ଉତ୍ତର ସିରିଆର ଜନ୍ଦାରୀ ସହରରେ ଅପରେସନ ହୋଇଥିଲା, ଯେଉଁଠି ତୁର୍କୀ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀର ପ୍ରଭାବ ରହିଛି । ଶନିବାର ଓ ରବିବାରର ରାତିରେ ଅବୁ ହୁସେନକୁ ମାରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଏହାପରେ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ମଝିରେ ମଝିରେ ଜୋରଦାର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ତୁର୍କୀ ସେନା ସିରଆର ଜନ୍ଦାରୀ ସହରର ପୂରା ଅଞ୍ଚଳକୁ ଘେରି ଯାଇଥିଲେ । ଶେଷରେ ଏହି ମିଶନରେ ସେମାନେ ସଫଳ ହୋଇଥିଲେ ।

    ଏଠାରେ ଜଣାଇ ଦେଉଛୁ, ଅବୁ ହୁସେନ ଗତ ନଭେମ୍ବର ମାସରେ ଆଇଏସଆଇଏସର ଦାୟିତ୍ବ ନେଇଥିଲେ । ଦାୟିତ୍ୱ ନେବାର ମାତ୍ର ୬ ମାସ ଭିତରେ ତାକୁ ନିପାତ କରିଛ ତୁର୍କୀ ସେନା । ଆଉ ଏହାକୁ ନେଇ ତୁର୍କୀରେ ସେଲିବ୍ରେସନ ଚାଲିଛି ।

  • ୫ ହଜାର ତଳକୁ ଖସିଲା ପଜିଟିଭ୍, ୧୪ ଜଣଙ୍କ ଜୀବନ ନେଲା କୋରୋନା

    ୫ ହଜାର ତଳକୁ ଖସିଲା ପଜିଟିଭ୍, ୧୪ ଜଣଙ୍କ ଜୀବନ ନେଲା କୋରୋନା

    ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି ମାନେ ୫,୦୦୦ ତଳକୁ ଖସି ଆସିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ତଳକୁ ଖସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟାରେ ୪,୨୮୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୯,୪୯,୬୭୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୫୪୭କୁ ବୃଦ୍ଧି ପାଇଛି ।

    ଦେଶରେ ମୋଟ ସୁସ୍ଥ ହୋଇଛନ୍ତି ୪,୪୩,୭୦,୮୭୮ । ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୪୬କୁ ହ୍ରାସ ପାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।