କମ ଯନ୍ତ୍ରଣାଦାୟୀ ମୃତ୍ୟୁ ଉପାୟ ବାହାର କରିବାକୁ କମିଟିର ଆବଶ୍ୟକତା ରହିଛି:କେନ୍ଦ୍ର

ଯନ୍ତ୍ରଣାବିହୀନ ବା କମ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ଆଜି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ପକ୍ଷରୁ ବିଶେଷଜ୍ଞ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର କହିଛି କି, ମୃତ୍ୟୁଦଣ୍ଡ କ୍ଷେତ୍ରରେ କମ ଯନ୍ତ୍ରଣାଦାୟକ ଉପାୟ ଖୋଜିବାକୁ ଏକ୍ସପର୍ଟ କମିଟି ଗଠନ ଉପରେ ବିଚାର କରାଯାଉଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ ହେବ। କେନ୍ଦ୍ର ପକ୍ଷରୁ ଆଟର୍ନି ଜେନେରାଲ ଭେଙ୍କଟରମନୀ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି।ଏଜି କହିଛନ୍ତି, ସାମ୍ପ୍ରତିକ ଆଇନ ପଦ୍ଧତିରେ ଫାଶୀ ଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ଫାଶୀଠାରୁ କମ ଯନ୍ତ୍ରଣାଦୟକ ଦଣ୍ଡ କିଛି ଅଛିକି, ତା ଉପରେ କମିଟି କାର୍ଯ୍ୟ କରିବ।

ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କେନ୍ଦ୍ରକୁ ଫାଶୀଠାରୁ କମ ଯନ୍ତ୍ରଣାଦାୟକ ଉପାୟ ଖୋଜି ବାହାର କରିବାକୁ ଏକ କମିଟିର ଆବଶ୍ୟକତା ଥିବା କହିଥିଲେ। ଏଥିସହ, ଅନ୍ୟ ଦେଶରେ ଦିଆଯାଉଥିବା ବିଭିନ୍ନ ପ୍ରଣାଳୀକୁ ଅନୁଧ୍ୟାନ କରିବା ଉପରେ ଗୁରୁତ୍ବଆରୋପ କରିଥିଲେ। ପୂର୍ବ ଶୁଣାଣିରେ କୋର୍ଟ ପଚାରିଥିଲେ କି ଫାଶୀ ଦେଲେ କେତେ କଷ୍ଟ ହୁଏ ତାର ତଥ୍ୟ ଦିଆଯାଉ। ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଫାଶି ଉପରେ କଣ ଦୃଷ୍ଟିଭଙ୍ଗି ରହିଛି? ଦେଶ ତଥା ବିଦେଶରେ ମୃତ୍ୟୁଦଣ୍ଡର ନେଇ କଣ ସବୁ ବିକଳ୍ପ ଅଛି? ଏସବୁର ଡାଟା ମାଗିଥିଲେ କୋର୍ଟ।

ସିଜେଇ ଚନ୍ଦ୍ରଚୂଡ କହିଥିଲେ କି, ଏହା ଏକ ବିଚାରର ବିଷୟ। ତେଣୁ ଏହା ଉପରେ କିଛି ବୈଜ୍ଞାନିକ ତଥ୍ୟ ପ୍ରମାଣର ଆବଶ୍ୟକତା ରହିଛି। ମୃତ୍ୟୁକୁ ନେଇ ଦେଶ ଓ ବିଦେଶରେ ଥିବା ବିଭିନ୍ନ ଉପାୟରେ ହେଉଥିବା ଯନ୍ତ୍ରଣା ଉପରେ ଅଧ୍ୟୟନ କରିବାକୁ ହେବ। ତେଣୁ କମିଟିରେ କେଉଁମାନେ ସାମିଲ ହେବେ ତାକୁ ନେଇ କେନ୍ଦ୍ରର ପରାମର୍ଶ ଲୋଡିଥିଲେ କୋର୍ଟ।

Leave a Reply

Your email address will not be published. Required fields are marked *