ଆସିଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର, ସ୍ନାତକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା

ନିର୍ବାଚନ ତାତିରେ କର୍ଣ୍ଣାଟକ ଉଠୁଛି ପଡୁଛି । ଏହରି ମଧ୍ୟରେ କଂଗ୍ରେସ ତାର ଘୋଷଣାପତ୍ର ଜାରି କରିଛି । ଆଜି କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ସହ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରୈମୟା ଓ ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହି ଘୋଷଣା ପତ୍ର ଜାରି କରିଛି । ଏଥିରେ ବେରୋଜଗାର ସ୍ନାତକଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସ୍ନାତକ ଡିଗ୍ରୀଧାରୀ ବେକାର ଯୁବକଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ପ୍ରତିଶୃତି ଦେଇଛି । ଏଥିସହିତ
କେଏସଆରଟିସି ଏବଂ ବିଏମଟିସିରେ ସବୁ ମହିଳାଙ୍କୁ ମାଗଣା ଯାତ୍ରାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସେହିପରି କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଜାତୀୟ ସଂରକ୍ଷଣକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ଥିବା ସଂରକ୍ଷଣକୁ ୩ରୁ ୭ ପ୍ରତିଶତକୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଥିବା ସଂରକ୍ଷଣକୁ ୪ ପ୍ରତିଶତ କରିବାକୁ କଂଗ୍ରେସ ନିଜର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । ଆଇନ୍ ଏବଂ ସମ୍ବିଧାନକୁ ସର୍ବୋପରି ଦର୍ଶାଇ କଂଗ୍ରେସ ଘଷଣା ପତ୍ରରେ ଦର୍ଶାଇଛି ଯେ, ସମୁଦାୟ ଭିତରେ ଘୃଣା ବଡାଇବା ପାଇଁ ସମ୍ବିଧାନ ଓ ଆଇନର ଉଲ୍ଲଙ୍ଘନ କରିବାକୁ ଦିଆଯିବନି ।

Leave a Reply

Your email address will not be published. Required fields are marked *