IPL ମୈଦାନରେ ପୁଣି ମୁହାଁମୁହିଁ, ଦୁଇ ଜଣଙ୍କ କଟିଲା ମ୍ୟାଚ୍ ଫି’

ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ ଯେତିକି ଲୋକପ୍ରିୟତା ହାସଲ କରୁଛି ତା ପଛରେ ବିବାଦ ବି ବଢ଼ିବାରେ ଲାଗିଛି । IPL ଇତିହାସରେ ଏମିତି ଅନେକ ଘଟଣା ଅଛି ଯେଉଁଥିରେ ଖେଳାଳି, ଅମ୍ପାୟାର, ଦର୍ଶକ, ମ୍ୟାନେଜମେଣ୍ଟ, ମାଲିକ ସମସ୍ତେ ବିବାଦ ଘେରକୁ ଆସିଛନ୍ତି । ଏବେ ପୁଣି ଥରେ ସେହି ବିବାଦ ନେଇ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ଖେଳାଳି-ଖେଳାଳି ବିବାଦ ନୁହେଁ, ମୁହାଁମୁହିଁ ହୋଇଛନ୍ତି ଜଣେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ତ ଆଉ ଜଣେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ମେଣ୍ଟର ।

ସୋମବାର ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ–ବାଙ୍ଗାଲୋର ମଧ୍ୟ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୧୨୭ ରନ୍ ଚେଜ୍ କରିନପାରି ୧୮ ରନରେ ହାରିଥିଲା ଲକ୍ଷ୍ନୌ । ହେଲେ ଏହା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆରସିବି ଠାରୁ ଲକ୍ଷ୍ନୌ ହାରିବା ପରେ ବିରାଟଙ୍କ ସହ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ମେଣ୍ଟର । ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ମ୍ୟାଚ୍ ପରେ ରେଜଲ୍ଟ ଆସିଲା ହେଲେ ବାକ୍ ଯୁଦ୍ଧ ଆରମ୍ଭ ହେଲା । ପଡି଼ଆରେ ଅମିତ ମିଶ୍ର, ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟାଙ୍କ ପରି ଖେଳାଳିଙ୍କ ଉପସ୍ଥିତିରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର । ଦୁଇ ଜଣଙ୍କ ମଧ୍ୟରେ ବେଶ୍ କିଛି ସମୟ କଥା କଟାକଟି ହୋଇଥିଲା ।

ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଜଣଙ୍କୁ ଜରିମାନା କରାଯାଇଛି । ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ଖେଳାଳି ବିରାଟ କୋହଲିଙ୍କ ଶତ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ସେହିପରି, ଏହି ଘଟଣାରେ ‌ଲକ୍ଷ୍ନୌ ବୋଲର ନବୀନ୍-ଉଲ୍-ହକଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ବେଳେ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା । ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିବାବେଳେ ଆରସିବି ଦାୟିତ୍ୱରେ ଥିଲେ କୋହଲି ।

Leave a Reply

Your email address will not be published. Required fields are marked *