Category: ରାଜନୀତି

  • ବିଜେପି ରାଜ୍ୟ ବିକାଶରେ ସାଜିଛି ବାଧକ

    ବିଜେପି ରାଜ୍ୟ ବିକାଶରେ ସାଜିଛି ବାଧକ

    ବିଜେପି ଦଳର ନେତା ରାଜ୍ୟର ବିକାଶ ଧାରାକୁ  ସହ୍ୟ କରି ପାରୁନାହାଁନ୍ତି । ବ୍ଲକରେ ପସି ବିଭିନ୍ନ ଅଫିସରେ ତାଲା ପକାଇ ଦେଉଥିବା କାର୍ଯ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି।  ବିଜେପି ପକ୍ଷରୁ ବ୍ଲକରେ ତାଲା ପକାଇବା ଏକ ନିନ୍ଦନୀୟ ଘଟଣା ।  ଗଣତାନ୍ତ୍ରିକ ବାଟରେ ଯାଉ ନାହିଁ ବିଜେପି  ।  ବ୍ଲକରେ  ସେମାନେ ତାଲା ପକାଇନାହାଁନ୍ତି  ବରଂ ସେମାନେ ବ୍ଲକର ବିକାଶଧାରାରେ ତାଲା ପକାଇଛନ୍ତି ବୋଲି ଗତକାଲି ଘଟଣା ଉପରେ କାଉଣ୍ଟର ଅଟାକ କରିଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ବିଜେଡି ଦଳ ଓ  ପଂଚାୟତ ସମିତିର ଅଧ୍ୟକ୍ଷ  ।

    ଏନେଇ ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ଯୁବ ବିଜେଡି ଓ ପଂଚାୟତ ସମିତି  ଅଧ୍ୟକ୍ଷ , ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ଧାରଣାରେ ବସିବା ସହ ଗତାକଲିର କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏହାକୁ ନେଇ ଏକ ପ୍ରତିବାଦ ସଭା ସ୍ଥାନୀୟ ବିଜେଡି ଦ୍ୱାରା କରାଯାଇଛି। ଅନ୍ୟପଟେ ବ୍ଲକରେ ସାଧାରଣ ଲୋକଙ୍କ କୌଣସି କାର୍ଯ୍ୟ ହେଉନାହିଁ । ବ୍ଲକକୁ କର୍ମଚାରୀମାନେ ଠିକ ସମୟରେ ଅସୁନାହାଁନ୍ତି । ଲୋକେ ବ୍ଲକକୁ ଆସି ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ ଆଣି ଗତକାଲି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଚାନକ ବ୍ଲକକୁ ଆସି ବ୍ଲକର ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । 

     ଗତକାଲିର ଘଟଣା ଉପରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏକ ଲିଖିତ ଅଭିଯୋଗ ସାଲେପୁର ଥାନାରେ କରାଯାଇଛି ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଜେଡି କହିଛି ।

  • ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ସାମ୍ପ୍ରତିକ ରାଜନୀତିକୁ ନେଇ ବର୍ଷିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟାନୟକ।  ରାଜନୀତିରେ ବର୍ତ୍ତମାନ ଦେଖାଦେଉଥିବା ଚଳଣି, ରାଜନୈତିକ ଦଳଗୁଡିକର କ୍ଷମତା ଲୋଭ, ନେତା ବନାମ ପ୍ରଶାସନିକ ଅଧିକାରୀ ପରି ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ଆଲୋଚନା, ‘ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣଯୁଗ’ ଅବସରେ ବର୍ତ୍ତମାନର ରାଜନୈତିକ ବାତାବରଣକୁ ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ସୌମ୍ୟ।

    ସେ କହିଛନ୍ତି, ଏବେ ରାଜନୀତିର ପରିଭାଷା ବଦଳି ଯାଇଛି। ସବୁ ଦଳ ଏବେ କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛନ୍ତି। କୌଣସି ଉପାୟରେ ରାଜନୀତିକୁ ଆସିବାକୁ ପଡିବ, ନିର୍ବାଚନ ଜିତିବାକୁ ହେବ । ନିର୍ବାଚନ କହିଲେ ଏବେ କେବଳ ପଇସା। ସର୍ଭେ କହୁଛି ୩୦ ହଜାର କୋଟି ଖର୍ଚ୍ଚ ହୋଇଛି କର୍ଣ୍ଣାଟକ ନିର୍ବାଚନରେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ରାଲି ଖର୍ଚ୍ଚ ଯୋଡାଯାଇନାହିଁ। ଏହା ଗଣିଲେ ଦିଆଯାଇଥିବା ସଂଖ୍ୟା ଆହୁରି ବଢିଯିବ।

    ବିଜେପିକୁ ଆକ୍ଷେପ କରି ପଟ୍ଟନାୟକ କହିଛନ୍ତି, ବିଜେପି ଆଉ ରାଜ୍ୟରେ ଦଳ ହୋଇ ନାହିଁ ବୋଲି ମୁଁ ଭାବୁଛି । ରାଜ୍ୟରେ ବିରୋଧୀ ଅଛି ବୋଲି ମୁଁ ବିଧାନସଭାରେ ଅନୁଭବ କରି ପାରୁନି । ଅର୍ଥାତ୍ ରାଜ୍ୟର ବିରୋଧୀ ଦଳ ବିଜେପି ବିଧାନସଭାରେ ସ୍ୱର ଶାଣିତ କରିବାରେ ବିଫଳ ହୋଇଛି। ସେ ଆହୁରି ବିଜେପିକୁ ନେଇ କହିଛନ୍ତି କି, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟରେ ଥିଲା କଂଗ୍ରେସ। ସେତେବେଳେ ମୋଦି କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇଥିଲେ। ତେବେ କଣ ଦେଶରେ ଗୋଟିଏ ଦଳ? ଆଉ ସେ ହେଉଛି କଂଗ୍ରେସ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ।

    ସମ୍ପ୍ରତି ରାଜ୍ୟରେ ମନ୍ତ୍ରୀ ବନାମ ସଚିବ ଚର୍ଚ୍ଚାରେ କିଏ ବଡ଼ ? ମନ୍ତ୍ରୀ ବଡ଼ ନା ସଚିବ ? ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମନ୍ତ୍ରୀ ତଥା ଜନପ୍ରତିନିଧିଙ୍କ ଗୁରୁତ୍ୱ ହ୍ରାସକୁ ନେଇ ପରୋକ୍ଷରେ ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ। ଏହାକୁ ନେଇ  ସେ କହିଛନ୍ତି, ପ୍ରାଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ମନ୍ତ୍ରୀଙ୍କୁ କେବଳ ସଂଗଠନ ବୁଝିବାକୁ ଛାଡ଼ି ଦିଆଯାଇଛି। ବାକି ସବୁକିଛି  ପ୍ରଶାସନ ବୁଝୁଛି। ଖବରକାଗଜରେ ବିଭିନ୍ନ ଯୋଜନାକୁ ତଥା ସରକାରୀ କାର୍ଯ୍ୟକ୍ରମରେ ବାହାରୁ ଥିବା ଫଟୋରେ ମନ୍ତ୍ରୀ ନାହିଁନ୍ତି। କେବଳ ସଚିବଙ୍କର ରହୁଛି। ସଚିବମାନେ ହିଁ ଆଜି ସବୁକିଛି।

    ତେବେ ଆଲୋଚନାଟି ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ଜୁଗଳବନ୍ଦୀକୁ ନେଇ ହୋଇଥିବା ବେଳେ ସୌମ୍ୟଙ୍କର ଉପସ୍ଥିତି କେମିତି ଗୋଟିଏ ଅଡୁଆ ଲାଗୁଛି। ଖାଲି ଶ୍ୱଶୁର ଏଥିର ବିଷୟ ବସ୍ତୁ ଥିବାରୁ ସୌମ୍ୟ ସେଠାରେ ଉପସ୍ଥିତ ଥିଲେ ନାଁ ଜଣେ ବରିଷ୍ଠ ସାମ୍ବାଦିକ ରୂପେ? ଅଥବା ଦଳରେ ଏକ ପ୍ରକାର କୋଣଠେଁସା ହୋଇରହିବା ଓ ସଚିବଙ୍କ କାୟାବିସ୍ତାରରେ ନିଜ ଛବି ହଜିଯାଉଥିବାରୁ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ସୌମ୍ୟ?କାରଣ ଜାତୀୟସ୍ତରରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଦଳକୁ ପୁଣି ଲୋକାଦୃତ କରିବାରେ ଲାଗିଥିବା ବେଳେ ରାଜ୍ୟ କଂଗ୍ରେସ ନିଜକୁ ସୁଦୃଢ କରିବାରେ ଲାଗିଛି।

  • କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ, ପ୍ରଚାରରେ ପୂରା କ୍ଷମତା ପ୍ରୟୋଗ କରିବ ଗାନ୍ଧୀ ପରିବାର

    କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ, ପ୍ରଚାରରେ ପୂରା କ୍ଷମତା ପ୍ରୟୋଗ କରିବ ଗାନ୍ଧୀ ପରିବାର

    ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହେବ । ଆଜି ପୂରା ଗାନ୍ଧୀ ପରିବାର ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ଶକ୍ତିର ସମ୍ପୂର୍ଣ୍ଣ ପ୍ରୟୋଗ କରିବେ । ରାହୁଲ ଗାନ୍ଧୀ ଅପରାହ୍ନରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ରୋଡ୍ ସୋ’କୁ ସମ୍ବୋଧିତ କରିବେ ।

    ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ରାହୁଲ-ପ୍ରିୟଙ୍କା ଭାରତୀୟ ଜନତା ପାର୍ଟି ଉପରେ କଡ଼ା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ସ୍ଥାନୀୟ ପ୍ରସଙ୍ଗ ଉଠାଇ ବିଜେପି ଉପରେ ଆକ୍ରମଣ କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହି ସ୍ଥାନୀୟ ପ୍ରସଙ୍ଗ ଗୁଡ଼ିକର ଆଭିମୁଖ୍ୟ ସ୍ଥାନୀୟ ନେତାଙ୍କ ହାତରେ ଥିଲା, ଯାହା ବର୍ତ୍ତମାନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇଛି ।

    କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କର୍ଣ୍ଣାଟକର ହୁବଲିରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଥିଲେ ଯେ, କର୍ଣ୍ଣାଟକର ଲୋକମାନେ କଠିନ ପରିଶ୍ରମ କରି ଜୀବନ ଅତିବାହିତ କରୁଛନ୍ତି ଏବଂ ସେମାନଙ୍କୁ କାହାର ଆଶୀର୍ବାଦ ଦରକାର ନାହିଁ । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିର ଉତ୍ତର ଦେଇ ସେ କହିଥିଲେ ଯେ, ଯଦି ବିଜେପି ପୁଣି ଥରେ କ୍ଷମତାକୁ ନଆସେ ତେବେ ରାଜ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ପାଇବ ନାହିଁ । ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଦ୍ୱାରା ବିଜେପି ବିଚଳିତ ହୋଇପଡ଼ିଛି ଏବଂ ତାଙ୍କୁ ପରାଜୟର ଭୟକୁ ଗ୍ରାସ କରିଛି ।

  • ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେବାକୁ ଥିବା ବେଳେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେଡି ପ୍ରାର୍ଥିନୀ ଦିପାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

    ଝାରସୁଗୁଡ଼ା ବିଧାନସଭା  ମଣ୍ଡଳୀରେ ଥିବା ମୋଟ ବୁଥ ଭିତରୁ ୪୦% ସମ୍ବେଦନଶୀଳ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନକୁ ସୁରୁଖୁରୁ ଓ ଶୃଙ୍ଖଳିତ ଢଙ୍ଗରେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ହେବ ତା ଉପରେ ଅଧିକାରୀଙ୍କ ସହଯୋଗ ଲୋଡିଛନ୍ତି ଧଳ। ଏଥିସହ ନିର୍ବାଚନ ପାଇଁ ସବୁ ବୁଥକୁ ଭୋଟଗ୍ରହଣ ସାମଗ୍ରୀ ପହଞ୍ଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ।

    ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧଳ କହିଛନ୍ତି କି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ରହିଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ଓଡ଼ିଶାର ସବୁ ବୁଥରେ ଆଗକୁ ୱେବକାଷ୍ଟିଂ ହେବାକୁ ଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଫଳରେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନିର୍ବାଚନ ଅଧିକାରୀମାନେ ସିଧାସଳଖ ତଦାରଖ କରିପାରିବେ ।

    ଧଳ ଆହୁରି ସୂଚନା ଦେଇଛନ୍ତି କି, ଦୁଇ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କମିଶନଙ୍କ ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜିର ଏହି ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

    ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

  • ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ଭୋଟ୍ ହାତେଇବା ପାଇଁ ପ୍ରଚାର ଜୋରଦାର ହେଉଛି । ଆଉ ମାତ୍ର ୩ ଦିନ । ଭୋଟ୍ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ଝାରସୁଗୁଡ଼ାବାସୀ । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରୁ ଝାରସୁଗୁଡ଼ା ନିର୍ବାଚନୀ ପ୍ରଚାର ବନ୍ଦ ହେବ । ତେଣୁ ଆଜି ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯିବ ।

    ଆଜି ଗୋଟିଏ ଦିନରେ ୨ ଲୋକପ୍ରିୟ ନେତାଙ୍କ କାର୍ଯ୍ୟକ୍ରମ । ଝାରସୁଗୁଡ଼ା ସହରରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଭୋଟ୍ ହାତେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ସୋ’ରେ ସାମିଲ ହେବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ୍ ଭିକ୍ଷା କରିବେ ୨ ନେତା । ନେତା, କର୍ମୀ, ବିଧାୟକ, ସାଂସଦ ତଥା ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ନେତା ସମସ୍ତେ ଆଜିର ପ୍ରଚାରରେ ଯୋଗଦେବେ । ଝାରସୁଗୁଡ଼ାରେ ପ୍ରଚାର ମୈଦାନରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଲଢ଼େଇ ଦେଖିବାକୁ ମିଳିବ ।

    ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୨୨ ଜଣ ଏସଆଇ, ୬୪ ଜଣ ଏଏସ୍‌ଆଇଙ୍କ ଭଳି ମୋଟ ୧୪.୫ ପ୍ଲାଟୁନ ପୋଲିସ୍‌ ମୁତୟନ ହୋଇଛନ୍ତି । ଆଜି ଅପରାହ୍ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ନବୀନ । ସେଠାରୁ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯାଇ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୫ଟା ୧୫ ମିନିଟରେ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବିଜେଡି ସୁପ୍ରିମୋ । ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରେ କୋଲାବିରା ବ୍ଲକ୍ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ଣ ୪.୩୦ରେ ଝାରସୁଗୁଡ଼ା ସହର ବସ୍‌ଷ୍ଟାଣ୍ଡରୁ ସରବାହାଲ ଯାଏ ରୋଡ୍‌ ସୋ’ କରିବେ ।

    ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଆସନ ଖାଲି ରହିଛି । ତେଣୁ ଝାରସୁଗୁଡ଼ାରେ ୧୦ ତାରିଖରେ ଉପନିର୍ବାଚନ ହେଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ । ନେତା,ମନ୍ତ୍ରୀ, କର୍ମକର୍ତ୍ତା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ଅନ୍ୟପଟେ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ନେତା, ମନ୍ତ୍ରୀ ।

  • KarnatakaViralAudioClip: ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଲା କଂଗ୍ରେସ

    KarnatakaViralAudioClip: ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଲା କଂଗ୍ରେସ

    ପାଖେଇ ଆସୁଛି କର୍ଣ୍ଣାଟଟକ ନିର୍ବାଚନ । ମେ 10 ତାରିଖରେ ମତଦାନ ଥିବା ବେଳେ 13 ତାରିଖ ଦିନ ଭୋଟ ଗଣତି । ତେଣୁ, ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ସବୁ ରାଜନୈତିକ ଦଳ ଭିତରେ ଉଗ୍ରତା ଦେଖିବାକୁ ମିଳୁଛି । ନେତାଙ୍କ ବଚଚନରେ କୌଣସି ପ୍ରତିବନ୍ଧକ ନଥିଲା ପରି ମନେ ହେଉଛି । ଏହାରି ଭିତରେ କଂଗ୍ରେସ, ବିଜେପି ବିରୁଦ୍ଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛି । ଦଳ କହିଛି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ପରିବାରକୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି । ବିଜେପି ନେତାମାନେ ଏହି ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ।

    କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ବିଜେପି ନେତା ମାନେ ଷଡଯନ୍ତ୍ର କରୁଛନ୍ତି । ଚିତ୍ତାପୁରରୁ ବିଜେପି ପ୍ରାର୍ଥୀଙ୍କ ରେକର୍ଡିଂରୁ ଏହା ସ୍ପଷ୍ଟ ହୋଇଛି, ଯିଏ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ମଧ୍ୟ ପ୍ରିୟ । ସୁରଜେୱାଲା କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ଏବଂ ବର୍ତ୍ତମାନ ବିରୋଧୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ମଧ୍ୟ ସାମ୍ନାକୁ ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକରେ ସମ୍ବିଧାନକୁ ପରିହାସ କରୁଛନ୍ତି। ବିଜେପି ଏତେ ତଳକୁ ଖସିଯାଇଛି ଯେ, ମଲ୍ଲିକାର୍ଜୁନ ଖଡଗେଙ୍କୁ ହତ୍ୟା କରିବାକୁ ଚାହୁଁଛି । କର୍ଣ୍ଣାଟକର ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତେଣୁ ସେମାନେ ବିଚଳିତ ହେଉଛନ୍ତି ବୋଲି ସୁରଜେୱାଲା କହିଛନ୍ତି।

    ସୁରଜେୱାଲା ଆହୁରି କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ବିଜେପି ଜାଣିସାରିଲାଣି ଯେ ତାଙ୍କ ବିରୋଧରେ ମାହୋଲ ରହିଛି । ତେଣୁ ବର୍ତ୍ତମାନ ସେମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଛନ୍ତି, ଯାହା ଚିତ୍ତାପୁରର ବିଜେପି ପ୍ରାର୍ଥୀଙ୍କ ସ୍ୱର ବୋଲି କୁହାଯାଉଛି ।

  • ୪ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

    ୪ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

    ୪ ଦିନର ମହା ନାଟକ ପରେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ନିଜ ସମର୍ଥକଙ୍କ ଅନୁରୋଧ ଓ ଜିଦି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ପାୱାର। ପାୱାର ଗତ ୨ ତାରିଖରେ ହଠାତ୍ ଦଳର ଅଧ୍ୟକ୍ଷତା ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ, ଯାହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ତେଣୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ ତାଙ୍କ ଉପରେ ଲଗାତର ଚାପ ପକାଯାଉଥିଲା।  

    ଇସ୍ତଫା ପତ୍ର ପ୍ରତ୍ୟାହାର ସମ୍ପର୍କରେ ପାୱାର  ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଆପଣମାନଙ୍କର ଭାବନାର ଅପମାନି କରିପାରିବି ନାହିଁ। ଆପଣଙ୍କ ଭାବନା ଓ ଭାବପ୍ରବଣତାରେ ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି। ଏନସିପି ମୁଖ୍ୟ ଆହୁରି କହିଛନ୍ତି କି, ମେ ୨ରେ ସେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଅନୁଭବ କରୁଥିଲି କି ବହୁ ବର୍ଷ ଲୋକଙ୍କ ସେବା କରିସାରିଲିଣି। ଏବେ ଅବସର ନେବାର ଆବଶ୍ୟକତା ରହିଛି।

    କିନ୍ତୁ ମୋର ଘୋଷଣା ଅନେକଙ୍କ ମନରେ ଦୁଃଖ ଦେଇଛି। ଅନେକ ଏହି ନିଷ୍ପତ୍ତିରେ ମର୍ମାହତ ହୋଇ ନିଷ୍ପତିରୁ ଓହରି ଯିବାକୁ ବାଧ୍ୟ କରିଥିଲେ। ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ତେଣୁ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ଇସ୍ତଫାକୁ ଫେରାଇ ନେବାକୁ ବାଧ୍ୟ ହୋଇଛି। ପାୱାର ଆଗକୁ କହିଛନ୍ତି କି, ମୁଁ ପୁନର୍ବାର ଅଧ୍ୟକ୍ଷ ପଦ ଗ୍ରହଣ କରୁଛି। ପାୱାରଙ୍କ ଏହି ଘୋଷଣା ପରେ ଏନସିପି କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ପାର୍ଟିର କର୍ମକର୍ତ୍ତାମାନେ ବାଣ ଫୁଟାଇ ଏହାକୁ ସ୍ୱାଗତ କରିବା ସହ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି।

    ସୂଚନାଯୋଗ୍ୟ, ଯେ ମେ ୨ ରେ ଶରଦ ପାୱାର ନିଜ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏମିତି କି ଗତକାଲି ମଧ୍ୟ ଦଳୀୟ କର୍ମୀଙ୍କ ସବୁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଥିଲେ ଓ ଦଳର ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏଥିସହ ଦଳର ନୂଆ ସଭାପତି ଚୟନ ପାଇଁ ଏକ କମିଟି ଗଠନ ସମ୍ପର୍କରେ ଘୋଷଣା କରିଥିଲେ। କମିଟି ଆଜି ଦଳର ପରବର୍ତ୍ତୀ ସଭାପତିଙ୍କ ନାମ ଘୋଷଣା କରିବାର ଥିଲା।

  • ‘ଆଉ ସଭାପତି ହେବାର ପ୍ରଶ୍ନ ଉଠୁନି’

    ‘ଆଉ ସଭାପତି ହେବାର ପ୍ରଶ୍ନ ଉଠୁନି’

    ଇସ୍ତଫା ନିଷ୍ପତ୍ତିରେ ଅଟଳ ଏନସିପି ସଭାପତି ଶରଦ ପାୱାର । ଦଳୀୟ କର୍ମୀଙ୍କ ସବୁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ଆଉ ଦଳର ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଦଳର ନୂଆ ସଭାପତି ଚୟନ ପାଇଁ ଏକ କମିଟି ଗଠନ ସମ୍ପର୍କରେ କରିଛନ୍ତି ଘୋଷଣା। କମିଟି ଆସନ୍ତା କାଲି କିଏ ହେବେ ଦଳର ପରବର୍ତ୍ତୀ ସଭାପତି ତାକୁ ନେଇ ଘୋଷଣା କରିବ। ତେବେ ଏହି ଦୌଡରେ ପୁତୁରା ଅଜିତ ପାୱାର ଓ ସୁପ୍ରିୟା ସୁଲେଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳୀୟ କର୍ମକର୍ତ୍ତା ସୁପ୍ରିୟାଙ୍କୁ ସଭାପତି କରିବାକୁ ଦାବି କରୁଛନ୍ତି।

    ନିଜ ଇସ୍ତଫା ସମ୍ପର୍କରେ ଶରଦ ପାୱାର କହିଛନ୍ତି କି, ମୁଁ ଇସ୍ତଫା ସମ୍ପର୍କରେ କାହା ସହ ଆଲୋଚନା କରିନଥିବା ଅଭିଯୋଗ ମିଛ। ଗତକାଲି କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ପୂର୍ବତନ ଦଳ ସଭାପତି । ସେପଟେ ଦଳର ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ୧୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠିତ ହୋଇଛି । ଏଥିସହ, ତାଙ୍କ ଇସ୍ତଫା ପ୍ରତ୍ୟାହାର ଦାବିରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଛନ୍ତି ଶରଦ ପାୱାର । ତେବେ ପାୱାର କହିଛନ୍ତି, ସଭାପତି ପଦରେ ନ ରହିଲେ ମଧ୍ୟ ସେ ଦଳିତ, ଆଦିବାସୀ, ମହିଳା ଓ ଶିଶୁଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ।

    ସୂଚନାଯୋଗ୍ୟ, ମଙ୍ଗଳବାର ହଠାତ୍‌ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହା ପରେ ଦଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ପାୱାରଙ୍କୁ ତାଙ୍କ ସମର୍ଥକମାନେ ନିଷ୍ପତିରୁ ଓହରିବା ପାଇଁ ଅନୁରୋଧ କରିଥିଲେ।

  • ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ୧୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲା ସାଂଗଠନିକ ସ୍ତରରେ ବଡ଼ ଝଟକା ମିଳିଛି । ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।

    ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି ମଙ୍ଗଳ ସାହୁ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବାବେଳେ ମଧ୍ୟ ସେ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୨୫ ବର୍ଷ ହେଲା ସେ ବିଜେପି ସହ ଥିଲେ । ବିଜେପି ସଂଗଠନ ମଜଭୁତ୍ କରିବାକୁ ଦିନରାତି ପରିଶ୍ରମ କରିଥିଲୁ । ହେଲେ ପୁରୁଣା ନୀତି, ଆଦର୍ଶ କିଛି ନାହିଁ । ଅଣଦେଖା ହୋଇ କ୍ଷୋଭ ସହ ଅଛୁ । ନବଦାସ ହତ୍ୟାର ତଦନ୍ତ ଦାବି କରୁଛୁ ବୋଲି କହିଲେ ମଙ୍ଗଳ ସାହୁ ।

    ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳକୁ ମଜଭୁତ କରିବାକୁ ଏକାଠି କାମ କରିବେ ବୋଲି କହିଛନ୍ତି ମଙ୍ଗଳ ସାହୁ0 । ଆସନ୍ତା ଦିନରେ ବିଜେଡିରେ ଆହୁରି କିଛି କର୍ମୀ ଓ ନେତା ଯୋଗଦେବେ । ଏଥିରୁ ଦଳକୁ ବହୁତ ଫାଇଦା ମିଳିବ ବୋଲି କହିଛନ୍ତି ମଙ୍ଗଳ । ସେପଟେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହେବାକୁ ଥିବାବେଳେ ଏବେଠୁ ଦଳଡିଆଁ ରୋଗ ଆରମ୍ଭ ହେଲାଣି । ଅସନ୍ତୁଷ୍ଟ ନେତା,କର୍ମୀ ନିଜ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।

    ସେପଟେ,ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଝାରସୁଗୁଡ଼ା ଥାନା ଘେରାଉ କରିଥିଲେ ବିଜେପି କର୍ମୀ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି ।

    ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । କଂଗ୍ରେସର ତରୁଣ ପାଣ୍ଡେ ଏବଂ ବିଜେଡିର ଦୀପାଳି ଦାସଙ୍କ ସମେତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରୁ କିଏ ଏହି ଆସନ ହାତେଇବ ତାକୁ ନେଇ ଜୋରଦାର ଅଙ୍କକଷା ଆରମ୍ଭ ହୋଇଛି ।

  • ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

    ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ମାନହାନୀ ମାମଲାରେ ହୋଇଥିବା ଦଣ୍ଡବିଧାନ ଉପରେ ରାହୁଲ ରୋକ ଲଗାଇବାକୁ ଦେଇଥିବା ଯାଚିକାରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଗ୍ରୀଷ୍ମ ଅବକାଶ ପରେ ରାୟ ଶୁଣାଯିବ।

    ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି କରିଥିଲେ କି, ‘ଏହା ପ୍ରଥମ ମାମଲା, ଯେଉଁଥିରେ ଅପରାଧିକ ମାନହାନୀ ପାଇଁ ସର୍ବାଧିକ ଦଣ୍ଡ ବିଧାନ ହୋଇଛି’। ତେବେ ଜଷ୍ଟିସ ହେମନ୍ତ ପ୍ରାଚକ କହିଥିଲେ, ବର୍ତ୍ତମାନ କୌଣସି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ। ତେଣୁ ଗ୍ରୀଷ୍ମ ଅବକାଶ ପରେ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରାଯିବ।

    ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ କାଳରେ ରାହୁଲ ପ୍ରଚାର ବେଳେ କହିଥିଲେ କି କାହିଁକି ସବୁ ମୋଦି ଚୋର। ଏହା ଉପରେ ସୁରଟରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ମାର୍ଚ୍ଚ ମାସରେ ରାହୁଲଙ୍କୁ ସୁରଟ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା କରିଥିଲେ। ଫଳରେ ରାହୁଲଙ୍କ ସାଂସଦ ପଦ ଚାଲିଯାଇଥିଲା ଓ ତାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡିବାକୁ ହୋଇଥିଲା।  ତେବେ ସୁରଟ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।