ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଝାରସୁଗୁଡ଼ା ଭୋଟ୍ ଗଣନା

ଝାରସୁଗୁଡ଼ା ଆସନ କିଏ ହାତେଇବ । କାହା ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଆସନ୍ତାକାଲି ଫଳାଫଳ ଆସିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସକାଳୁ କାଉଣ୍ଟିଂ ଆରମ୍ଭ ହେବ । ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ । ବ୍ୟାଟଲ ସରିଛି ହେଲେ ଫଳାଫଳ କାହା ଭାଗ୍ୟରେ ଯିବ, କିଏ ଏହି ନିର୍ବାଚନମଣ୍ଡଳୀର ବିଜେତା ହେବ ସେ ନେଇ ଅଙ୍କକଷା ବି ଜୋର ଧରିଛି । ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥିନୀ ଦୀପାଳି, ରେସର ସବୁଠାରୁ ଆଗରେ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଲୋକପ୍ରିୟତା, ଭାବମୂର୍ତ୍ତି ହିଁ ତାଙ୍କୁ ଜିତାଇବ । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ଦୀପାଳି । ତେଣୁ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହି ଭୋଟ୍ ହାତେଇବାକୁ ପ୍ରଚାର ଜୋରଦାର କରିଥିଲା ବିଜେପି । ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ । ହେଲେ, ରାଜ୍ୟବାସୀ ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କେନ୍ଦ୍ରରେ ଯେମିତି ରାଜ୍ୟରେ ମଧ୍ୟ ଅନୁରୂପ ଦଶା ଭୋଗୁଛି କଂଗ୍ରେସ । ବର୍ତ୍ତମାନ ସ୍ଥିତି ହରାଇବାକୁ ବସିଲାଣି । ହେଲେ ଝାରସୁଗୁଡ଼ାରେ କିଛିଟା ଚମତ୍କାର କରିବା ପାଇଁ ଆଶା ରଖିଛି ଦଳ । ତରୁଣ ପାଣ୍ଡେ ଏଥର ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛି କଂଗ୍ରେସ ।

ସେପଟେ, ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ୍ ଗଣନା ଓ ପରେ ଫଳାଫଳ ଘୋଷଣା ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସିଇଓ । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ । ପରେ ପରେ ଅର୍ଥାତ୍ ସକାଳ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଏଥିପାଇଁ ୧୪ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ ଟେବୁଲରେ ପୋଷ୍ଟାଲ ବାଲାଟ୍ ଗଣତି ହେବ ।

Leave a Reply

Your email address will not be published. Required fields are marked *