Ganjam Cyclone Damage : ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଗଞ୍ଜାମରେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ ଦୁଇ ମନ୍ତ୍ରୀ

ଗଞ୍ଜାମ: ବାତ୍ୟା ଓ ବନ୍ୟା ପରେ ଗଞ୍ଜାମରେ କେମିତି ରହିଛି ସ୍ଥିତି? କେତେ ହୋଇଛି କ୍ଷୟକ୍ଷତି? କେମିତି ଚାଲିଛି ପୁନରୁଦ୍ଧାର କାର୍ଯ୍ୟ? ଏସବୁର ସମୀକ୍ଷା କରିବାକୁ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତରେ ଆସିଛନ୍ତି।

ନିକଟରେ ହୋଇଥିବା ବାତ୍ୟା ଅର୍ଣ୍ଣବ ଓ ଅକଭାନ୍ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଚାଷଜମି, ରାସ୍ତାଘାଟ ଏବଂ ବିଭିନ୍ନ ଭିତ୍ତିଭୂମି ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ବିଶେଷକରି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଓ ଥଇଥାନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ବିପନ୍ନ ପରିବାରଗୁଡ଼ିକ ପାଖରେ ସରକାରୀ ସହାୟତା କେତେଦୂର ପହଞ୍ଚିଛି, ସେନେଇ ମଧ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ପୂର୍ବରୁ ମଧ୍ୟ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ। କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରଭାବିତ ଲୋକଙ୍କୁ ରିଲିଫ୍ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ କେତେ ତ୍ୱରାନ୍ୱିତ ହେବ ଏବଂ ବିପନ୍ନ ପରିବାରଗୁଡ଼ିକୁ କେତେ ଶୀଘ୍ର ସହାୟତା ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।