Bangomunda Dhanuyatra : ଧନୁଯାତ୍ରାରେ ଅଘଟଣ ! ନିଜ ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ

ବଲାଙ୍ଗୀର: ଧନୁଯାତ୍ରା ମହୋତ୍ସବରେ ଘଟିଲା ବଡ଼ ଅଘଟଣ। ଯେଉଁ ହାତୀକୁ ସାଙ୍ଗରେ ନେଇ ମହୋତ୍ସବକୁ ଆସିଥିଲେ, ଶେଷରେ ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ତମ ଧନୁଯାତ୍ରା ମହୋତ୍ସବରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ମାହୁନ୍ତଙ୍କ ନାଁ କଳ୍ପ ନାଥ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡାରେ ଧୁମ୍‌ଧାମ୍‌ରେ ଚାଲିଥିଲା ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବରେ ହାତୀକୁ ନେଇ ଯୋଗଦେବା ପାଇଁ ଆସିଥିଲେ ମାହୁନ୍ତ କଳ୍ପ ନାଥ। ହେଲେ କିଏ ଜାଣିଥିଲା, ଯେଉଁ ହାତୀକୁ ନେଇ ସେ ଆସିଥିଲେ, ସେହି ହାତୀ ଦିନେ ତାଙ୍କ ଜୀବନ ନେଇଯିବ। ହଠାତ୍ ହାତୀଟି ମାହୁନ୍ତଙ୍କୁ ଆକ୍ରମଣ କରିଥିଲା। ଫଳରେ ଏହି ଆକ୍ରମଣରେ କଳ୍ପ ନାଥଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏହି ଘଟଣା ଧନୁଯାତ୍ରା ମହୋତ୍ସବର ଖୁସିର ପରିବେଶକୁ ଶୋକରେ ପରିଣତ କରିଦେଇଛି। ଯେଉଁଠି ଲୋକେ ଧନୁଯାତ୍ରାର ମଜା ନେବା ପାଇଁ ଏକାଠି ହୋଇଥିଲେ, ସେଠାରେ ଏଭଳି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ହାତୀଟି କେଉଁ ପରିସ୍ଥିତିରେ ଆକ୍ରମଣ କଲା ଏବଂ ହଠାତ୍ କାହିଁକି ଆକ୍ରମଣାତ୍ମକ ହୋଇଉଠିଲା, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଏହି ଘଟଣା ପରେ ମହୋତ୍ସବରେ ହାତୀ ବ୍ୟବହାର ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏତେ ବଡ଼ ଆୟୋଜନରେ ହାତୀର ସୁରକ୍ଷା ଓ ନିୟନ୍ତ୍ରଣ ପାଇଁ କିଭଳି ବ୍ୟବସ୍ଥା କରାଯାଇଥିଲା? ହାତୀଟି ପୂର୍ବରୁ ଆକ୍ରମଣାତ୍ମକ ଥିଲା କି? ଏସବୁ ପ୍ରଶ୍ନର ଉତ୍ତର ମିଳିବା ବାକି ରହିଛି।

ତେବେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖୁସି ଓ ଉତ୍ସବର ମାହୋଲ ଭିତରେ ଏହି ଅଘଟଣ ଏକ ଦୁଃଖଦ ସ୍ମୃତି ଛାଡ଼ିଯାଇଛି।