Bidya Bharati Panda Suspended : ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ଚାକିରିରୁ ନିଲମ୍ବିତ ହେଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

ଭୁବନେଶ୍ୱର: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ବଡ଼ ମୋଡ଼। ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ନିଆଯାଇଛି ବଡ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ଚାକିରିରୁ ନିଲମ୍ବିତ ହୋଇଛନ୍ତି ବିଦ୍ୟାଭାରତୀ ପଣ୍ଡା। ପ୍ରାଣୀ ସମ୍ପଦ ବିଭାଗର ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ ପୁଣିଥରେ ଚର୍ଚ୍ଚାକୁ ଫେରିଛି ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା।

୨୦୨୧ ମସିହାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘଟିଥିବା ଏହି ଘଟଣା ସେତେବେଳେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସହକାରୀ ବନ ସଂରକ୍ଷକ ବା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ି ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ନ୍ୟାୟ ଦାବି କରିଥିଲେ। ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ଅନ୍ୟମାନଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ମାମଲାକୁ ନେଇ ଆଇନଗତ ପ୍ରକ୍ରିୟା ଜାରି ରହିଥିଲା।

ପୂର୍ବରୁ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ନଭେମ୍ବର ୧୮ ତାରିଖରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଅଦାଲତ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ସେବେଠାରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବିଦ୍ୟାଭାରତୀ ପ୍ରାଣୀ ସମ୍ପଦ ବିଭାଗରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତେବେ କୋର୍ଟରେ ଆତ୍ମସମର୍ପଣ ଓ ବିଚାର ବିଭାଗୀୟ ହାଜତକୁ ଯିବା ପରେ ତାଙ୍କ ବିରୋଧରେ ବିଭାଗୀୟ ନିଲମ୍ବନ ଆଦେଶ ଜାରି କରାଯାଇଛି।

ଏହି ମାମଲାରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ବିଚାର ପ୍ରକ୍ରିୟା ଜାରି ରହିଛି। ତେବେ ନିଲମ୍ବନ ହେବା ଅର୍ଥ ଅଭିଯୋଗ ପ୍ରମାଣିତ ହେବା ନୁହେଁ। ଅଦାଲତଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ମାମଲାର ଆଇନଗତ ସ୍ଥିତି ସ୍ପଷ୍ଟ ହେବ। ଏବେ ବିଦ୍ୟାଭାରତୀଙ୍କ ନିଲମ୍ବନ ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଗକୁ କେଉଁ ମୋଡ଼ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।