ଦ କେରଳ ଷ୍ଟୋରୀକୁ ନେଇ ଦିଦିଙ୍କୁ ସିଜେଆଇଙ୍କ ପ୍ରଶ୍ନ

ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀକୁ ପଶ୍ଚିମ ବଙ୍ଗରେ ନିଷିଦ୍ଧ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ରାଜ୍ୟ ସବୁରେ ଏହି ଚଳଚ୍ଚିତ୍ର ଶାନ୍ତିରେ ଚାଲୁଥିବା ବେଳେ ପଶ୍ଚିମବଙ୍ଗରେ ନିଷିଦ୍ଧ କରିବାର କାରଣ ପଚାରିଛନ୍ତି ସର୍ବୋଚ୍ଚ କୋର୍ଟ। ଶୁକ୍ରବାର ଶୁଣାଣି କାଳରେ ରାଜ୍ୟ ସରକାରକୁ ପ୍ରଶ୍ନ କରିଛନ୍ତି କୋର୍ଟ। ଏଥିସହ ପ୍ରତିବନ୍ଧକ ଲଗାଇଥିବା ପଶ୍ଚିମ ବଙ୍ଗ ଓ ତାମିଲନାଡୁକୁ ନୋଟିସ କରିଛନ୍ତି କୋର୍ଟ।

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ  ଓ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଫିଲ୍ମର ନିର୍ମାତା ବିପୁଲ ଶାହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ କି, ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମ ଚାଲିଛି। ପଶ୍ଚିମବଙ୍ଗ ମଧ୍ୟ ଦେଶର ଏକ ଅଂଶ। ସେଠାରେ କାହିଁକି ଫିଲ୍ମ ଉପରେ କଟକଣା ଜାରି କରାଯାଇଛି?

ଯଦି ଫିଲ୍ମ ଅନ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି? ଯଦି ଲୋକମାନେ ଏହାକୁ ଦେଖିବାକୁ ଚାହୁଁନାହାଁନ୍ତି, ତେବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ପଶ୍ଚିମବଙ୍ଗ ସରକାର କାହିଁକି ଏହାକୁ ନିଷିଦ୍ଧ କରିଛନ୍ତି? ଆସନ୍ତା ବୁଧବାରଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ସୋମବାର ଦିନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ଓ ଘୃଣା ସୃଷ୍ଟିକରୁଥିବା ଘଟଣାରୁ ବର୍ତ୍ତିବା ପାଇଁ ରାଜ୍ୟରେ ବିବାଦସ୍ପଦ ଫିଲ୍ମ ଦ କେରଳ ଷ୍ଟୋରୀର ପ୍ରଦର୍ଶନ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବାକୁ ଆଦେଶ ଦେଇଥିଲେ। ନିର୍ମାତା କୋର୍ଟଙ୍କୁ ଆହୁରି ଅବଗତ କରିଥିଲେ କି ତାମିଲନାଡୁ ମଧ୍ୟ ଡିଫେକ୍ଟୋ ବ୍ୟାନ ଲଗାଇଛି। ଏହା ପରେ ଅନ୍ୟ କିଛି ରାଜ୍ୟ ମଧ୍ୟ ଫିଲ୍ମକୁ ବ୍ୟାନ କରିବାକୁ ଧମକ ଦେଉଛନ୍ତି।  ନିର୍ମାତାଙ୍କୁ କ୍ଷତି ସହିବାକୁ ପଡୁଛି।

କୋର୍ଟରେ ନିର୍ମାତାଙ୍କ ପକ୍ଷରୁ ହରୁସ ସାଲଭେ ଜଣାଇଥିଲେ କି, ୫ ମେରେ ଫିଲ୍ମ ରିଲିଜ ହୋଇଥିଲା। ପଶ୍ଟିମ ବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ ଫିଲ୍ମରୁ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ରହିଛି। ସେହିପରି ତାମିଲନାଡୁରେ ଡିଫେକ୍ଟୋ ବ୍ୟାନ କରାଯାଇଛି। ପ୍ରଥମେ ଫିଲ୍ମ ରିଲିଜ ହୋଇଥିଲା। କିନ୍ତୁ ପରେ ଧମକ ମିଳିବାରୁ ଫିଲ୍ମକୁ ଚାଲିବାକୁ ଦିଆଗଲା ନାହିଁ। ଏଥିନେଇ ସାଲଭି କୋର୍ଟଙ୍କ ନିକଟରେ ଫିଲ୍ମକୁ ସୁଚାରୁ ରୂପେ ଚାଲିବାକୁ ଦେବାକୁ ନିର୍ଦ୍ଦେଶ ହେବାକୁ ଅନୁରୋଧ କରିଛନ୍ତି।ତେଣୁ କୋର୍ଟ ଏହି ମାମଲାରେ ନୋଟିସ ଜାରି କରିବେ ବୋଲି କହିଛନ୍ତି।

ଆନ୍ୟପଟେ ଅନେକ ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି, ଯାହ୍ ବକ୍ସ ଅଫିସ କଲେକ୍ସନରୁ ପ୍ରମାଣିତ ହେଉଛି। ଦ କେରଳ ଷ୍ଟୋରୀ ରିଲିଜର ସପ୍ତମ ଦିନରେ ୧୨ କୋଟି ଆୟ କରି ସାରିଛି। ପୁରା ସପ୍ତାହର ଆୟ ପହଞ୍ଚିଛି ୮୦.୮୬ କୋଟିରେ। ଆଉ ମାତ୍ର ୨୦ କୋଟି ଆୟରେ ଫିଲ୍ମ ୧୦୦ କ୍ଲବରେ ସାମିଲ ହୋଇଯିବ। ଫିଲ୍ମଟି ରିଲିଜର ପ୍ରଥମ ଦିନରେ ୮.୦୩ କୋଟିରୁ ଓପନିଂ ଆରମ୍ଭ କରି ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୭, ପଞ୍ଚମ ଦିନରେ ୧୧.୧୪ କୋଟି ଓ ଷଷ୍ଠ ଦିନରେ ୧୨ କୋଟି ଆୟ କରିବାରେ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *