ଛାତ୍ରଛାତ୍ରୀ ଶୁଣିଲେନି ‘ମନ୍ କି ବାତ୍’, କାର୍ଯ୍ୟାନୁଷ୍ଠାନ ନେଲା କଲେଜ

‘ମନ୍ କି ବାତ୍’ ନ ଶୁଣିବାରୁ ଦଣ୍ଡ ! ୩୬ ଜଣ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବାକୁ ପଡ଼ିଛି । ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛିଲା । ପଞ୍ଜାବର Post Graduate Institute of Medical Education and Research ବା PGIMERର ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଏହାକୁ ନେଇ ସମାଲଚୋନା ଆରମ୍ଭ ହୋଇଥିବା ବେଳେ ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

ଗତ ୩୦ ତାରିଖରେ ‘ମନ୍ କି ବାତ୍’ର ଶହେତମ ସଂସ୍କରଣ ପ୍ରସାରିତ ହୋଇଥିଲା । ଏହାକୁ ଶୁଣିବା ପାଇଁ କଲେଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମେଲ୍‌ ପଠାଯାଇଥିଲା । ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ଜଣ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହା କାର୍ଯ୍ୟକ୍ରମରେ ସାମିଲ ହୋଇନଥିବାରୁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏ ସଂକ୍ରାନ୍ତରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏକ ସପ୍ତାହ ଯାଏ ହଷ୍ଟେଲରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେପଟେ,ଏଭଳି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର । PGIMER କଲେଜ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସେ କଡ଼ା ସମାଲୋଚନା କରିଛନ୍ତି । ସେ କେବେ ବି ‘ମନ୍ କି ବାତ୍’କାର୍ଯ୍ୟକ୍ରମ ଶୁଣନ୍ତୁ ନାହିଁ ସେଥିପାଇଁ କ’ଣ ଦଣ୍ଡିତ ହେବା ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଖୁବ୍‌ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଟିଏମସି ସାଂସଦ ।

ବିଭିନ୍ନ ମହଲରୁ ସମାଲଚୋନା ପରେ କଲେଜ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ‘ମନ୍ କି ବାତ୍’କାର୍ଯ୍ୟକ୍ରମର ୯୯ ନମ୍ବର ଅଧ୍ୟାୟରେ PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ଉଲ୍ଲେଖ କରିଥିଲେ । ଏପରିକି ଅଙ୍ଗ ଦାନ କରୁଥିବା ପରିବାର ବିଷୟରେ ବି ଆଲୋଚନା କରିଥିଲେ । ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ । ଏହା କଲେଜ ପାଇଁ ବେଶ୍‌ ଗର୍ବର ବିଷୟ ଥିଲା । ତେଣୁ ୧୦୦ତମ ସଂସ୍କରଣରେ ମୋଦିଙ୍କ ଭାଷଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା । ତଥାପି କିଛି ଛାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବାବେଳେ ସ୍ପଷ୍ଟ କାରଣ ବି କହି ପାରିନଥିଲେ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଆକ୍ସନ ନିଆଯାଇଥିବା କଲେଜ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *