ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

ସରିଛି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ । ଏବେ କେବଳ କାଉଣ୍ଟିଂକୁ ସମସ୍ତଙ୍କ ଅପେକ୍ଷା । ଇଭିଏମରେ ସିଲ୍ ହୋଇ ରହିଛି ୯ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ବାଜି ମାରିବ ସେ ନେଇ ସସପେନ୍ସ ଜାରି ଥିବାବେଳେ ରାଜନୈତିକ ମହଲରେ ଆକଳନ ଆରମ୍ଭ ହେଲାଣି । ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଦୃଢ଼ୋକ୍ତି ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଗଣତି ହେବ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଶା ରଖିଛନ୍ତି । ତେବେ ସବୁଥର ଭଳି ଶାସକ ଦଳ ବିଜେଡି ରେକର୍ଡ ସଂଖ୍ୟାକ ଭୋଟ୍ ପାଇବ ବୋଲି କହିଛନ୍ତି ଦଳୀୟ ନେତା ।

ବିଜେପି ମିଛ କଥା କହୁଛି, ଫାଙ୍କା ଆୱାଜ୍ କରି ଭୁତେଇବାରେ ମାହିର । ଲୋକଙ୍କୁ ମିଛ କଥା କହିଲେ ସେମାନେ ଘୃଣା କରିବେ । ନିର୍ବାଚନ ହାରିଲେ ଲୋକପ୍ରିୟତା କମୁଛି ବୋଲି ପ୍ରମାଣିତ ହେବ । ରାଜ୍ୟରେ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଥିବେ ସେ ଯାଏ ବିଜେଡି ହିଁ ଶାସନ କରିବ । ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ଦୀପାଳିଙ୍କୁ ଲୋକଙ୍କ ଆଶୀର୍ବାଦ ମିଳିଛି । ସେ ହିଁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଭଲ ପାଉଥିବାରୁ ଅଧିକ ଜନ ସମର୍ଥନ ମିଳିଛି । ନବୀନଙ୍କ ନେତୃତ୍ଵରେ ପୁଣି ଥରେ ବିଜେଡି ସରକାର ଗଢ଼ିବ । ସେହିଭଳି ଝାରସୁଗୁଡ଼ା କେମେଷ୍ଟ୍ରି କହୁଛି ଦୀପାଳିଙ୍କ ବାଜିମାତ୍ ହେବ । ଏଥିସହ ଜେନେରାଲ ଟ୍ରେଣ୍ଡ କହୁଛି ଜନମତ ଦୀପାଳିଙ୍କ ସପକ୍ଷରେ ଯିବ । ଆମେ ଶତ ପ୍ରତିଶତ ଜିତିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ବିଜେପି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଲୋକଙ୍କ ସମର୍ଥନରେ ବିଜୟୀ ହେବାକୁ ଆଶାବାଦୀ । ବିଜେପି ପ୍ରାର୍ଥୀଙ୍କୁ ଝାରସୁଗୁଡ଼ାବାସୀଙ୍କ ଅଧିକ ସମର୍ଥନ ମିଳିଛି । ତେଣୁ ସେ ବିଜୟୀ ହେବେ ବୋଲି ଦଳ କହିଛି । ତେବେ ବିଜେପି କି ବିଜେଡି ନୁହଁ କଂଗ୍ରେସ ହିଁ ଜିତିବ । କଂଗ୍ରେସ ପାର୍ଥୀ ତରୁଣ ପାଣ୍ଡେ ଝାରସୁଗୁଡ଼ା ମାଟିର ପୁଅ । ତେଣୁ ତାଙ୍କୁ ଯଥେଷ୍ଟ ସମର୍ଥନ ମିଳିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ସରିଛି । ରେଜଲ୍ଟକୁ ସବୁ ଦଳ ଅପେକ୍ଷା କରିଛନ୍ତି । ଭୋଟ୍ ଗଣତି ପରେ ଝାରସୁଗୁଡ଼ାବାସୀ କାହାର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *