ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ରାଜନୈତିକ ନୁହେଁ: ନବୀନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ନିର୍ବାଚନରେ ବିଜେଡିର ଭୂମିକା କିପରି ରହିବ । ଏହା ସହ  ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଚାଲିଥିବା ଆଲୋଚନା କେତେଦୂର ଠିକ୍ ସେ ସମ୍ପର୍କରେ ନବୀନ ସ୍ପଷ୍ଟ ଟିପ୍ପଣୀ ରଖିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଆବଶ୍ୟକତା ଓ ଦାବି ନେଇ ଆଲୋଚନା ହୋଇଥିଲା। ମୁଖ୍ୟତଃ ପୁରୀରେ ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାର୍ଯ୍ୟ ତ୍ଵରାନ୍ଵିତ ପାଇଁ ଆଲୋଚନା ହୋଇଥିଲା। ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ବର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇଥିଲା। ପୁରୀ ଏୟାରପୋର୍ଟ ପାଚେରି ପାଇଁ ଜମି ଚିହ୍ନଟ କାମ ସରିଯାଇଛି।

ସେହିପରି ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଭେଟ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟ ବେଳେ କୌଣସି ରାଜନୈତିକ ମୁଦ୍ଦା ସମ୍ପର୍କରେ ଆଲୋଚନା ହୋଇଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ।

ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପଚାରିବାରେ ନବୀନ କହିଛନ୍ତି, ଏହି ସାମ୍ମୁଖ୍ୟରେ ଆମେ ନାହୁଁ। ଆଗାମୀ ନିର୍ବାଚନରେ ବିଜେଡି ଲୋକସଭା ଓ ବିଧାନସଭା ଆସନରେ ଏକାକୀ ଲଢ଼ିବ କି ପଚାରିବାରେ ସେ କହିଛନ୍ତି, ସର୍ବଦା ଏହା ଆମର ମୁଖ୍ୟ ନୀତି ରହିଆସିଛି।

Leave a Reply

Your email address will not be published. Required fields are marked *