୪୮, ୨୩୭ ଭୋଟ ବ୍ୟବଧାନରେ ବାଜି ମାରିଲେ ଦୀପାଳି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ। ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି। ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ମୋଟ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା। ପ୍ରଥମ ରାଉଣ୍ଡରୁ ହିଁ ଦୀପାଳିଙ୍କ ଭୋଟ ସଂଖ୍ୟା ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଅଧିକ ରହି ଆସିଥିଲା। ଶେଷ ପର୍ଯ୍ୟାୟ ଗଣତିରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ  ୪୮, ୨୩୭ ଭୋଟରେ ପଛରେ ପକାଇ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଥିଲା। ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗି ଚୁରମାର କରି ଦେଇଛନ୍ତି । ୨୦୧୯ରେ ନବ ଦାସ ୪୫, ୬୯୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ଝିଅ ଦୀପାଳି ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।। ଶେଷ ରାଉଣ୍ଡ ବେଳକୁ ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଯେତେବେଳେ କି, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଓ କଂଗ୍ରେସ ପ୍ରାର୍ଥୀ ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି।

୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ ଦାସ ଝାରସୁଗୁଡାରୁ  ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ୱର୍ଗତ ଦାସ ୯୮,୬୨୦ ଭୋଟ୍ ପାଇଥିବା ବେଳେ ଜୈନଙ୍କୁ ମିଳିଥିଲା ୫୨,୯୨୧ ଖଣ୍ଡ ଭୋଟ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ହାତେଇବାରେ ଅସମର୍ଥ ହୋଇଛନ୍ତି।

ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮, ୩୮୪ ଭୋଟ ହାତେଇଥିବା ବେଳେ ୨୦୧୯ ନିର୍ବାଚନରେ  ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ପାଇଁ ୫୩ହଜାର ଭୋଟ ହାତେଇବା କଷ୍ଟକର ହୋଇଥିଲା। ଅର୍ଥାତ୍ ଚଳିତ ଭୋଟରେ ତ୍ରିପାଠୀ ପୂର୍ବତନ ପ୍ରାର୍ଥୀ ଜୈନଙ୍କଠାରୁ  ଅଧିକ ଭୋଟ୍ ହାତେଇ ପାରିବାରେ ସଫଳ ହୋଇଛନ୍ତି।। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ, ଯାହା ମୋଟ ଭୋଟର ୩୦.୦୪ ପ୍ରତିଶତ ଥିଲା। ୨୦୧୯ ନିର୍ବାଚନରେ ସ୍ୱର୍ଗତ ଦାସଙ୍କୁ ୫୫.୯୭ ପ୍ରତିଶତ।

ଝାରସୁଗୁଡ଼ାରେ ବିପୁଳ ଭୋଟରେ ବିଜୟ ପରେ ଦୀପାଳି ଦାସଙ୍କ ସହ କଥା ହେଲେ ନବୀନ । ବିଜୟ ପାଇଁ ଦୀପାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ଉପନିର୍ବାଚନରେ ଅକୁଣ୍ଠ ସମର୍ଥନ ଦେଇ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବିଜୟ ଆପଣମାନଙ୍କ ଭଲ ପାଇବା । କର୍ମୀ ଭାଇଭଉଣୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ବିଜୟ ମିଳିଛି ବୋଲି କହିଛନ୍ତି ନବୀନ । ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଏହା ଆମ ସଙ୍କଳ୍ପକୁ ଆହୁରି ଦୃଢ଼ କରୁଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ  ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ପୋଲିସ ଏଏସଆଇ ଗୋବିନ୍ଦ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେବାଠାରୁ ଏହି ବିଧାନସଭା ଆସନ ଖାଲି ପଡ଼ିଥିଲା।

Leave a Reply

Your email address will not be published. Required fields are marked *