ଆଜି ଝାରସୁଗୁଡ଼ା ଫଳାଫଳ,ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ଜାରି

ଆଜି ଆସିବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଅଛନ୍ତି । ସେହିପରି ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି । ଭୋଟ୍ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର,୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭର ରହିଛନ୍ତି ।

ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ଗଣତିର ଅପଡେଟ୍ ଦିଆଯିବ । ନିର୍ବାଚନ ମୈଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ହେଉଛି ।

। ଝାରସୁଗୁଡ଼ା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ । ବ୍ୟାଟଲ ସରିଛି ହେଲେ ଫଳାଫଳ କାହା ଭାଗ୍ୟରେ ଯିବ, କିଏ ଏହି ନିର୍ବାଚନମଣ୍ଡଳୀର ବିଜେତା ହେବ ସେ ନେଇ ଅଙ୍କକଷା ବି ଜୋର ଧରିଛି । ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥିନୀ ଦୀପାଳି, ରେସର ସବୁଠାରୁ ଆଗରେ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଲୋକପ୍ରିୟତା, ଭାବମୂର୍ତ୍ତି ହିଁ ତାଙ୍କୁ ଜିତାଇବ । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ଦୀପାଳି । ତେଣୁ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହି ଭୋଟ୍ ହାତେଇବାକୁ ପ୍ରଚାର ଜୋରଦାର କରିଥିଲା ବିଜେପି । ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ । ହେଲେ, ରାଜ୍ୟବାସୀ ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କେନ୍ଦ୍ରରେ ଯେମିତି ରାଜ୍ୟରେ ମଧ୍ୟ ଅନୁରୂପ ଦଶା ଭୋଗୁଛି କଂଗ୍ରେସ । ବର୍ତ୍ତମାନ ସ୍ଥିତି ହରାଇବାକୁ ବସିଲାଣି । ହେଲେ ଝାରସୁଗୁଡ଼ାରେ କିଛିଟା ଚମତ୍କାର କରିବା ପାଇଁ ଆଶା ରଖିଛି ଦଳ । ତରୁଣ ପାଣ୍ଡେ ଏଥର ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛି କଂଗ୍ରେସ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହୋଇଥିବା ବେଳେ ଆଜି ଗଣନା ଜାରି ରହିଛି ।

Leave a Reply

Your email address will not be published. Required fields are marked *