Category: ଦେଶ-ବିଦେଶ

  • ମୋ ଝିଅ ତା ସ୍ୱାମୀକୁ ପ୍ରଧାନମନ୍ତ୍ରୀ କରିଦେଲା: ସୁଧା ମୂର୍ତ୍ତି

    ମୋ ଝିଅ ତା ସ୍ୱାମୀକୁ ପ୍ରଧାନମନ୍ତ୍ରୀ କରିଦେଲା: ସୁଧା ମୂର୍ତ୍ତି

    ମୋ ଝିଅ ତା ସ୍ୱାମୀକୁ ପ୍ରଧାନମନ୍ତ୍ରୀ କରିଦେଇଛି। ଏପରି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୂ। ଆଜି ମୋ ଜ୍ୱାଇଁ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା ପଛରେ ରହିଛି ମୋ ଝିଅ ଅକ୍ସାତାର ହାତ ବୋଲି କହିଛନ୍ତି ଋଶିଙ୍କ ଶାଶୂ ତଥା ଇନଫୋସିସ ମାଲିକଙ୍କ ପତ୍ନୀ ସୁଧା ମୂର୍ତ୍ତି। ସୁଧାଙ୍କ ଏକ ଭିଡିଓ ଏବେ ଜବରଦସ୍ତ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି କି ମୋ ଝିଅ ପାଇଁ ଋଷି ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

    ସୁଧାଙ୍କ ଭିଡିଓରେ ତାଙ୍କୁ କହୁଥିବା ଦେଖିବାକୁ ମିଳୁଛି କି, ମୁଁ ମୋ ସ୍ୱାମୀଙ୍କୁ ଜଣେ ବ୍ୟବସାୟୀ କରିଛି। ମୋ ଝିଅ ତା ସ୍ୱାମୀଙ୍କୁ କରିଛି ୟୁକେର ପ୍ରଧାନମନ୍ତ୍ରୀ। ଏହାର ପଛରେ ରହିଛି ଜଣେ ସ୍ତ୍ରୀର ଗରିମା। ଦେଖନ୍ତୁ କିପରି ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କୁ ବଦଳାଇ ଦେଇପାରେ। ଝିଅଙ୍କୁ ନେଇ ଗୌରବାନ୍ୱିତ ହେଉଥିବା ସୁଧା କିନ୍ତୁ ତାଙ୍କ ସ୍ୱାମୀଙ୍କୁବଦଳାଇ ପାରିନଥିବା କହିବା ସହ, ସ୍ୱାମୀ ଜଣେ ସଫଳ ଉଦ୍ୟୋଗପତି ହେବା ପଛରେ ତାଙ୍କ ହାତ ଥିବା କହିଛନ୍ତି। ସେ କହିଛନ୍ତି ମୁଁ ମୋ ସ୍ୱାମୀଙ୍କୁ ବଦଳାଇ ପାରି ନ ଥିବା ବେଳେ କିନ୍ତୁ ଜଣେ ଉଦ୍ୟୋଗପତି କରିଦେଲି ଆଉ ମୋ ଝିଅ ତା ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ। ସୁଧାଙ୍କ ଇନଷ୍ଟାରେ ସେ ଏପରି କହୁଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି।

    ଏଠାରେ କହି ରଖୁଛୁ କି, 2009ରେ ଋଷି ସୁନକ ଅକ୍ସାତାଙ୍କୁ ବିବାହ କରିଥିଲେ ଓ ଏହା ପରେ ତାଙ୍କ ଜୀବନରେ ଘଟିଥିଲା ବ୍ୟାପକ ପରିବର୍ତ୍ତନ। ଜଣେ ବିଜନେସ ଆନାଲିଷ୍ଟ ଭାବେ ଏହି ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ କ୍ୟାରିୟର ଆରମ୍ଭ କରିଥିଲେ। ବିବାହ ପରେ ଶ୍ୱଶୁରଙ୍କ ଏକ କମ୍ପାନୀର ଦାୟିତ୍ୱ ନେଇଥିଲେ। କିନ୍ତୁ ପରେ ସେ ବ୍ରିଟେନ ରାଜନୀତିରେ ପ୍ରବେଶ ପୂର୍ବକ ହାସଲ କରିଥିଲେ ବିପୁଳ ସଫଳତା। ଆଉ ମାତ୍ର କିଛି ବର୍ଷ ପରେ ହୋଇଛନ୍ତି ସେଠାକାର ପ୍ରଧାନମନ୍ତ୍ରୀ। ଅକ୍ସାତାଙ୍କ ବାପା ନାରାୟଣ ମୂର୍ତ୍ତି ହେଉଛନ୍ତି ଜଣେ ଭାରତୀୟ ବିଲିୟନିୟର। ବିଶ୍ୱର ଧନୀକ ଶ୍ରେଣୀରେ ଆଇଟି ସେକ୍ଟରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିବା ଇନ୍ଫୋସିସର ମାଲିକ। ଏହି ଭାରତୀୟ ଉଦ୍ୟୋଗପତିଙ୍କ ଝିଅଙ୍କୁ ବିବାହ କରିବା ପରେ ସୁନକ ମାତ୍ର 42 ବର୍ଷରେ ୟୁକେର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ହାସଲ କରିଛନ୍ତି ଗୌରବ। ଯାହାକୁ ନେଇ ଶାଶୂଙ୍କର ଏପରି ଇନଷ୍ଟା ପୋଷ୍ଟ।

  • ଜିଆଙ୍କ ମୃତ୍ୟୁ କିପରି ? ନ୍ୟାୟ ଅପେକ୍ଷାରେ ୧୦ ବର୍ଷ !

    ଜିଆଙ୍କ ମୃତ୍ୟୁ କିପରି ? ନ୍ୟାୟ ଅପେକ୍ଷାରେ ୧୦ ବର୍ଷ !

    ଆଉ ମାତ୍ର କେଇଟା ଦିନ ମାନେ ଜୁନ୍ ୩ ତାରିଖକୁ ଅପେକ୍ଷା । ବଲିଉଡ୍ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ୧୦ ବର୍ଷ ପୂର୍ତ୍ତି ହେବ । ଏହା ପୂର୍ବରୁ ଆଜି ଆଉ ଏକ ବଡ଼ ଖବର ଆସିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର CBI କୋର୍ଟ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି ।

    ୩ ଜନ୍, ୨୦୧୩ । ମୁମ୍ବାଇ ଜୁହୁସ୍ଥିତ ଘରୁ ଅଭିନେତ୍ରୀ ଜିଆ ଖାନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସ୍‌କୁ ସେଠାରୁ ୬ ପୃଷ୍ଠାର ଏକ ଚିଠି ମଧ୍ୟ ମିଳିଥିଲା । ଏଥିରେ ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜଙ୍କ ସହ ଥିବା ସମ୍ପର୍କ ନେଇ ନେଇ ଉଲ୍ଲେଖ ରହିଥିଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ସୂରଜ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଚିଠିରେ ଲେଖାଥିଲା । ଚିଠି ଆଧାରରେ, ଜିଆଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସୂରଜଙ୍କୁ ଗିରଫ କରିଥିଲା ପୋଲିସ । ତେବେ ୨୦୧୩ ଜୁନରେ ଗିରଫ ପରେ ୨୦୧୩ ଜୁଲାଇରେ ବେଲ୍ ପାଇଥିଲେ ସୂରଜ ।

    ଏପ୍ରିଲ ୧୨ ତାରିଖରେ ସୂରଜ ନିଜ ପକ୍ଷ ରଖିଥିଲେ । ସେ ଜିଆଙ୍କୁ ବେଶୀ ଭଲ ପାଉଥିଲେ । ଜିଆଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିବା କହିଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ସ୍ୱତନ୍ତ୍ର CBI କୋର୍ଟ ଶେଷ ଥର ପାଇଁ ଯୁକ୍ତି ଶୁଣି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ବହୁଚର୍ଚ୍ଚିତ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ଘଟଣାରେ ସୁରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ସୁରଜ ନିର୍ଦ୍ଦୋଷରେ ଖଲାସ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର CBI କୋର୍ଟ ।

    ସେପଟେ, CBI କୋର୍ଟଙ୍କ ରାୟ ଆସିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଜିଆ ଖାନଙ୍କ ମା’ । ଦୀର୍ଘ ୧୦ ବର୍ଷରେ ବି ନ୍ୟାୟ ମିଳୁନି । ଏହା ଏକ ହତ୍ୟା ଘଟଣା । ତେଣୁ ହାଇକୋର୍ଟରେ ନ୍ୟାୟ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

  • ପରୀକ୍ଷାରେ ବିଫଳ ହେବାରୁ 9 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

    ପରୀକ୍ଷାରେ ବିଫଳ ହେବାରୁ 9 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

    +2 ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଆନ୍ଧ୍ର ପ୍ରଦେଶର ୯ ଜଣ ଛାତ୍ର ଛାତ୍ରୀ ଜୀବନ ହାରିଦେଇଛନ୍ତି। ବୁଧବାର ରାଜ୍ୟର ଏକାଦଶ ଓ ଦ୍ୱାଦଶ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ପରୀକ୍ଷାରେ ପାସ କରିନଥିବାରୁ୯ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ବେଳେ ୨ ଜଣ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ରହିଛି।

    ପରୀକ୍ଷାରେ ବିଫଳତା ପାଇଁ ଶ୍ରୀକାକୁଲମ ଜିଲ୍ଲାର ଟେକ୍କଲି ନିକଟରେ ବି ତରୁଣ ନାମକ ୧୭ ବର୍ଷର ଛାତ୍ର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବିଷାଖାପଟନମର ମଲକାପୁରମ ଥାନା ଅଧୀନ ତ୍ରିନାଥପୁରମରେ ୧୬ ବର୍ଷର ଛାତ୍ରୀ ଏକାଦଶ ପରୀକ୍ଷାରେ ବିଫଳ ହେବାରୁ ଫାଶୀ ଦେଇ ଅତ୍ମହତ୍ୟା କରିଛନ୍ତି। ସେହିପରି କାଞ୍ଚାରପାଲେମର ୧୮ ବର୍ଷର ବି ଜଗଦିଶ ଫାଶୀ ଦେଇ, ଚିତ୍ତୋରର ଅନୁସା(୧୭) ଛାତରୁ ଡେଇଁ ଓ ବାବୁ (୧୭) କୀଟ ନାଶକ ଖାଇ, ଆଙ୍କାପାଲିର ଟି କିରଣ (୧୭) ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

    ଅନ୍ୟପଟେ ଏକାଦଶ ପରୀକ୍ଷାରେ ଚଳିତ ବର୍ଷ ରାଜ୍ୟର ପାସ ହାର ୬୧ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶରେ ୭୨ ପ୍ରତିଶତ ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧିପାଉଥିବା ଆତ୍ମହତ୍ୟା ପ୍ରବଣତା ଓ  ଚାପକୁ ନେଇ ପୋଲିସ ଓ ମାନସ୍ତତ୍ୱବିତ୍ ଉଦବେଗ ପ୍ରକାଶ କରିଛନ୍ତି।

  • କେଉଁ ରୁଟି ଓଲଟାଇବାକୁ କହିଲେ ଶରଦ ପାୱାର?

    କେଉଁ ରୁଟି ଓଲଟାଇବାକୁ କହିଲେ ଶରଦ ପାୱାର?

    ମହାରାଷ୍ଟ୍ରରେ ଜାରି ରାଜନୈତିକ ହଟଚମଟ ଭିତରେ ଆଜି ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି କି, ରୁଟି ଓଲଟାଇବାର ସମୟ ଆସିଛି। ଆଗକୁ ନିଜ ଉକ୍ତିକୁ ଆହୁରି ପ୍ରାଞ୍ଜଳଭାବେ ବୁଝାଇବାକୁ ଯାଇ ସେ କହିଛନ୍ତି କି, କେହି ଜଣେ ମତେ କହିଥିଲେ, ଠିକ ସମୟରେ ରୁଟି ଓଲଟାଇବାକୁ ପଡିଥାଏ। ନହେଲେ ରୁଟି ପୋଡିଯିବ। ତେଣୁ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ଏହା ଉପରେ କାମ କରିବାକୁ ଅରୁରୋଧ କରୁଛି।

    ଶରଦଙ୍କ ଏପରି ବୟାନ ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି।  କାରଣ ଏକନାଥ ସରକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଠୋର ଆଭିମୁଖ୍ୟ ସରକାରର ସ୍ଥିରତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଏପରି ସମୟରେ ସତ୍ତାର ଅଭିଳାଶା ରଖିଥିବା ଏନସିପି ସୁପ୍ରିମୋ ବିଜେପି ସହ ସଲାସୁତୁରା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।  ଏମିତି କି କିଛି ଦିନ ତଳେ ଶରଦ ପାୱାରଙ୍କ ଘରକୁ ଆସି ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଚାର ବିମର୍ଶ କରିଥିଲେ।

    ଅନ୍ୟପଟରେ ବର୍ଷେ ପରେ କାହିଁ ବର୍ତ୍ତମାନ କାହିଁ ମୁଖ୍ୟମନ୍ତ୍ରୀ ହେବି ନାହିଁ, ଏପରି ଏକ ବୟାନ ଅଜିତ ପାୱାରଙ୍କ ଭିତରେ ମୁଖ୍ୟମନ୍ତ୍ରୀ ପାଇଁ ଥିବା ପ୍ରବଳ ଲାଳସାକୁ ସ୍ପଷ୍ଟ କରିଥିଲା।  ଏହା ପୂର୍ବରୁ ମଧ୍ୟ ଅଜିତ ବିଜେପି ସହ ନିଜ ସମର୍ଥକଙ୍କୁ ନେଇ ହାତ ମିଶାଉଥିବା ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପରେ ଅଜିତ ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।

    ସେହିପରି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଏକ ଚାଞ୍ଚଲ୍ୟକର ବୟାନ ଦେଇ ମହାରାଷ୍ଟ୍ର ରାଜନୀତିକୁ ଉଷ୍ଣ କରିଦେଇଥିଲେ। ସେ କହିଥିଲେ ଖୁବ ଶୀଘ୍ର ମହାରାଷ୍ଟ୍ର ସହ କେନ୍ଦ୍ରରେ ଏକ ବିରାଟ ପଟପରିବର୍ତ୍ତନ ହେବ। ଏହି ବୟାନ ପରେ ବିଜେପି ସହ ଶରଦଙ୍କ ମେଣ୍ଟକୁ ନେଇ ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା।

  • ସମଲିଙ୍ଗିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର କଣ କରିବେ: ସିଜେଆଇ

    ସମଲିଙ୍ଗିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର କଣ କରିବେ: ସିଜେଆଇ

    ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ଦାୟର 20 ଯାଚିକାର ଶୁଣାଣି ସମ୍ବିଧାନିକ ପୀଠରେ ଚାଲିଥିବା ବେଳେ, ଆଜିର ଶୁଣାଣି କାଳରେ ସମଲିଙ୍ଗିଙ୍କ ସୁରକ୍ଷାକୁ ନେଇ ଏକାଧିକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି ଖଣ୍ଡପୀଠ। ସମଲିଙ୍ଗି ଦମ୍ପତିଙ୍କୁ ମୌଳିକ ସାମାଜିକ ଅଧିକାର ପ୍ରଦାନ, ସେମାନଙ୍କ ଯୁଗ୍ମ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନଙ୍କୁ କେମିତି ନୋମିନି କରାଯିବ, ତା’ର ବ୍ୟବସ୍ଥା କରାଯିବା ଦରକାର ବୋଲି କୋର୍ଟ କହିଛନ୍ତି।

    ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଗୋଟିଏ ସପ୍ତାହ ଧରି ଶୁଣାଣି କରୁଛନ୍ତି। ଆଜିର ଶୁଣାଣି କାଳରେ ସମଲିଙ୍ଗି ଦମ୍ପତିଙ୍କୁ କେମିତି ମୌଳିକ ସାମାଜିକ ସୁରକ୍ଷା ମିଳିବ ସେନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ସଲିସିଟର ଜେନେରାଲଙ୍କୁ ଉପଯୁକ୍ତ ଜବାବ ମେ’ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।

    ସିଜେଆଇ ପ୍ରଶ୍ନ କରିଛନ୍ତି, ବୈବାହିକ ସମ୍ପର୍କର ପରିଭାଷା କଣ, ବୁଝିବାକୁ ଚାହୁଁ। ଦୀର୍ଘ ବର୍ଷ ପାଇଁ ଏକାଠି ରହିବାକୁ ମଧ୍ୟ ବିବାହର ମାନ୍ୟତା ଦିଆଯାଉଛି। ଏଥିସହ ସଂସଦକୁ ଏହା ଉପରେ ନିଷ୍ପତ୍ତି ନେବାକୁ ସଲିସିଟର ଜେନେରାଲଙ୍କ ପୂର୍ବ ଯୁକ୍ତିକୁ ନେଇ ସିଜେଆଇ କହିଛନ୍ତି କି, ଆମେ ଆପଣଙ୍କ ଯୁକ୍ତିକୁ ଗ୍ରହଣ କରୁଛୁ। ଯଦି ଏହା ସଂସହର କାମ ତା’ହେଲେ, ଏବେ କ’ଣ ହେବ? ସରକାର ସହବାସ ସମ୍ପର୍କ ରଖୁଥିବା ଲୋକଙ୍କ ସହିତ କ’ଣ କରିବେ? ସେମାନଙ୍କ ସାମାଜିକ କଲ୍ୟାଣ ଓ ନିରାପତ୍ତା ପାଇଁ କ’ଣ ପଦକ୍ଷେପ ନିଆଯିବ? ସେମାନଙ୍କ ସାମାଜିକ ବାସନ୍ଦତାକୁ କିପରି ସୁନିଶ୍ଚିତ କରିବେ ସରକାର?

  • ଟ୍ରେନରେ ନିଆଁ ଲାଗି 7 ଜୀବନ୍ତ ଦଗ୍ଧ

    ଟ୍ରେନରେ ନିଆଁ ଲାଗି 7 ଜୀବନ୍ତ ଦଗ୍ଧ

    ପାକିସ୍ତାନରେ ଏକ ବଡ ଧରଣର ଅଘଟଣ। ସିନ୍ଧ କ୍ଷେତ୍ରରେ ଏକ ଟ୍ରେନରେ ନିଆଁ ଲାଗି 7 ଜଣ ଜୀବନ୍ତ ଦଗ୍ଧ। ମୃତକଙ୍କ ମଧ୍ୟରେ 3 ଶିଶୁ ମଧ୍ୟ ଅଛନ୍ତି। ବୁଧବାର ରାତିରେ ଟ୍ରେନଟି କରାଚିରୁ ଲାହୋର ଯିବା ବେଳେ ବିଜନେସ କ୍ଲାସରେ ନିଆଁ ଲାଗି ଯାଇଥିଲା। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣା ପଡି ନ ଥିବା ବେଳେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    ଏହି ଟ୍ରେନ ଅଗ୍ନିକାଣ୍ଡ ସମ୍ପର୍କରେ ପାକିସ୍ତାନ ରେଲବାଇ ପ୍ରବକ୍ତା ମକସୁଦ କୁଣ୍ଡି କହିଛନ୍ତି କି, ଟ୍ରେନରେ ନିଆଁ କିପରି ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ନିଆଁ ଲାଗିବା ପରେ ବଗିକୁ ଟ୍ରେନରୁ ଅଲଗା କରି ଦିଆଯାଇଥିଲା। କୁଣ୍ଡି ଆହୁରି ତଥ୍ୟ ଦେଇଛନ୍ତି କି, ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚି ଯାଇଛି।  ମୃତକଙ୍କ ମଧ୍ୟରେ ତିନି ଶିଶୁଙ୍କ ସହ ଜଣେ ମହିଳା ଅଛନ୍ତି। ରେଳ ମନ୍ତ୍ରଣାଳୟ ଉଚ୍ଚ ସ୍ତରୀୟ ଯାଞ୍ଚର ଆଦେଶ ଦେଇଛନ୍ତି। ଟ୍ରେନରେ ନିଆଁ ଲାଗିବା ପରେ ଟ୍ରେନକୁ ଟାଣ୍ଡୋ ମସ୍ତି ଖାନ ଷ୍ଟେସନରେ ଅଟକାଯାଇଥିଲା।

    ସୂଚନା ପାଇ ଫାୟାରବ୍ରିଗେଡ ଘଟଣାସ୍ଥଳରେ ପହଞ୍ଚି ଫାୟାର ବ୍ରିଗେଡ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଦେଇଥିଲା। ପ୍ରାୟ 40 ମିନିଟର କଠିନ ପରିଶ୍ରମ ପରେ ନିଆଁ ଉପରେ ଆୟତ୍ତ ମିଳିଥିଲା।

  • ପଶ୍ଚିମବଙ୍ଗ: ରାମନବମୀ ହିଂସାର ତଦନ୍ତ କରିବ ଏନଆଇଏ

    ପଶ୍ଚିମବଙ୍ଗ: ରାମନବମୀ ହିଂସାର ତଦନ୍ତ କରିବ ଏନଆଇଏ

    କୋଲକାତା ହାଇକୋର୍ଟ ଚଳିତ ରାମ ନବମୀରେ ପଶ୍ଚିମ ବଙ୍ଗରେ ହୋଇଥିବା ହିଂସାର ଏନ୍‌ଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାମନବମୀ ହିଂସାକାଣ୍ଡର ଏନଆଇଏ ତଦନ୍ତ ଦାବି କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।

    ହାଇକୋର୍ଟ ଅଧିକାରୀଙ୍କ ଯାଚିକାର ଶୁଣାଣି କରି ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ସପ୍ତାହ ଭିତରେ ରିପୋର୍ଟ ଦଖଲ କରିବାକୁ କହିଛନ୍ତି। ପୋଲିସକୁ ମଧ୍ୟ ଏଫଆଇଆର ଓ ସିସିଟିଭି ଫୁଟେଜ  ହସ୍ତାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

    ପଶ୍ଚିମବଙ୍ଗର ହାୱଡ଼ା, ହୁଗଲୀ ଓ ଡାଲଖୋଲାରେ ରାମ ନବମୀ ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ସଂଘର୍ଷ ଲାଗିଥିଲେ। ଉତ୍ୟକ୍ତ ଲୋକେ ଗାଡ଼ି ଜଳାପୋଡ଼ା  କରିବା ସହ ଦୋକାନ ଭଙ୍ଗାରୁଜା, ପଥର ମାଡ଼ କରିଥିବା ଦେଖିବାକୁ ମିଳିଥିଲା।

  • ପଶ୍ଚିମବଙ୍ଗରେ ତେଜୁଛି ଉତ୍ତେଜନା: ଭିଡ ଆଗରେ ଅସହାୟ ପୋଲିସ

    ପଶ୍ଚିମବଙ୍ଗରେ ତେଜୁଛି ଉତ୍ତେଜନା: ଭିଡ ଆଗରେ ଅସହାୟ ପୋଲିସ

    ପଶ୍ଚିମ ବଙ୍ଗରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହିଂସା ଉଗ୍ର ହେବାରେ ଲାଗିଛି। ଆଦିବାସୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଛି ପୋଲିସ ପ୍ରଶାସନ। ଏମିତି କି ଲୋକଙ୍କ ଆକ୍ରମଣରେ ଅସହାୟ ପୋଲିସ କର୍ମକର୍ତ୍ତା ବିକଳ ହୋଇ ନିଜ ଜୀବନ ଭିକ୍ଷା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ପଡୋଶୀ ରାଜ୍ୟରେ। ରକ୍ତ ଜୁଡୁବୁଡୁ ପୋଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ଲୋ଼ଡୁଥିବା ବେଳେ ପୁଣି ଲୋକଙ୍କ ଆକ୍ରମଣର ହୋଇଛନ୍ତି ଶିକାର।

    ଉତ୍ତର ଡିନାଜପୁର ଜିଲ୍ଲାର ଜଣେ ବ୍ୟକ୍ତି କାଲିଗଞ୍ଜ ଥାନାଠାରୁ ମାତ୍ର କିଛି ଦୂରରେ ଥିବା ତାଙ୍କ 10×8 ଫୁଟ ଘରେ ବସି ଟିଭି ଦେଖୁଥିବା ବେଳେ କେହି ତାଙ୍କ କବାଟ ବାଡେଇ ଥିଲେ। ସେ କବାଟ ଖୋଲି ଦେଖନ୍ତି, ୟୁନିଫର୍ମରେ ଥିବା 20-25 ପୋଲିସ କର୍ମୀ ତାଙ୍କ ଘରେ ଆଶ୍ରୟ ଚାହିଁ ଥିଲେ। କାରଣ ସେମାନଙ୍କ ପଛରେ ପଡିଥିଲେ ଶହ ଶହ ସଂଖ୍ୟାରେ ଆଦିବାସୀ। ସେମାନେ ଘର ଭିତରେ ବିକଳ ହୋଇ ପସିବା ବେଳେ 100ରୁ 200 ଆଦିବାସୀ ହାତରେ ଲୁହା ରଡ, ଠେଙ୍ଗା, ବାଡି, ଇଟା ପଥର ଧରି ସେଠାରେ ପହଞ୍ଚିଯାଇଥିଲେ। ଭିଡ ଘରର ଝରକା ଭାଙ୍ଗି ଭିତରେ ପସି ପୋଲିସଙ୍କୁ ଆକ୍ରମଣ କରିଥିଲେ। ପୋଲିସ ବିକଳ ହୋଇ ଭିଡ ନିକଟରେ ଜୀବନ ଭିକ୍ଷା କରୁଥିଲେ, ସେମାନଙ୍କ ଶରୀରରୁ ଝରୁଥିଲା ଲୁହର ଧାର।

    ସୂଚନାଯୋଗ୍ୟ,  କିଛି ଦିନ ତଳେ ଉତ୍ତର ଦିନଜପୁରରେ ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା, ଯାହାକୁ ନେଇ ସମ୍ପୃକ୍ତ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ  ଗ୍ରହଣ କରିନଥିଲା ପୋଲିସ ଓ ତେଜିଥିଲା ଉତ୍ତେଜନା। ଉତ୍ୟକ୍ତ ଲୋକେ କାଲିଗଞ୍ଜ ଥାନାରେ ନିଆଁ ମଧ୍ୟ ଲଗାଇଦେଇଥିଲେ, ଯେଉଁଥିରେ 17 ଜଣ ପୋଲିସ ପୋଡିଯାଇଥିବା ବେଳେ 2 ଜଣଙ୍କ ସ୍ଥିତି ଗୁରୁତର ରହିଛି।

  • ଅନ୍ଧବିଶ୍ବାର ଶିକାର ହୋଇ ପାଦ୍ରୀଙ୍କ କଥା ମାନି ଜୀବନ ହାରିଲେ 73 ଜଣ

    ଅନ୍ଧବିଶ୍ବାର ଶିକାର ହୋଇ ପାଦ୍ରୀଙ୍କ କଥା ମାନି ଜୀବନ ହାରିଲେ 73 ଜଣ

    ଏକବିଂଶ ଶତାବ୍ଦିରେ ବି ଏମିତି କିଛି ଅନ୍ଧବିଶ୍ବାସ ଜନିତ ଘଟଣା ଘଟୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ଧର୍ମ ଆଳରେ ଏକ ଅଧର୍ମ ଘଟଣା ଘଟିଛି । ଜଣେ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ୭୩ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜଣେ ପାଦ୍ରୀ ନିଜକୁ ଜିଶୁଖ୍ରୀଷ୍ଟଙ୍କ
    ଅନିଗାମୀ ଦର୍ଶାଇ ଏମିତି କାଣ୍ଡ କରିଛନ୍ତି ।

    ଆଫ୍ରିକୀୟ ଦେଶ କେନିୟାରେ ଜଣେ ପାଦ୍ରୀ କିଛି ଲୋକଙ୍କୁ ସ୍ୱର୍ଗପ୍ରାପ୍ତି ପାଇଁ ପ୍ରବର୍ତ୍ତାଇଥିଲେ । ତେଣୁ ସେ ପ୍ରଭୁ ଜିଶୁଙ୍କ ନାମ ନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ପାଦ୍ରୀ କହିଥିଲେ, ଉପବାସ ରହି ପ୍ରାଣ ହରାଇଲେ ସ୍ବାର୍ଗପ୍ରାପ୍ତି ହେବ । ଏହାକୁ ବିଶ୍ବାସ କରି ଅନ୍ଧବିଶ୍ବାସରେ ଛନ୍ଦି ହୋଇଥିବା ଅନୁଗାମୀମାନେ ଉପବାସ କରିବା ଆରମ୍ଭ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଅନୁଗାମୀଙ୍କର ମୃତ୍ୟୁ ହେବା ଆରମ୍ଭ କରିଥିଲା । ଏହି ଘଟଣା ଚାରିଆଡେ ପ୍ରଘଟ ହୋଇଯିବା ଡରରେ ପାଦ୍ରୀଙ୍କ ଶିଷ୍ୟ ମାନେ ସେମାନଙ୍କ ଶବକୁ ନେଇ କିଲ୍ଫି ଅଞ୍ଚଳରେ ଥିବା ଶାକାହୋଲା ଜଙ୍ଗଲରେ ପୋତି ଦେଉଥିଲେ ।

    ଏହି ଖବରେ କେନିଆ ପୋଲିସ କାନରେ ପଡିବା କ୍ଷଣି ସେମାନେ ଘଟଣା ସ୍ଥଳର ପହଞ୍ଚି କବରରେ ଥିବା ଶବ ଗୁଡିକର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ୭୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ସବୁଠୁ ଆଶ୍ଟର୍ଯ୍ୟ କଥା ହେଉଛି ଉଦ୍ଧାର ହୋଇଥିବା ଶବ ଗୁଡିକ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତ ।

    ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶାକାହୋଲା ଗାଁରେ ପାଦ୍ରୀ ପର୍ଲ ମାକେଜୀ ନଥେଙ୍ଗେ ଗୁଡନ୍ୟୁଜ ଇଣ୍ଟରନ୍ୟାସନାଲ ଚର୍ଚ୍ଚର ପରିଚାଳନା କରୁଥିଲେ । ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଜିଶୁଙ୍କ ସହିତ ଭେଟ କରାଇଦେବା ନାଁରେ ସେ ଏପରି ନରସଂହାର କରିଚାଲିଥିଲେ । ପୋଲିସ ସେହି ଭଣ୍ଡ ପାଦ୍ରୀକୁ ଗିରଫ କରିଛି ।

  • ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ଆମ ଦେଶରେ ଦୀପାବଳିକୁ ବେଶ ଜାକଜମକରେ ପାଳନ କରାଯାଇଥାଏ। ତେବେ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପାନସିଲଭାନିଆରେ ଦୀପାବଳି କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆ ଷ୍ଟେଟ ସିନେଟରେ ବିଧିବଦ୍ଧ ଭାବେ ଏକ ବିଲ ପାରିତ ହୋଇଛି। ଏନେଇ ପେନସିଲଭାନିଆ ସିନେଟର ଜଣେ ସଦସ୍ୟ ନିକିଲ ସାଭାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

    ନିକିଲ ତାଙ୍କ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି କି, ସିନେଟର ଗ୍ରେଜ ରୋଥମାନଙ୍କ ପ୍ରତି ମୁଁ କୃତଜ୍ଞ କି ସିନେଟରେ ବିଲ ଉପସ୍ଥାପନ ପାଇଁ ମୋତେ ସୁଯୋଗ ଦିଆଯାଇଥିଲା। ସେ ଆହୁରି ଟ୍ୱିଟ କରି ଉଲ୍ଳେଖ କରିଛନ୍ତି କି, ଦୀପାବଳିକୁ ସର୍ବସମ୍ମତି କ୍ରମେ ସିନେଟ ସରକାରୀ ଛୁଟି ଭାବେ ସ୍ୱୀକୃତି ପ୍ରଦାନ କରିଛି। ପେନସିଭାନିଆବାସୀ ଯେଉଁମାନେ ଏହାକୁ ଆଲୋକର ପର୍ବ ଭାବେ ପାଳିଥାନ୍ତି ବା ପର୍ବ ସହ ଜଡିତଥାନ୍ତି, ସେମାନେ ଆପଣଙ୍କ କାର୍ଯ୍ୟ ଦେଖିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଗ୍ରେଜ ରୋଥମାନ ମଧ୍ୟ ଟ୍ୱିଟ କରି ପେନସିଲଭାନିଆ ସିନେଟରେ ଏହି ବିଲକୁ 50-0ରେ ସ୍ୱୀକୃତି ଦିଆଯାଇଥିବା ଜଣାଇଛନ୍ତି।

    ଆଧିକାରିକ ବିଜ୍ଞପ୍ତିରେ ଗ୍ରେଜ ରୋଥମାନ କହିଛନ୍ତି କି, ପ୍ରତିବର୍ଷ ପେନସିଲଭାନିଆରେ ହଜାର ହଜାର ଲୋକ ଦୀପାବଳି ପାଳନ କରିଥାନ୍ତି। ଏହି ପର୍ବକୁ ସରକାରୀ ଛୁଟି ଭାବେ ସ୍ୱୀକୃତି ଦେଇ ଆମେ ଆମର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା।

    ସେ ଆହୁରି କହିଛନ୍ତି କି, ପେନସିଲଭାନିଆରେ ରହୁଥିବା ଦକ୍ଷିଣ ଏସୀୟ ବାସିନ୍ଦାମାନେ ଦୀପାବଳୀକୁ ସମୟର ପ୍ରତିଫଳନ ଓ ଏକତା ଭାବେ ଗ୍ରହଣ କରିଥାନ୍ତି। ଏହି ଆଲୋକର ପର୍ବରେ 2 ଲକ୍ଷ ଲୋକେ ମନ୍ଦିରର, ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ପର୍ବ ନଭେମ୍ବର 12ରେ ପାଳିତ ହେବ।