କେଉଁ ରୁଟି ଓଲଟାଇବାକୁ କହିଲେ ଶରଦ ପାୱାର?

ମହାରାଷ୍ଟ୍ରରେ ଜାରି ରାଜନୈତିକ ହଟଚମଟ ଭିତରେ ଆଜି ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି କି, ରୁଟି ଓଲଟାଇବାର ସମୟ ଆସିଛି। ଆଗକୁ ନିଜ ଉକ୍ତିକୁ ଆହୁରି ପ୍ରାଞ୍ଜଳଭାବେ ବୁଝାଇବାକୁ ଯାଇ ସେ କହିଛନ୍ତି କି, କେହି ଜଣେ ମତେ କହିଥିଲେ, ଠିକ ସମୟରେ ରୁଟି ଓଲଟାଇବାକୁ ପଡିଥାଏ। ନହେଲେ ରୁଟି ପୋଡିଯିବ। ତେଣୁ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ଏହା ଉପରେ କାମ କରିବାକୁ ଅରୁରୋଧ କରୁଛି।

ଶରଦଙ୍କ ଏପରି ବୟାନ ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି।  କାରଣ ଏକନାଥ ସରକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଠୋର ଆଭିମୁଖ୍ୟ ସରକାରର ସ୍ଥିରତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଏପରି ସମୟରେ ସତ୍ତାର ଅଭିଳାଶା ରଖିଥିବା ଏନସିପି ସୁପ୍ରିମୋ ବିଜେପି ସହ ସଲାସୁତୁରା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।  ଏମିତି କି କିଛି ଦିନ ତଳେ ଶରଦ ପାୱାରଙ୍କ ଘରକୁ ଆସି ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଚାର ବିମର୍ଶ କରିଥିଲେ।

ଅନ୍ୟପଟରେ ବର୍ଷେ ପରେ କାହିଁ ବର୍ତ୍ତମାନ କାହିଁ ମୁଖ୍ୟମନ୍ତ୍ରୀ ହେବି ନାହିଁ, ଏପରି ଏକ ବୟାନ ଅଜିତ ପାୱାରଙ୍କ ଭିତରେ ମୁଖ୍ୟମନ୍ତ୍ରୀ ପାଇଁ ଥିବା ପ୍ରବଳ ଲାଳସାକୁ ସ୍ପଷ୍ଟ କରିଥିଲା।  ଏହା ପୂର୍ବରୁ ମଧ୍ୟ ଅଜିତ ବିଜେପି ସହ ନିଜ ସମର୍ଥକଙ୍କୁ ନେଇ ହାତ ମିଶାଉଥିବା ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପରେ ଅଜିତ ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।

ସେହିପରି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଏକ ଚାଞ୍ଚଲ୍ୟକର ବୟାନ ଦେଇ ମହାରାଷ୍ଟ୍ର ରାଜନୀତିକୁ ଉଷ୍ଣ କରିଦେଇଥିଲେ। ସେ କହିଥିଲେ ଖୁବ ଶୀଘ୍ର ମହାରାଷ୍ଟ୍ର ସହ କେନ୍ଦ୍ରରେ ଏକ ବିରାଟ ପଟପରିବର୍ତ୍ତନ ହେବ। ଏହି ବୟାନ ପରେ ବିଜେପି ସହ ଶରଦଙ୍କ ମେଣ୍ଟକୁ ନେଇ ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା।

Leave a Reply

Your email address will not be published. Required fields are marked *