ଜିଆଙ୍କ ମୃତ୍ୟୁ କିପରି ? ନ୍ୟାୟ ଅପେକ୍ଷାରେ ୧୦ ବର୍ଷ !

ଆଉ ମାତ୍ର କେଇଟା ଦିନ ମାନେ ଜୁନ୍ ୩ ତାରିଖକୁ ଅପେକ୍ଷା । ବଲିଉଡ୍ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ୧୦ ବର୍ଷ ପୂର୍ତ୍ତି ହେବ । ଏହା ପୂର୍ବରୁ ଆଜି ଆଉ ଏକ ବଡ଼ ଖବର ଆସିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର CBI କୋର୍ଟ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି ।

୩ ଜନ୍, ୨୦୧୩ । ମୁମ୍ବାଇ ଜୁହୁସ୍ଥିତ ଘରୁ ଅଭିନେତ୍ରୀ ଜିଆ ଖାନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସ୍‌କୁ ସେଠାରୁ ୬ ପୃଷ୍ଠାର ଏକ ଚିଠି ମଧ୍ୟ ମିଳିଥିଲା । ଏଥିରେ ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜଙ୍କ ସହ ଥିବା ସମ୍ପର୍କ ନେଇ ନେଇ ଉଲ୍ଲେଖ ରହିଥିଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ସୂରଜ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଚିଠିରେ ଲେଖାଥିଲା । ଚିଠି ଆଧାରରେ, ଜିଆଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସୂରଜଙ୍କୁ ଗିରଫ କରିଥିଲା ପୋଲିସ । ତେବେ ୨୦୧୩ ଜୁନରେ ଗିରଫ ପରେ ୨୦୧୩ ଜୁଲାଇରେ ବେଲ୍ ପାଇଥିଲେ ସୂରଜ ।

ଏପ୍ରିଲ ୧୨ ତାରିଖରେ ସୂରଜ ନିଜ ପକ୍ଷ ରଖିଥିଲେ । ସେ ଜିଆଙ୍କୁ ବେଶୀ ଭଲ ପାଉଥିଲେ । ଜିଆଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିବା କହିଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ସ୍ୱତନ୍ତ୍ର CBI କୋର୍ଟ ଶେଷ ଥର ପାଇଁ ଯୁକ୍ତି ଶୁଣି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ବହୁଚର୍ଚ୍ଚିତ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ଘଟଣାରେ ସୁରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ସୁରଜ ନିର୍ଦ୍ଦୋଷରେ ଖଲାସ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର CBI କୋର୍ଟ ।

ସେପଟେ, CBI କୋର୍ଟଙ୍କ ରାୟ ଆସିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଜିଆ ଖାନଙ୍କ ମା’ । ଦୀର୍ଘ ୧୦ ବର୍ଷରେ ବି ନ୍ୟାୟ ମିଳୁନି । ଏହା ଏକ ହତ୍ୟା ଘଟଣା । ତେଣୁ ହାଇକୋର୍ଟରେ ନ୍ୟାୟ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *