Category: ଜିଲ୍ଲା

  • ଅଧିକାରୀ ସାମଲ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଅଧିକାରୀ ସାମଲ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଢେଙ୍କାନାଳରେ କ୍ରିକେଟ୍ ମ୍ୟାଚର ମଜା । ଦ୍ୱିତୀୟ ଅଧିକାରୀ ସାମଲ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ସମାଜସେବୀ ଗଙ୍ଗାଧର ସାମଲ । ଏହା ସମ୍ପୂର୍ଣ୍ଣ ଭାବେ ଫ୍ଲଡ୍ ଲାଇଟରେ ଖେଳାଯିବ । ମ୍ୟାଚ୍ ମଜା ନେବା ପାଇଁ ଦର୍ଶକଙ୍କ ଭିଡ଼ ମଧ୍ୟ ଜମିଛି ।

    କ୍ରିକେଟ୍ ଟୁର୍ଣ୍ଣମେଣ୍ଟକୁ ଆୟୋଜନ କରିଛି ମହାବୀର ବଜାର କ୍ରିକେଟ୍ କ୍ଲବ୍ । ଚଳିତଥର ୧୬ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ବଛାବଛା ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ଚାମ୍ପିଅନ୍ ଟିମକୁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ମ୍ୟାନ୍ ଅଫ୍ ଦି ମ୍ୟାଚ୍, ମ୍ୟାନ୍ ଅଫ୍ ଦି ସିରିଜ୍, ବେଷ୍ଟ ସିକ୍ସର ଭଳି ପ୍ରାଇଜ୍ ରଖାଯାଇଛି ।

    ଗତବର୍ଷ ପ୍ରଥମ ଥର ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା । ଏଥର ଦ୍ୱିତୀୟ ଥର ପାଇଁ ଆୟୋଜନ ହୋଇଛି ଟୁର୍ଣ୍ଣାମେଣ୍ଟ । ସାମଲ ପରିବାର ପକ୍ଷରୁ ଆୟୋଜକଙ୍କୁ ଧନ୍ୟବାଦ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରି ଦର୍ଶକ ଏହାର ମଜା ନିଅନ୍ତୁ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

  • ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ । ଜିଲ୍ଲା ପ୍ରଶାସନ ବି ଖୁସ୍ । କାହିଁକି ନା ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତିଙ୍କ ଠାରୁ ଆୱାର୍ଡ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି ।

    ନୂଆଦିଲ୍ଲୀ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାହୋଲ ଥିଲା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବ । ଏହି ଅବସରରେ ଗଞ୍ଜାମ ଜିଲ୍ଲାକୁ ୬ଟି ବିଭାଗରେ ପୁରସ୍କୃତ କରାଯାଇଥିଲା । ରାଷ୍ଟ୍ରପତି, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଆୱାର୍ଡ ଗ୍ରହଣ କରି ବେଶ୍ ଖୁସି ଅନୁଭବ କରିଛନ୍ତି ପ୍ରଶାସନିକ ଅଧିକାରୀ ।

    ଦେଶରେ ସବୁଠୁ ଭଲ ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରାଯାଇଛି । ବେଷ୍ଟ ବ୍ଲକ୍ ଭାବେ ‘ହିଞ୍ଜିଳିକାଟୁ’କୁ ଆୱାର୍ଡ ମିଳିଛି । ସେହିପରି ହିଞ୍ଜିଳିକାଟୁର କାଞ୍ଚୁରୁ’କୁ ଦେଶର ଭଲ ସ୍ୱାସ୍ଥ୍ୟ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି । ଏଥିସହ ସେହି ବ୍ଲକର ଶାସନ ଆମ୍ବଗାଁ ପଞ୍ଚାୟତକୁ କ୍ଲିନ୍ ଏବଂ ଗ୍ରୀନ୍ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ଭଞ୍ଜନଗର ବ୍ଲକରେ ଥିବା କୁଲଦା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ପୁରସ୍କାର । ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ କ୍ୟାଟେଗୋରୀରେ ଦ୍ୱିତୀୟ ପୁରସ୍କାର ପାଇଛି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ।

    ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପୁରସ୍କାର ପାଇଥିବା ପଞ୍ଚାୟତର ଅଧିକାରୀମାନେ ଉପସ୍ଥିତ ଥିଲେ ।

  • ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

    ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

    କଟକ ଲିଙ୍କ୍ ରୋଡରେ ଅଗ୍ନିକାଣ୍ଡ ଘଟିଛି । ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିବାରୁ ଏହା ହୁତୁହୁତୁ ହୋଇ ଜଳିଗଲା । ଚାରିଆଡ଼କୁ ନିଆଁ ବ୍ୟାପିଯାଇଥିଲା । ତେବେ ବସରେ କୌଣସି ଯାତ୍ରୀ ନଥିବାରୁ ଜୀବନହାନୀ ହୋଇନି । କେବଳ ବସଟି ପୋଡ଼ିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । କାଳବିଳମ୍ବ ନକରି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ଟିମ୍ । ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ନିଆଁ ଚାରିଆଡୁକୁ ବ୍ୟାପିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ତେବେ, ଠିକ୍ ସମୟରେ ନିଆଁ ଲିଭାଇ ଦେଇଥିଲା ଅଗ୍ନିଶମ ବିଭାଗ । ବସରେ କିଭଳି ନିଆଁ ଲାଗିଲା ସେ ନେଇ କୌଣସି ସଠିକ୍ ଉତ୍ତର ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

  • ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କା, ପୁଣି ୨୪ ଘଣ୍ଟା ବନ୍ଦ

    ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କା, ପୁଣି ୨୪ ଘଣ୍ଟା ବନ୍ଦ

    ସମ୍ବଲପୁର ଜିଲ୍ଲା ହନୁମାନ ଜୟନ୍ତୀ ହିଂସାରେ ଗିରଫଦାରୀ ସଂଖ୍ୟା ବଢୁଥିବା ବେଳେ କଟକଣା ଅବଧି ମଧ୍ୟ ବୃଦ୍ଧି ହୋଇଛି । ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧିକୁ ପୁଣି ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି ।

    ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ପରେ ପୁଣି ଥରେ ଏହାକୁ ବୃଦ୍ଧି କରାଯାଇଛି । ୧୩ ତାରିଖରେ ଆରମ୍ଭ କଟକଣାକୁ ପୁଣି ୧୫ ତାରିଖରେ ବୃଦ୍ଧି କରାଯାଇଥିଲା । ଆଜି ସକାଳ ୧୦ଟାରେ ଅବଧି ସରିବାକୁ ଥିବାବେଳେ ପୁଣି ଥରେ ବଢ଼ିଛି । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କା ରହିଛି । ତେଣୁ ଗୃହ ବିଭାଗ ପୁଣି ଥରେ ଇଣ୍ଟରନେଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ।

    ସେପଟେ ସମ୍ବଲପୁରରେ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତିରେ ସୁଧାର ଆସୁଥିବାରୁ ପ୍ରଶାସନ କର୍ଫ୍ୟୁକୁ ପୁଣି କୋହଳ କରିଛି । ସକାଳେ ଏବଂ ଅପରାହ୍ଣରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ୨ ଘଣ୍ଟିଆ କୋହଳ କରାଯାଇଥିଲା । ଏବେ କିନ୍ତୁ ସମୟ ବଢ଼ାଯାଇଛି । ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ଣରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ ରହିବ ବୋଲି ପ୍ରଶାସନ କହିଛି । ଅନ୍ୟପଟେ,ହିଂସା ଘଟଣାରେ ଆଉ ୬ ଜଣ ଗିରଫ ହୋଇଛନ୍ତି । ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି ।

  • ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ହୋଇଛି । ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି ରାଜ୍ୟ ସଭାପତି । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ଅଛନ୍ତି । ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି ।

    ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ଆସନ ହାତେଇବା ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ନିର୍ବାଚନ ସୁପରିଚାଳନା ପାଇଁ ୨ଟି କମିଟିର ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜୟ ନାରୟଣ ମିଶ୍ର, କେ.ଭି.ସିଂଦେଓଙ୍କ ଭଳି ନେତା ଅଛନ୍ତି । ସେହିପରି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୋହନ ମାଝି, ପ୍ରଦୀପ ପୁରୋହିତ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି ।

  • ସୀମା ବିବାଦକୁ ନେଇ ଗଣ୍ଡଗୋଳ, ପୋଲିସ ମୁତୟନ

    ସୀମା ବିବାଦକୁ ନେଇ ଗଣ୍ଡଗୋଳ, ପୋଲିସ ମୁତୟନ

    ଭଦ୍ରକ ଜିଲ୍ଲାର ଆପଣ୍ଡା ଓରାଳି ମଧ୍ୟରେ ବହୁ ଦିନରୁ ସୀମା ବିବାଦ ଲାଗିରହିଛି । ଏବେ ଏହା ତୀବ୍ର ରୂପ ନେଇଛି । ପୂର୍ବରୁ ବନ୍ତ ତହସିଲଦାରଙ୍କ ନିର୍ଦ୍ଦେଶରେ ଆପଣ୍ଡା ଓରାଳି ବିବାଦୀୟ ସ୍ଥାନରେ ମାପ କରିଥିଲେ । କିନ୍ତୁ ଏହି ମାପରେ ଅସନ୍ତୁଷ୍ଟ ପରେ ତୁମୁଳ କାଣ୍ଡ ଘଟିଛି ।

    ଗତକାଲି କାର୍,ବାଇକ୍ ସହ ଦୋକାନବଜାର ପୋଡ଼ାଜଳା କରାଯାଇଛି । ଭଦ୍ରକ କେନ୍ଦୁଝର ସୀମାନ୍ତ ଆପଣ୍ଡା ଛକରେ ସୀମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଦୁଇ ଗାଁ ମଧ୍ୟରେ ସୀମାକୁ ନେଇ ଗଣ୍ଡଗୋଳ ପରେ ଆପଣ୍ଡା ଛକରେ ଦୋକାନ, ୪ ବାଇକ ସହ ଦୁଇ କାର୍ ପୋଡ଼ାଜଳା ହୋଇଛି । ଘଟଣାସ୍ଥଳରେ ବନ୍ତ ଏବଂ ନନ୍ଦିପଦା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଛି । ଉତ୍ତେଜନାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଓରାଳି ଛକଟି ପୂର୍ବରୁ ଆନନ୍ଦପୁର ଅଧିନରେ ଯାଉଥିଲା । ସୀମା ନିର୍ଦ୍ଧାରଣ ବେଳେ ଏହା ଭଦ୍ରକ ଜିଲ୍ଲା ଅଧିନରେ ଥିବା ଜଣାପଡ଼ିଛି । ତେବେ ଏହି ସୀମା ନିର୍ଦ୍ଧାରଣକୁ ଉଭୟ ପକ୍ଷ ନିଜର ବୋଲି ଦାବି କରିବା ସହ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

  • ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ଏବେ ସବୁଠି IPL କ୍ରେଜ୍ । ମ୍ୟାଚ୍‌ର ମଜା ନେଉନେଉ ଜଣେ ପୋଲିସ କନଷ୍ଟେବଲ୍‌ ଜିଓ ସିନେମା ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହେଲେ ସେ ଜାଣି ନଥିଲେ ଯେ ତାଙ୍କୁ ଦିନେ ପୁରସ୍କାର ମିଳିବ । ତାହା ପୁଣି ଗୋଟିଏ ଚିକ୍‌ମିକ୍‌ ବୋଲେନୋ କାର୍‌। ପୁରସ୍କାର ପାଇ ସେ ବେଶ୍‌ ଖୁସି ଅଛନ୍ତି । ସେ ଦେଶର ଏକମାତ୍ର ଭାଗ୍ୟବାନ ବ୍ୟକ୍ତି ଯିଏ ଏଭଳି ପୁରସ୍କାର ଜିତିବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ନାଁ ଭୀମସେନ ମହାନ୍ତି । ସେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସାର ବାସିନ୍ଦା ।

    ଫଟାଫଟ୍ କ୍ରିକେଟ୍ IPL ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଛି । ମ୍ୟାଚର ସିଧା ପ୍ରସାରଣ ଜିଓ ସିନେମା ଆପ୍‌ ମାଧ୍ୟମରେ ‌ମାଗଣା ଦେଖିପାରୁଛନ୍ତି ଦର୍ଶକ । ତେବେ ମ୍ୟାଚ୍‌ ବେଳେ ଜିଓ କମ୍ପାନି ପକ୍ଷରୁ ଏକ ପ୍ରତିଯୋଗିତା ହେଉଛି । ଦେଶର ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ବୋଲେନୋ କାର୍‌ ରହିଛି । ଗତ ୮ ତାରିଖରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର କନ୍‌ଷ୍ଟେବଲ୍ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତ ମଧ୍ୟ ଖେଳ ଦେଖୁଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରେ ଲଟେରି ହୋଇ ପରଦିନ ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ବୋଲେନୋ କାର୍‌ ଜିତିଥିଲେ ଭୀମସେନ । ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ସେ ବହୁତ ଖୁସି ଅନୁଭବ କରିଥିଲେ । କମ୍ପାନି ପକ୍ଷରୁ ୧୩ ଏପ୍ରିଲ୍ ୨୦୨୩ରେ ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଚିକ୍‌ମିକ୍‌ କରୁଥିବା ଏକ ବୋଲେନୋ କାର୍‌ ପୁରସ୍କାର ସ୍ବରୂପ ତାଙ୍କୁ ଦିଆଯାଇଥିଲା । କିନ୍ତୁ ସେ ପୁରସ୍କାର ଜିତିବା ଲକ୍ଷ୍ୟ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ ବୋଲି କହିଛନ୍ତି ଭୀମସେନ ।

  • ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୁଷ୍ଟ ହୋଇଥିଲେ ।

    ଏଥିସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ବାସେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ୪ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

    ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ କାର୍ ଓ ବସ୍ ପାର୍କିଂ କାର୍ଯ୍ୟ ମଧ୍ୟ ଭି.କେ ପାଣ୍ଡିଆନ ବୁଲି ଦେଖିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସହ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ପାଣ୍ଡିଆନ ପୁରୀ ଗସ୍ତ କରିଥିଲେ ।

  • ମେଡିକାଲରେ ଜୀବନ ହାରିଲେ ଗର୍ଭବତୀ ଓ ଶିଶୁ

    ମେଡିକାଲରେ ଜୀବନ ହାରିଲେ ଗର୍ଭବତୀ ଓ ଶିଶୁ

    କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମହିଳାଙ୍କ ସହ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ ।

    ସାହରପଡ଼ା ବ୍ଳକ୍ ଉଦୟପୁର ଗାଁର ରାଜ କିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କୁ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ତାଙ୍କୁ ଉଦୟପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସାରେ ଅବହେଳା କରିଥିଲେ । ଗୁରତର ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଥିଲା । ଏଠାରେ ମଧ୍ୟ ଠିକ୍ ସମୟରେ ଚିକିତ୍ସା ନ ହେବାରୁ ମହିଳା ଏବଂ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ, ମୃତକଙ୍କ ଶବ ପାଇନଥିବାରୁ ମେଡିକାଲ ଫାଣ୍ଡି ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ …। ଅନ୍ୟପଟେ, ଡାକ୍ତରଙ୍କ ଅବହେଳାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସ୍ୱୀକାର କରିଛନ୍ତି । ରୋଗୀ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ଶବ ବ୍ୟବଛେଦ ପାଇଁ ରଖାଯାଇଥିବା କହିଛନ୍ତି ଅଧିକାରୀ ।

  • ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    ଆତ୍ମନିର୍ଭରଶୀଳ ହେବା ସହ ଚାକିରି ଦେଲେ ସୁରତ

    କେହି କେବେ କଳ୍ପନା କରିନଥିଲେ । ସେମିତି କା‌ମ କରି‌‌ ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବଚାଷୀ । ପାହାଡ଼ିଆ ମାଟିରେ କ୍ୟାପ୍‌ସିକମ୍‌ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ । ସେହିପରି ଫଳ ଓ ପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି।

    ବାଲେଶ୍ବର ବାହାନଗା ବ୍ଲକ୍‌ ଅଧୀନ ରମଦା ଗାଁ’ର ସୁରତ କୁମାର ନାୟକ । ୨୦୦୯ରେ ଆଇଟିଆଇ ଶିକ୍ଷା ପରେ ଚାକିରି ପାଇଁ ଚେଷ୍ଟା କରି ଫେଲ୍ ମାରିଲେ । ତେବେ ସେ ଭାଙ୍ଗିପଡ଼ିନଥିଲେ । ସଫଳ ଚାଷୀଙ୍କ ସମ୍ପର୍କରେ ଶୁଣିଥିଲେ । ଶେଷରେ ଚାଷ କରିବା ପାଇଁ ଗାଁ’କୁ ଆସିଲେ। ନିଜ ଗାଁ’ଠାରୁ କିଛି ଦୂର ନୀଳଗିରି ବ୍ଲକ୍‌ ପୋଡ଼ାଶୂଳ ଅଞ୍ଚଳର ୧୯ ଏକର ଜମି ୧୫ ବର୍ଷ ପାଇଁ ଲିଜ୍‌ରେ ନେଇ ସେଠାରେ ଚାଷ କରିବାକୁ ପ୍ରସ୍ତତ ହେଲେ ।

    ନିଜ ଅଞ୍ଚଳରେ ବେଶ୍ ଡିମାଣ୍ଡ ଥିବା କ୍ୟାପ୍‌ସିକମ୍‌ ଚାଷ କରିବାକୁ ନିଷ୍ପତ୍ତି ନେଲେ । ସେ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ପ୍ରଥମେ ୫ ଏକର ଜମିରେ କ୍ୟାପ୍‌ସିକମ୍‌ ଚାଷ କଲେ । ଭଲ ଦି’ ପଇସା ରୋଜଗାର ବି କଲେ ପ୍ରତିଦିନ ୨ରୁ ୩ କ୍ୱିଣ୍ଟାଲ୍‌ କ୍ୟାପ୍‌ସିକମ୍‌ ଅମଳ ହେଲା । ବର୍ଷା ଋତୁରେ ୫ରୁ ୬ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଅମଳ ହୋଇଥାଏ ଯାହା ବାଲେଶ୍ବର,ମୟୂରଭଞ୍ଜ ଓ ଭଦ୍ରକ ବଜାରକୁ ବିକ୍ରି କରାଯାଏ । କ୍ୟାପ୍‌ସିକମ୍‌ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୁରତଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ଛୁଇଁଯାଏ । କ୍ୟାପ୍‌ସିକମ୍‌ ସହ ପିଜୁଳି ଓ ପନିପରିବା ଚାଷ କରି ମଧ୍ୟ ସଫଳ ହୋଇଛନ୍ତି । ସୁରତ ଆତ୍ମନିର୍ଭରଶୀଳ ହେବା ସହ ୪୦ରୁ ୫୦ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।

    ଏବେ ସୁରତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତା‌ଙ୍କ ପରିଶ୍ରମ ଦେଖି ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି । ଯେଉଁମାନେ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ନିରାଶ ହେଉଥିଲେ ଏବେ ସେମାନଙ୍କୁ ରୋଜଗାର ଦିଗ ଦେଖାଇଛନ୍ତି ସୁରତ ।