ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

ଗଞ୍ଜାମ ପାଇଁ ଗର୍ବ । ଜିଲ୍ଲା ପ୍ରଶାସନ ବି ଖୁସ୍ । କାହିଁକି ନା ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତିଙ୍କ ଠାରୁ ଆୱାର୍ଡ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାହୋଲ ଥିଲା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବ । ଏହି ଅବସରରେ ଗଞ୍ଜାମ ଜିଲ୍ଲାକୁ ୬ଟି ବିଭାଗରେ ପୁରସ୍କୃତ କରାଯାଇଥିଲା । ରାଷ୍ଟ୍ରପତି, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଆୱାର୍ଡ ଗ୍ରହଣ କରି ବେଶ୍ ଖୁସି ଅନୁଭବ କରିଛନ୍ତି ପ୍ରଶାସନିକ ଅଧିକାରୀ ।

ଦେଶରେ ସବୁଠୁ ଭଲ ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରାଯାଇଛି । ବେଷ୍ଟ ବ୍ଲକ୍ ଭାବେ ‘ହିଞ୍ଜିଳିକାଟୁ’କୁ ଆୱାର୍ଡ ମିଳିଛି । ସେହିପରି ହିଞ୍ଜିଳିକାଟୁର କାଞ୍ଚୁରୁ’କୁ ଦେଶର ଭଲ ସ୍ୱାସ୍ଥ୍ୟ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି । ଏଥିସହ ସେହି ବ୍ଲକର ଶାସନ ଆମ୍ବଗାଁ ପଞ୍ଚାୟତକୁ କ୍ଲିନ୍ ଏବଂ ଗ୍ରୀନ୍ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ଭଞ୍ଜନଗର ବ୍ଲକରେ ଥିବା କୁଲଦା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ପୁରସ୍କାର । ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ କ୍ୟାଟେଗୋରୀରେ ଦ୍ୱିତୀୟ ପୁରସ୍କାର ପାଇଛି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ।

ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପୁରସ୍କାର ପାଇଥିବା ପଞ୍ଚାୟତର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *