ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କା, ପୁଣି ୨୪ ଘଣ୍ଟା ବନ୍ଦ

ସମ୍ବଲପୁର ଜିଲ୍ଲା ହନୁମାନ ଜୟନ୍ତୀ ହିଂସାରେ ଗିରଫଦାରୀ ସଂଖ୍ୟା ବଢୁଥିବା ବେଳେ କଟକଣା ଅବଧି ମଧ୍ୟ ବୃଦ୍ଧି ହୋଇଛି । ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧିକୁ ପୁଣି ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି ।

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ପରେ ପୁଣି ଥରେ ଏହାକୁ ବୃଦ୍ଧି କରାଯାଇଛି । ୧୩ ତାରିଖରେ ଆରମ୍ଭ କଟକଣାକୁ ପୁଣି ୧୫ ତାରିଖରେ ବୃଦ୍ଧି କରାଯାଇଥିଲା । ଆଜି ସକାଳ ୧୦ଟାରେ ଅବଧି ସରିବାକୁ ଥିବାବେଳେ ପୁଣି ଥରେ ବଢ଼ିଛି । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କା ରହିଛି । ତେଣୁ ଗୃହ ବିଭାଗ ପୁଣି ଥରେ ଇଣ୍ଟରନେଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ।

ସେପଟେ ସମ୍ବଲପୁରରେ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତିରେ ସୁଧାର ଆସୁଥିବାରୁ ପ୍ରଶାସନ କର୍ଫ୍ୟୁକୁ ପୁଣି କୋହଳ କରିଛି । ସକାଳେ ଏବଂ ଅପରାହ୍ଣରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ୨ ଘଣ୍ଟିଆ କୋହଳ କରାଯାଇଥିଲା । ଏବେ କିନ୍ତୁ ସମୟ ବଢ଼ାଯାଇଛି । ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ଣରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ ରହିବ ବୋଲି ପ୍ରଶାସନ କହିଛି । ଅନ୍ୟପଟେ,ହିଂସା ଘଟଣାରେ ଆଉ ୬ ଜଣ ଗିରଫ ହୋଇଛନ୍ତି । ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *