ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

ଏବେ ସବୁଠି IPL କ୍ରେଜ୍ । ମ୍ୟାଚ୍‌ର ମଜା ନେଉନେଉ ଜଣେ ପୋଲିସ କନଷ୍ଟେବଲ୍‌ ଜିଓ ସିନେମା ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହେଲେ ସେ ଜାଣି ନଥିଲେ ଯେ ତାଙ୍କୁ ଦିନେ ପୁରସ୍କାର ମିଳିବ । ତାହା ପୁଣି ଗୋଟିଏ ଚିକ୍‌ମିକ୍‌ ବୋଲେନୋ କାର୍‌। ପୁରସ୍କାର ପାଇ ସେ ବେଶ୍‌ ଖୁସି ଅଛନ୍ତି । ସେ ଦେଶର ଏକମାତ୍ର ଭାଗ୍ୟବାନ ବ୍ୟକ୍ତି ଯିଏ ଏଭଳି ପୁରସ୍କାର ଜିତିବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ନାଁ ଭୀମସେନ ମହାନ୍ତି । ସେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସାର ବାସିନ୍ଦା ।

ଫଟାଫଟ୍ କ୍ରିକେଟ୍ IPL ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଛି । ମ୍ୟାଚର ସିଧା ପ୍ରସାରଣ ଜିଓ ସିନେମା ଆପ୍‌ ମାଧ୍ୟମରେ ‌ମାଗଣା ଦେଖିପାରୁଛନ୍ତି ଦର୍ଶକ । ତେବେ ମ୍ୟାଚ୍‌ ବେଳେ ଜିଓ କମ୍ପାନି ପକ୍ଷରୁ ଏକ ପ୍ରତିଯୋଗିତା ହେଉଛି । ଦେଶର ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ବୋଲେନୋ କାର୍‌ ରହିଛି । ଗତ ୮ ତାରିଖରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର କନ୍‌ଷ୍ଟେବଲ୍ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତ ମଧ୍ୟ ଖେଳ ଦେଖୁଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରେ ଲଟେରି ହୋଇ ପରଦିନ ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ବୋଲେନୋ କାର୍‌ ଜିତିଥିଲେ ଭୀମସେନ । ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ସେ ବହୁତ ଖୁସି ଅନୁଭବ କରିଥିଲେ । କମ୍ପାନି ପକ୍ଷରୁ ୧୩ ଏପ୍ରିଲ୍ ୨୦୨୩ରେ ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଚିକ୍‌ମିକ୍‌ କରୁଥିବା ଏକ ବୋଲେନୋ କାର୍‌ ପୁରସ୍କାର ସ୍ବରୂପ ତାଙ୍କୁ ଦିଆଯାଇଥିଲା । କିନ୍ତୁ ସେ ପୁରସ୍କାର ଜିତିବା ଲକ୍ଷ୍ୟ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ ବୋଲି କହିଛନ୍ତି ଭୀମସେନ ।

Leave a Reply

Your email address will not be published. Required fields are marked *