Blog

  • ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଅଭାବନୀୟ ଘଟଣା । ଅଷ୍ଟପ୍ରହରୀ ଭୋଜି ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ରାଇସୁଙ୍ଗୁଡ଼ା ନିକଟ ଦାରିଆପୁରରେ ଅଷ୍ଟପ୍ରହରୀ ଦେଖିବାକୁ ଆସିଥିଲେ । ସେଠାରେ ଲୋକମାନେ ପ୍ରସାଦ ସେବନ କରିଥିଲେ । ପ୍ରସାଦ ସେବନ କରିବାର କିଛି ସମୟ ପରେ ଝାଡ଼ା ଓ ବାନ୍ତି ହୋଇଥିଲା । ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇଥିଲେ । ବିଳମ୍ବ ନକରି ଅସୁସ୍ଥଙ୍କୁ ସାଲେପୁର,ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

    ଅଷ୍ଟପ୍ରହରୀ ଭୋଜି ଖାଇ ଅଧିକାଂଶ ଲୋକ ଏବେ ଅସୁସ୍ଥ ହୋଇଥିବା ବେଳେ ମେଡିକାଲ ଟିମ୍ ପକ୍ଷରୁ ଚିକିତ୍ସା ଆରମ୍ଭ ହୋଇଛି । କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ବହୁ ଲୋକେ ଅସୁସ୍ଥ ଥିବାରୁ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ 2ଟି ଟିମ ଗାଁରେ ପହଂଚି ଚିକିତ୍ସା କରିଛନ୍ତି ।

  • ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଥିବା ଜେଲ୍ ଗୁଡ଼ିକରେ ବର୍ତ୍ତମାନ 8,437 ଭାରତୀୟ ବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଗଲ୍ଫ ଦେଶରେ ରହିଛନ୍ତି 4,795 । ସୂତ୍ର ମୁତାବକ ୟୁଏଇରେ 1966 ଭାରତୀୟ ବନ୍ଦୀ ଥିବାବେଳେ ସାଉଦି ଆରବରେ 1362,କତାରରେ 682,କୁଏତରେ 428,ବାହରିନରେ 265,ଓମାନରେ 92 ଜଣ କାରାଦଣ୍ଡ ଭୋଗୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    ଗୁରୁବାର,ରାଜ୍ୟ ସଭାରେ ସାଂସଦ ଜନ ବ୍ରିତ୍ତାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି. ମୁରଲି ଧରନ ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ,ବିଶ୍ୱର ବିଭିନ୍ନ ଜେଲରେ 8,437 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ବିଭିନ୍ନ ଦେଶରେ ପ୍ରଚଳିତ କଠୋର ଗୋପନୀୟ ଆଇନ ପାଇଁ ସେଠାକାର ଅଧିକାରୀ ତଥ୍ୟ ଦେଇ ନଥାନ୍ତି ଯେପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ସହମତି ପ୍ରକାଶ କରି ନଥାନ୍ତି। ଏମିତିକି,କିଛି ଦେଶ ତଥ୍ୟ ପ୍ରଦାନ କରୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନଥାଏ।

    ମନ୍ତ୍ରଣାଳୟ ତଥ୍ୟ ମୁତାବକ,ସାତ ପଡ଼ୋଶୀ ଦେଶର ଜେଲରେ 1,614 ଭାରତୀୟ ବନ୍ଦୀ ରହିଛନ୍ତି। ତନ୍ମଧ୍ୟରୁ ନେପାଳରେ 1,222,ଚୀନରେ 170, ଭୁଟାନରେ 68, ବାଂଲାଦେଶରେ 60, ପାକିସ୍ତାନରେ 51,ଶ୍ରୀଲଙ୍କାରେ 22 ଓ ମିଆଁମାରରେ 22 ଭାରତୀୟ ବନ୍ଦୀ ଅଛନ୍ତି। ସେହିପରି ଆମେରିକା ଜେଲରେ 294 ଓ ବ୍ରିଟେନରେ 237 ଜଣ ରହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ 156 ଇଟାଲୀ ଜେଲରେ ଥିବାବେଳେ 81 ଅଷ୍ଟ୍ରେଲିଆରେ, 23 କାନାଡାରେ, 66 ଜର୍ମାନୀରେ,71 ସିଙ୍ଗାପୁରରେ ଓ ସ୍ପେନରେ 40 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ବନ୍ଦୀଙ୍କୁ ଭାରତ ଫେରାଇ ଆଣିବାକୁ ତଥା ବିଦେଶ ମନ୍ତ୍ରଣାଳୟ 31 ଦେଶ ସହ ଚୁକ୍ତି କରିଛି।

  • ଓଃ କି ରାଗ ! ନାବାଳିକା ଗିଳିଦେଲା ମୋବାଇଲ

    ଓଃ କି ରାଗ ! ନାବାଳିକା ଗିଳିଦେଲା ମୋବାଇଲ

    କଥାରେ ଅଛି କ୍ରୋଧ ବ୍ରହ୍ମ ଚଣ୍ଡାଳ। ମଣିଷ ରାଗିଗଲେ ଏମିତି କିଛି କରି ବସେ ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟକର। କେବେ କେହି ଚିନ୍ତା କରିପାରିବେ ଜଣେ ମୋବାଇଲ ଗିଳି ଦେବ।

    କିନ୍ତୁ ଘର ଲୋକଙ୍କ ଉପରେ ରାଗି ଜଣେ ନାବାଳିକା ଏକ ମୋବାଇଲ ଗିଳି ଦେଇଛି। ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅରରେ । ଭିନ୍ଦ୍ ଜିଲ୍ଲା ଆମୟାନରେ ଜଣେ ନାବାଳିକା ସବୁ ସମୟରେ ମୋବାଇଲ ଧରୁଥିବାରୁ ଘରେ ସମସ୍ତେ ବିରକ୍ତ ହେଉଥିଲେ। ଦିନେ ସେ ମୋବାଇଲରେ ଖେଳୁଥିବାର ଦେଖି ବାପା ବହୁତ ଗାଳି କଲେ। ଏଥିରେ ନାବାଳିକଟି ଏମିତି ରାଗିଗଲା ଯେ ସେ ଧରିଥିବା ମୋବାଇଲ୍‌ ଗିଳିଦେଲା।

    ତେବେ ନାବାଳିକା ଗିଳି ଥିବା ମୋବାଇଲଟି କି-ପ୍ୟାଡ୍‌ ବାଲା ଥିଲା। ମୋବାଇଲ୍‌ ଗିଳିଦେବା ପରେ ଘର ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ଗ୍ୱାଲିଅରରେ ଥିବା
    ଆରୋଗ୍ୟ ହସ୍ପିଟାଲ ରେଫର କରିଥିଲେ। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ନାବାଳିକାଙ୍କ ପେଟରୁ ମୋବାଇଲ୍‌ଟିକୁ ବାହାର କରିବାରେ ସକ୍ଷମ ହୋଇଥିଲେ। ଏବେ ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

  • ଶୋଇଥିଲେ ଶିକ୍ଷକ, ହାଣିଦେଲା ଦୁର୍ବୃତ୍ତ

    ଶୋଇଥିଲେ ଶିକ୍ଷକ, ହାଣିଦେଲା ଦୁର୍ବୃତ୍ତ

    ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । କେହି ଦୁର୍ବୃତ୍ତ ତାଙ୍କୁ ହାଣି ଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡ଼ା ଗାଁରେ ।

    ଗତକାଲି ବିଳମ୍ବିତ ରାତିରେ ଏଭଳି ଆକ୍ରମଣ କରିଛି ଦୁର୍ବୃତ୍ତ । ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ଼ । ସେ ରଗଡ଼ା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି । ସୂଚନା ଅନୁଯାୟୀ ଗତକାଲି ରଗଡ଼ା ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣକ ରାତି ଅଧିକ ହେବାରୁ ସ୍କୁଲରେ ଶୋଇପଡ଼ିଥିଲେ । କେହି ଦୁର୍ବୃତ୍ତ ସ୍କୁଲ କବାଟ ଭାଙ୍ଗି ଧାରୁଆ ଅସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଶିକ୍ଷକଙ୍କ ବାମ ଗୋଡ଼ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

  • ବଡ଼ବିଲରେ ଗୁଳିମାଡ଼, ଖଣି କର୍ମଚାରୀଙ୍କ ମୃତ୍ୟୁ

    ବଡ଼ବିଲରେ ଗୁଳିମାଡ଼, ଖଣି କର୍ମଚାରୀଙ୍କ ମୃତ୍ୟୁ

    କେନ୍ଦୁଝର ବଡ଼ବିଲରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।

    ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର-୧୫ ତଥା ଦାମୁ ହାଟିଂ ନିକଟ ପଡ଼ିଆରେ ଥିବା ଏକ ଇଲେକ୍ଟ୍ରି ଟାୱାର ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ମୃତକଙ୍କ ମୁଣ୍ଡରେ ଅତି ନିକଟରୁ ଗୁଳି କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ମୃତକ ଓଏମଡିସି ଠାକୁରାଣୀ ଖଣିର କର୍ମଚାରୀ ଦୁଃଶାସନ ବାରିକ । ସେ ଦଲକି ବସ୍ତିରେ ରହୁଥିଲେ । ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

    ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଘଟଣାସ୍ଥଳରୁ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି । ଘରୋଇ କଳିରୁ ହାତ୍ୟାକାଣ୍ଡ ଘଟିଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ ତାଙ୍କ ବାପା ଗତକାଲି ଡ୍ୟୁଟି ସାରି ସନ୍ଧ୍ୟାରେ ଘରକୁ ଫେରିନଥିଲେ । ଫୋନ୍ ସୁଇଚ୍ ଅଫ ଆସିଥିଲା । ବଡ଼ବିଲ ଥାନାରେ ଅଭିଯୋଗ ଅଭିଯୋଗ ପରେ ପୋଲିସ ଖୋଜାଖୋଜି କରିଥିଲା । ତେବେ ଆଜି ସକାଳୁ ବଡ଼ବିଲ ପୋଲିସ ଦୁଃଶାସନଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ବାଇକ୍ ପାଇଥିଲା ପୋଲିସ ।

  • ସୁଖୋଇ ଯୁଦ୍ଧ ବିମାନର ମଜା ନେଲେ ରାଷ୍ଟ୍ରପତି

    ସୁଖୋଇ ଯୁଦ୍ଧ ବିମାନର ମଜା ନେଲେ ରାଷ୍ଟ୍ରପତି

    ଚୀନ ଓ ଭାରତ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଆଜି ଫାଇଟର ଜେଟ ସୁଖୋଇର 30ଏମକେଆଇ ଉଡ଼ାଣ ମଜା ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ ଉଡ଼ାଣ ବେଳେ ରାଷ୍ଟ୍ରପତି ଏକ ଆଣ୍ଟି ଗ୍ରାଭିଟି ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

    ଅସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଭରିଥିଲା ବେଳେ ଲାଇନ ଅଫ ଆକ୍ଚୁଆଲ କଣ୍ଟୋଲ ବା ଏଲଏସି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ତଥା ଦେଶର ତିନି ସେନା ମୁଖ୍ୟ ଆସାମ ଗସ୍ତରେ ଅଛନ୍ତି । 30ଏମକେଆଇ ଜେଟ୍ ବିମାନରେ 2ଟି ସିଟ୍ ରହିଛି । ଏହି ବିମାନକୁ ଋଷର ସୁଖୋଇ କମ୍ପାନୀ ସହଯୋଗରେ ଭାରତୀୟ ଏରୋସ୍ପେସ୍ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ବିକଶିତ କରିଛି ।
    ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ,ଏପିଜେ ଅବଦୁଲ କାଲାମ,ରାମନାଥ କୋବିନ୍ଦ ପ୍ରମୁଖ ବାୟୁ ସେନାର ଯୁଦ୍ଧ ବିମାନରେ ସୀମାନ୍ତବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଥିଲେ । 2009ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ଉଡ଼ାଣର ମଜା ନେଇଥିଲେ।

  • ପ୍ରଥମ ବିଜୟ ଆଶାରେ ଦିଲ୍ଲୀ ଓ ମୁମ୍ବାଇ

    ପ୍ରଥମ ବିଜୟ ଆଶାରେ ଦିଲ୍ଲୀ ଓ ମୁମ୍ବାଇ

    ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହାଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଗୌହାଟିରେ ଅପରାହ୍ଣ ୩.୩୦ରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭେଟାଭେଟି ହେବେ ଦୁଇ ଟିମ୍ ।

    ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ କିନ୍ତୁ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଥିଲା । ଆଜି ଦଳ ତୃତୀୟ ମ୍ୟାଚ୍ ଖେଳିବ । ବିସ୍ଫୋରକ ବଟଲର, ହେଟମ୍ୟାର, ବୋଲ୍ଟଙ୍କ ପରି ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ ଅଧିନାକୟ ସଞ୍ଜୁ ସାମସନ୍ । ସେପଟେ, ଦିଲ୍ଲୀ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଖେଳିଥିବା ୨ଟି ଯାକ ମ୍ୟାଚରେ ହାରିଛି ଟିମ୍ । ଆଜି କମବ୍ୟାକ୍ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

    ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇ ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି । ଆଜି ଦଳ ଦ୍ୱିତୀୟ ମ୍ୟାଚରେ ଧୋନି ବାହିନୀକୁ ସାମ୍ନା କରିବ । ଅଧିନାୟକ ରୋହିତ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଜୋଫ୍ରା ଆର୍ଚରଙ୍କ ପରି ଟପ୍ ପ୍ଲେୟାର ଦଳରେ ସାମିଲ ଅଛନ୍ତି । ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ । ସେପଟେ, ଚେନ୍ନାଇ ପ୍ରଥମ ମ୍ୟାଚରେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ୍ କରିଥିଲା । ଆଜି ମଧ୍ୟ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ଲକ୍ଷ୍ୟ ରଖିଛି ।

  • ବୋଲ ମାନୁନି କୋରୋନା, ନେଉଛି ଜୀବନ

    ବୋଲ ମାନୁନି କୋରୋନା, ନେଉଛି ଜୀବନ

    ଦେଶକୁ ଏବେ କୋରୋନା ଟେନସନ । ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୬୦୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ୬୧୫୫ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୧,୧୯୪କୁ ବୃଦ୍ଧି ପାଇଛି । କୋରୋନା ଆକ୍ରାନ୍ତ ସଂଖ୍ୟା ୪,୪୭,୫୧,୨୫୯କୁ ଛୁଇଁଛି । ଗତ କିଛି ଦିନ ହେଲା ଲଗାତର ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ଜୀବନ ନେଇଛି । କୋରୋନା । ଗତକାଲି ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶରେ ଏବେ କୋରୋନା ମୃତ୍ୟୁ ସଂଖ୍ୟା ୫,୩୦,୯୫୪କୁ ବୃଦ୍ଧି ପାଇଛି ।

    କୋରୋନା ମୁକାବିଲା ପାଇଁ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ ତୁରନ୍ତ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ, କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର ।

  • ଝାରସୁଗୁଡ଼ା ପାଇଁ BJD ପ୍ରାର୍ଥୀ ଘୋଷଣା…ଦୀପାଳି’ଙ୍କ ନାଁରେ ମୋହର

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥିନୀ । ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି । ମେ’୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବେ । ଏପ୍ରିଲ ୧୩ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ନାମାଙ୍କନପତ୍ର ଦାଖଲ ଶେଷଦିନ । ମେ’୧୩ରେ ଭୋଟ୍ ଗଣତି ହେବ । ମେ’୧୫ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

  • ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଅଭାବନୀୟ ଘଟଣା । ଅଷ୍ଟପ୍ରହରୀ ଭୋଜି ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ରାଇସୁଙ୍ଗୁଡ଼ା ନିକଟ ଦାରିଆପୁରରେ ଅଷ୍ଟପ୍ରହରୀ ଦେଖିବାକୁ ଆସିଥିଲେ । ସେଠାରେ ଲୋକମାନେ ପ୍ରସାଦ ସେବନ କରିଥିଲେ । ପ୍ରସାଦ ସେବନ କରିବାର କିଛି ସମୟ ପରେ ଝାଡ଼ା ଓ ବାନ୍ତି ହୋଇଥିଲା । ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇଥିଲେ । ବିଳମ୍ବ ନକରି ଅସୁସ୍ଥଙ୍କୁ ସାଲେପୁର,ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

    ଅଷ୍ଟପ୍ରହରୀ ଭୋଜି ଖାଇ ଅଧିକାଂଶ ଲୋକ ଏବେ ଅସୁସ୍ଥ ହୋଇଥିବା ବେଳେ ମେଡିକାଲ ଟିମ୍ ପକ୍ଷରୁ ଚିକିତ୍ସା ଆରମ୍ଭ ହୋଇଛି । କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ବହୁ ଲୋକେ ଅସୁସ୍ଥ ଥିବାରୁ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ 2ଟି ଟିମ ଗାଁରେ ପହଂଚି ଚିକିତ୍ସା କରିଛନ୍ତି ।