ବଡ଼ବିଲରେ ଗୁଳିମାଡ଼, ଖଣି କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର ବଡ଼ବିଲରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।

ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର-୧୫ ତଥା ଦାମୁ ହାଟିଂ ନିକଟ ପଡ଼ିଆରେ ଥିବା ଏକ ଇଲେକ୍ଟ୍ରି ଟାୱାର ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ମୃତକଙ୍କ ମୁଣ୍ଡରେ ଅତି ନିକଟରୁ ଗୁଳି କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ମୃତକ ଓଏମଡିସି ଠାକୁରାଣୀ ଖଣିର କର୍ମଚାରୀ ଦୁଃଶାସନ ବାରିକ । ସେ ଦଲକି ବସ୍ତିରେ ରହୁଥିଲେ । ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଘଟଣାସ୍ଥଳରୁ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି । ଘରୋଇ କଳିରୁ ହାତ୍ୟାକାଣ୍ଡ ଘଟିଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ ତାଙ୍କ ବାପା ଗତକାଲି ଡ୍ୟୁଟି ସାରି ସନ୍ଧ୍ୟାରେ ଘରକୁ ଫେରିନଥିଲେ । ଫୋନ୍ ସୁଇଚ୍ ଅଫ ଆସିଥିଲା । ବଡ଼ବିଲ ଥାନାରେ ଅଭିଯୋଗ ଅଭିଯୋଗ ପରେ ପୋଲିସ ଖୋଜାଖୋଜି କରିଥିଲା । ତେବେ ଆଜି ସକାଳୁ ବଡ଼ବିଲ ପୋଲିସ ଦୁଃଶାସନଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ବାଇକ୍ ପାଇଥିଲା ପୋଲିସ ।

Leave a Reply

Your email address will not be published. Required fields are marked *