ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

ବିଶ୍ୱର ବିଭିନ୍ନ ଦେଶରେ ଥିବା ଜେଲ୍ ଗୁଡ଼ିକରେ ବର୍ତ୍ତମାନ 8,437 ଭାରତୀୟ ବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଗଲ୍ଫ ଦେଶରେ ରହିଛନ୍ତି 4,795 । ସୂତ୍ର ମୁତାବକ ୟୁଏଇରେ 1966 ଭାରତୀୟ ବନ୍ଦୀ ଥିବାବେଳେ ସାଉଦି ଆରବରେ 1362,କତାରରେ 682,କୁଏତରେ 428,ବାହରିନରେ 265,ଓମାନରେ 92 ଜଣ କାରାଦଣ୍ଡ ଭୋଗୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର,ରାଜ୍ୟ ସଭାରେ ସାଂସଦ ଜନ ବ୍ରିତ୍ତାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି. ମୁରଲି ଧରନ ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ,ବିଶ୍ୱର ବିଭିନ୍ନ ଜେଲରେ 8,437 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ବିଭିନ୍ନ ଦେଶରେ ପ୍ରଚଳିତ କଠୋର ଗୋପନୀୟ ଆଇନ ପାଇଁ ସେଠାକାର ଅଧିକାରୀ ତଥ୍ୟ ଦେଇ ନଥାନ୍ତି ଯେପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ସହମତି ପ୍ରକାଶ କରି ନଥାନ୍ତି। ଏମିତିକି,କିଛି ଦେଶ ତଥ୍ୟ ପ୍ରଦାନ କରୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନଥାଏ।

ମନ୍ତ୍ରଣାଳୟ ତଥ୍ୟ ମୁତାବକ,ସାତ ପଡ଼ୋଶୀ ଦେଶର ଜେଲରେ 1,614 ଭାରତୀୟ ବନ୍ଦୀ ରହିଛନ୍ତି। ତନ୍ମଧ୍ୟରୁ ନେପାଳରେ 1,222,ଚୀନରେ 170, ଭୁଟାନରେ 68, ବାଂଲାଦେଶରେ 60, ପାକିସ୍ତାନରେ 51,ଶ୍ରୀଲଙ୍କାରେ 22 ଓ ମିଆଁମାରରେ 22 ଭାରତୀୟ ବନ୍ଦୀ ଅଛନ୍ତି। ସେହିପରି ଆମେରିକା ଜେଲରେ 294 ଓ ବ୍ରିଟେନରେ 237 ଜଣ ରହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ 156 ଇଟାଲୀ ଜେଲରେ ଥିବାବେଳେ 81 ଅଷ୍ଟ୍ରେଲିଆରେ, 23 କାନାଡାରେ, 66 ଜର୍ମାନୀରେ,71 ସିଙ୍ଗାପୁରରେ ଓ ସ୍ପେନରେ 40 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ବନ୍ଦୀଙ୍କୁ ଭାରତ ଫେରାଇ ଆଣିବାକୁ ତଥା ବିଦେଶ ମନ୍ତ୍ରଣାଳୟ 31 ଦେଶ ସହ ଚୁକ୍ତି କରିଛି।

Leave a Reply

Your email address will not be published. Required fields are marked *