Category: ରାଜ୍ୟ ଖବର

  • ଧର୍ମଶାଳାରେ ନିର୍ବାଚନୀ ହିଂସା

    ଧର୍ମଶାଳାରେ ନିର୍ବାଚନୀ ହିଂସା

    ଏକ ତାରିଖରେ ଯାଜପୁରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଧର୍ମଶାଳାରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା। ଯାହାକୁ ନେଇ ଅଶାନ୍ତ ହୋଇଉଠିଛି ଧର୍ମଶାଳା ମାହୋଲ। ଗତକାଲି ଅପରାହ୍ନରେ ବିଜେଡିର ବର୍ତ୍ତମାନର ବିଧାୟକ ତଥା ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ ପ୍ରଚାରରେ ବାହାରିଥିଲେ। ମାଣ୍ଡିଆ ଛକରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ବେହେରା ନିଜ ସ୍କର୍ପିଓ ରାଲି ଉପରେ ଚଢାଇ ଦେଇଥିଲେ। ଏଥିରେ ବହୁ ବାଇକ ଭାଙ୍ଗି ଯାଇଥିବା ବେଳେ ବାଇକ ଚାଳକ ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଦିଲ୍ଲୀପ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ପ୍ରଣବଙ୍କ ସମର୍ଥକମାନେ ସ୍କର୍ପିଓକୁ ବାଡେଇ ଭାଙ୍ଗି ଦେବା ସହ ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ଦିଲୀପଙ୍କ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

    ସେହିପରି ଗତ ରାତିରେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ଆଉ ଏକ ଘଟଣା ଘଟି ଯାଇଛି। ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁକୁ ରାତି ପ୍ରାୟ ୧୨ଟାରେ ବିଜେଡି ଜିଲ୍ଲା ପରିଷଦ ସଭ୍ଯାଙ୍କ ସ୍ବାମୀ ପ୍ରହଲ୍ଲାଦ ଲେଙ୍କା ନିଜ ସହଯୋଗୀଙ୍କ ସହ ଯାଇଥିଲେ। ଗ୍ରାମବାସୀ ଗାଡି ଅଟକାଇ ରାତି ଅଧରେ କାହିଁ ଗାଁକୁ ଆସିଛନ୍ତି ବୋଲି ପଚାରିଥିଲେ। ଟଙ୍କା ବାଣ୍ଟିବାକୁ ପ୍ରହଲ୍ଲାଦଙ୍କ ଅନ୍ଧାରୀ ବିଜେ ବୋଲି ଅଭିଯୋଗ କରି ଦୀର୍ଘ ସମୟ ଧରି ରାସ୍ତା ଉପରେ ଗାଡିକୁ ଘେରିଥିଲେ। ଖବର ପାଇ ପୋଲିସ ପହଞ୍ଚିଥିଲା। ହେଲେ ପୋଲିସ ଲୋକଙ୍କ ଅଭିଯୋଗରେ ପ୍ରହଲ୍ଲାଦଙ୍କ ଗାଡି ଯାଞ୍ଚ କରିବା ବଦଳରେ ସେଠାରୁ ତାଙ୍କୁ ଖସି ଯିବାରେ ସାହାଯ୍ୟ କରିଥିଲା। ଯାହାକୁ ନେଇ ଉତ୍କ୍ଷିପ୍ତ ଲୋକେ ପୋଲିସ ଗାଡି ଭାଙ୍ଗି ଦେଇଥିଲେ। ଏଥିରେ ପୋଲିସ ୪ ଜଣଙ୍କୁ ଉଠାଇନେଇଥିଲା। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

  • ଜଗଦ୍ଦେବଙ୍କୁ ନେଇ ରାଜନୀତି

    ଜଗଦ୍ଦେବଙ୍କୁ ନେଇ ରାଜନୀତି

    ପ୍ରଶାନ୍ତ ଜଗଦେଵଙ୍କୁ ଡରିଗଲେ କି ? ତାଙ୍କ କର୍ମତତ୍ପରତା, ଲୋକପ୍ରିୟତା ରହିଛି। ଯାହାକୁ ଡରିଯାଇଛି ବିଜେଡି। ତାଙ୍କୁ ଫସାଇବାକୁ ଏପରି ଏପରି କରାଯାଇଛି। ଯାହାର ୩ଟି ପ୍ରମାଣ ଅଛି ଆମ ପାଖରେ। ସିସିଟିଭି ଫୁଟେଜରେ ଜଗଦେଵ ଯେ ଇଭିଏମ ଭାଙ୍ଗି ନାହାନ୍ତି ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

    ପ୍ରଶାନ୍ତ ଜଗଦେବଙ୍କୁ ନେଇ ଖୋର୍ଦ୍ଧା ରାଜନୀତି ଉଠୁଛି ପଡୁଛି। ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି ।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଜେପି ଉଠାଇଛି ପ୍ରଶ୍ନ। ଛେଣ୍ଡିପଦା ବିଧାୟକ ସ୍ପଷ୍ଟ ଦିବାଲୋକରେ ବିଶୃଙ୍ଖଳା ଘଟାଇଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି, କିନ୍ତୁ ବିନା ଯାଞ୍ଚରେ, ବିନା ଅନୁମତିରେ ଜଣେ ସାଂସଦଙ୍କ ଗାଡି ଅଟକାଇ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଆଗଲା। ୩ ଦିନ ହେଲା ସେ ଜେଲରେ। ଏସବୁ ପାଇଁ ମୁଖ୍ୟମନ୍ତ୍ରୀ କୋଟେରୀ, ତୃତୀୟ ମହଲା ଏବଂ ତାମିଲ ବାବୁ ଦାୟୀ। ଜଗଦ୍ଦେବଙ୍କୁ ଫସେଇବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

    ସେପଟେ ବିଜେପିକୁ କଡା ଜବାବ ଦେଇଛି ବିଜେଡି । ଆଉ କହିଛି ଗୁଣ୍ଡାର ପ୍ରଶଂସା କରୁଛି ବିଜେପି ଦଳ। ଦଳ ଗୁଣ୍ଡାର ଗୁଣଗାନ କରୁଛି। ଏହା ହେଉଛି ବିଜେପିର ଚରିତ୍ର । ଏଥିସହ ସିଧା ସଳଖ ଅପରାଜିତା ଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର। ଅପରାଜିତାଙ୍କ ପୁରୁଣା ବୟାନକୁ ମନେପକାଇଛନ୍ତି ସସ୍ମିତ ।

    ତେବେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବୋଲଗଡ ବ୍ଲକ କାଉଁରିପାଟଣା ବୁଥରେ ପସି ହଙ୍ଗାମା କରିବା ସହ ଇଭିଏମ ଭାଙ୍ଗିଥିଲେ ବୋଲି ୨୫ ତାରିଖରେ ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ୧୬ ଟି ଦଫା ଲଗାଯାଇ ଜେଲକୁ ପଠାଇ ଦିଆଯାଇଛି। ଯାହାକୁ ବିରୋଧ କରୁଛି ବିଜେପି। ଆଜି ଅପରାଜିତା ଷଡଙ୍ଗୀ ଏକ ସିସିଟିଭି ଫୁଟେଜ ସାର୍ବଜନୀନ କରିବା ପରେ ଜଗଦ୍ଦେବଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। ହେଲେ କିଏ ବିଧାନସଭା ପୋଲିଂ କ୍ୟାବିନେଟ ଭାଙ୍ଗିଲା ତାହା ଜଣାପଡିନାହିଁ।

  • ଭାଷଣ ମଝିରୁ ଉଠି ପଳାଇଲେ ଲୋକେ

    ଭାଷଣ ମଝିରୁ ଉଠି ପଳାଇଲେ ଲୋକେ

    କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପାଟକୁରାରେ ଆସାମ ମୁଖ୍ଯମନ୍ତ୍ରୀଙ୍କୁ ଜନତାଙ୍କ ପ୍ରତ୍ଯାକ୍ଷାନ। ହିମନ୍ତ ବିଶ୍ବଶର୍ମାଙ୍କ ଭାଷଣ ମଝିରୁ ଉଠି ଚାଲିଗଲେ ଲୋକେ। ଖାଲି ହୋଇଗଲା ଚୌକି। ଯାହାକୁ ନେଇ କେନ୍ଦ୍ରାପଡା ବିଜେପି ଏବେ ଚିନ୍ତାରେ। ଆସନ୍ତା ଜୁନ ୧ ତାରିଖରେ କେନ୍ଦ୍ରାପଡାରେ ପଡିବ ଭୋଟ। କେନ୍ଦ୍ରାପଡା ହାତେଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଘନଘନ ଏଠାକୁ ଗସ୍ତ କରୁଛନ୍ତି। ବହୁ କେନ୍ଦ୍ରୀୟ ନେତୃତ୍ବ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ୭ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଗତକାଲି ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କେନ୍ଦ୍ରାପଡାରେ ପ୍ରଚାର ଥିଲା। ହିମନ୍ତଙ୍କ ଭାଷଣ ଶୁଣିବାକୁ ବିଜେପି ଦ୍ବାରା ଆୟୋଜିତ ସଭାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବୈଜୟନ୍ତଙ୍କ ଭାଷଣ ପରେ ହିମନ୍ତ ବିଶ୍ବଶର୍ମାଙ୍କ ଅଭିଭାଷଣ ଆରମ୍ଭ ହୋଇଥିଲା। ୨୫ ବର୍ଷର ସରକାରରେ ରାଜ୍ୟର ଦୁରାବସ୍ଥା, ପାଣ୍ଡିଆନଙ୍କ ଆଧିପତ୍ୟ ଆଦି ବିଷୟରେ ଖୁବ ବର୍ଷିଥିଲେ ହିମନ୍ତ। (ଭିଜୁଆଲ୍) ଯାହାକୁ ପ୍ରାରମ୍ଭିକ ଅବସ୍ଥାରେ ଲୋକେ ଉପଭୋଗ କରିଥିଲେ। କିନ୍ତୁ ଯେତେବେଳେ ବିଶ୍ବଶର୍ମାଙ୍କ ଅଭିଭାଷଣ ପାଣ୍ଡିଆନ ଓ ତାଙ୍କ ପତ୍ନୀ କୈନ୍ଦ୍ରିକ ହେଲା ସେତେବେଳେ ଲୋକେ ଚେୟାର ଛାଡି ପଳାଇଲେ। ମାତ୍ର କିଛି ସମୟ ମଧ୍ୟରେ ସଭାସ୍ଥଳିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। (ଭିଜୁଆଲ୍) କେନ୍ଦ୍ରାପଡା ସମ୍ପୂର୍ଣ୍ଣ ରୂପେ ବିଜେଡି ଗଡ। ଏହା ବ୍ୟତୀତ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ହେଉଛନ୍ତି କେନ୍ଦ୍ରାପଡାର ଝିଅ। ତେଣୁ ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ହିମନ୍ତଙ୍କ ଭାଷଣ ଲୋକଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଥିଲା। ଅନ୍ୟପଟେ ଲୋକଙ୍କ ଦ୍ବାରା ବିଜେପିର ଷ୍ଟାର ପ୍ରଚାରକ ଗ୍ରହଣ ନ ହେବା କେନ୍ଦ୍ରାପଡା ବିଜେପିକୁ ଚିନ୍ତାରେ ପକାଇ ଦେଇଛି। କେନ୍ଦ୍ରାପଡା ଗଡ ହାତେଇବା ବିଜେପି ପାଇଁ ସ୍ବପ୍ନ ହୋଇ ରହିଯିବା ପରି ମନେ ହେଉଛି।

  • ହେଭିୱେଟ୍ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ

    ହେଭିୱେଟ୍ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ

    ତିନି ଦିନ ପରେ ଯାଜପୁରରେ ପଡିବ ଭୋଟ। ଏଥିପାଇଁ ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି। ବରୀ ଆସନ ପାଇଁ ମଧ୍ୟ ହେଉଛି ପ୍ରଚାର। ଚଳିତ ଥର ବରୀରେ ହେବାକୁ ଯାଉଛି ଦମଦାର ଲଢେଇ। ମୈଦାନକୁ ବିଜେଡି ବିଶ୍ବରଞ୍ଜନ ମଲ୍ଲିକଙ୍କୁ ଛାଡିଥିବା ବେଳେ ବିଜେପିରୁ ଉମେଶ ଜେନା ଓ କଂଗ୍ରେସରୁ ଦେବାଶିଷ ନାୟକ ନିର୍ବାଚନୀ ରଣାଙ୍ଗନରେ ନିଜ ଦମ ଦେଖାଇ ଚାଲିଛନ୍ତି। ସମସ୍ତଙ୍କର ରହିଛି ତୃଣମୂଳସ୍ତରରେ ସଂଗଠନ। ଏପରି ସ୍ଥିତିରେ ଲୋକଙ୍କ ମତ କାହା ସପକ୍ଷରେ ଯାଉଛି ତାହା ଆସନ୍ତୁ ଜାଣିବା ବରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର୍ ଗ୍ରାମର ଭୋଟରଠାରୁ ଜନତାଙ୍କ ଦେଲେ ସେମାନଙ୍କ ମତ। ହେଲେ ଏହି ମତ ବାସ୍ତବରେ କେତେଦୂର ଭୋଟରେ ପରିଣତ ହେଉଛି? କାହା ସପକ୍ଷରେ ଯିବ ଜନମତ? କିଏ ଜନତାଙ୍କ ଆସ୍ଥା ଭାଜନ ହେବେ ଓ ବିଜୟ ମୁକୁଟ ପିନ୍ଧିବେ? ତାହା ଦେଖିବାକୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

  • ବିଜେପି ମହିଳାଙ୍କୁ କେବଳ ପ୍ରଚାରରେ ସାମିଲ କରେ: ହରପ୍ରିୟା

    ବିଜେପି ମହିଳାଙ୍କୁ କେବଳ ପ୍ରଚାରରେ ସାମିଲ କରେ: ହରପ୍ରିୟା

    ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲାର ମହିଳା ସଶକ୍ତିକରଣର ପ୍ରତୀକ ତଥା ବିଜେପି ନେତ୍ରୀ ହରପ୍ରିୟା ସାହୁ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର. ହରପ୍ରିୟା ସାହୁଙ୍କ ପରି ଉଚ୍ଚଶିକ୍ଷିତା. ଦକ୍ଷ ନେତ୍ରୀ ବିଜେଡିରେ ସାମିଲ ହେବା ଭଦ୍ରକ ଜିଲ୍ଲାରେ ବିଜେଡିକୁ ସଶକ୍ତ କରିବ. ବିଜେଡିରେ ସାମିଲ ହେବା ପରେ ହରପ୍ରିୟା ମଧ୍ୟ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଣ୍ଡିଆନ, ପ୍ରଣବ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଜେପିରେ କିପରି ମହିଳାଙ୍କୁ ଅସମ୍ମାନ କରାଯାଏ ତାହା ବଖାଣିଛନ୍ତି।

    ଭଦ୍ରକରେ ହରପ୍ରିୟାଙ୍କ ସଂଗଠନ ବେଶ ସୁଦୃଢ ରହିଛି। ତାଙ୍କ ଦ୍ବାରା ଅନେକ ମହିଳା ମଧ୍ୟ ଆତ୍ମନିର୍ଭର ହୋଇପାରିଛନ୍ତି। ତେବେ ବିଜେପି ମହିଳାଙ୍କୁ ଉପଯୁକ୍ତ ସମ୍ମାନ ନ ଦେବାରୁ ଆଜି ସେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ବିଜେଡି ପାଇଁ ଭଦ୍ରକରେ କାମ କରିବେ ବୋଲି ବିଜେଡି ଶିବିର ଆଶା କରୁଚି

  • ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

    ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

    ଦବଙ୍ଗ ନେତା ଗଣେଶ ଜଗଦ୍ଦେବ ଗିରଫ। ବୁଥରେ ଦବଙ୍ଗଗିରି ଗଣେଶଙ୍କୁ ପଡିଲା ମହଙ୍ଗା। ଗତ ମଧ୍ୟରାତ୍ରରେ ଗିରଫ କଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଗଲେ ଜେଲ। ତାଙ୍କ ବିରୋଧରେ ଲାଗିଛି ୧୬ଟି ସଂଗୀନ ଦଫା। ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବା ଗଣେଶ ଜଗଦ୍ଦେବ ଖୋର୍ଦ୍ଧା ବୋଲଗଡ ବ୍ଲକ କାଉଁରିପାଟଣା ବୁଥରେ ପସି ହଙ୍ଗାମା କରିବା ସହ ଇଭିଏମ ଭାଙ୍ଗିଥିଲେ ଯାହାକୁ ନେଇ ପ୍ରିଜାଇଡିଂ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି।

    ତାଙ୍କ ବିରୋଧରେ ୧୬ ଟି ଦଫା ଲଗାଯାଇ ତାଙ୍କୁ ପୋଲିସ ଗିରଫ କରିଥିଲା। ତେବେ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗତକାଲି ପ୍ରାୟ ସାଢେ ତିନିଟାରେ ବୁଥରେ ପସି ଜଗଦ୍ଦେବ ପ୍ରିଜାଇଡିଂ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ସେଠାରେ ଥିବା ଇଭିଏମ ଭାଙ୍ଗି ସେଠାରୁ ଖସି ପଳାଇଥିଲେ। ହେଲେ କିଛି ବାଟରେ ତାଙ୍କୁ କାବୁ କରିନେଇଥିଲା ପୋଲିସ। ପୋଲିସ ତାଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପରେ ଅଟକ ରଖିବାରୁ ଧାରଣାରେ ବସିଥିଲେ ଜଗଦ୍ଦେବ। ସେ କିଛି କରି ନାହାନ୍ତି କହିବା ସହ ପୋଲିସ ଓ ପିର୍ଜାଇଡିଂ ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସିସିଟିଭି ଯାଞ୍ଚ କରିବା ଦାବିରେ ଅଡିବସିଥିଲେ ଜଗଦ୍ଦେବ। ସେପଟେ ସମର୍ଥକମାନେ ଜଗଦ୍ଦେବଙ୍କୁ ମୁକୁଳେଇବା ପାଇଁ ବୋଲଗଡ ଭାଲିଆବାଡି ଗାଁରେ ଘେରାବନ୍ଦୀ କରି ରଖିଥିଲେ। ଏହି ଖବର ପାଇ ଉପଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସମର୍ଥକମାନେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ଏମିତି କି ତାଙ୍କୁ ଠେଲାପେଲା କରିବା ସହ ତାଙ୍କ ସହ ତାଙ୍କ ଉପସ୍ଥିତିରେ ଅସଭ୍ୟ ଭାଷାରେ ଗାଲିମନ୍ଦ କରିଥିଲେ। ତେବେ ବୁଥର ପ୍ରିଜାଇଡିଂ ଅଧିକାରୀ ଏନେଇ ଥାନାରେ ଗୋଟିଏ ଅଭିଯୋଗ କରିବାରୁ ଜଗଦ୍ଦେବଙ୍କୁ ରାତିରେ ଗିରଫ କରିଛି ପୋଲିସ।

  • ରାଜନଗର: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

    ରାଜନଗର: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

    ଅହିରାଜପୁର ଚିଙ୍ଗୁଡ଼ି ଘେରିରେ ମୃତ୍ୟୁ

    ରାଜନଗର ବ୍ଲକ ଅନ୍ତର୍ଗତ କେରୁଆପାଳ ପଞ୍ଚାୟତ ଅହିରାଜପୁର ଗ୍ରାମର ପଞ୍ଚାନନ ଜେନାଙ୍କ ବଡ଼ ପୁଅ ପିଣ୍ଟୁ ଜେନା (୪୨ ) ଗତକାଲି ସଂନ୍ଧ୍ୟା ୭:୩୦ ମିନିଟ ସମୟରେ ଚିଙ୍ଗୁଡ଼ି ଘେରିର ଏ.ଆର ରୋଟର ପାଇପ କାଟୁଥିବା ସମୟରେ ସର୍ଟ ସର୍କିଟରେ ହେତୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

    ଗୁରୁତର ପିଣ୍ଟୁ ଜେନାଙ୍କୁ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ କାଗଜପତ୍ର ପ୍ରସ୍ତୁତ କରିଥିଲେ ।

    ଯେଉଁ ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ଆଘାତ ପାଇ ପିଣ୍ଟୁ ମୃତ୍ୟୁ ବରଣ କରିଛନ୍ତି, ସେହି ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ବିଭାଗୀୟ କର୍ମୀମାନେ ହାତଗୁଞ୍ଜା ନେଇ ବିଦ୍ୟୁତ ଯୋଗାଣ କରିଥିବା ଚର୍ଚ୍ଚା ହେଉଛି । ବିଦ୍ୟୁତ ବିଭାଗର ଅଗୋଚରରେ, ତାଳଚୁଆର ଅନେକ ଚିଙ୍ଗୁଡ଼ିଘେରି ମାଲିକ ବିଭାଗୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଚୋରାରେ ବିଦ୍ୟୁତ ବ୍ୟବହାର କରୁଥିବାରୁ ଏଭଳି ଛୋଟ-ବଡ଼ ଘଟଣା ଘଟୁଛି

    ବ୍ରାହ୍ମଣସାହି ପଞ୍ଚାୟତ ଗାଁ ଦାଣ୍ଡରେ ଅଘଟଣ

    ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ଦୈତାରୀ ଜେନା (୬୬) ନିଜ ଘର ଆଗରେ ବିଦ୍ୟୁତ ତାରକୁ ଲାଗି ରହିଥିବା ଗଛକୁ କାଟିବା ପାଇଁ କୁରୁଣ୍ଟି ବିଦ୍ୟୁତ ସେବା ଶାଖାକୁ କଲ କରି ଜଣେଇଥିଲେ । ସେଠାର କାର୍ଯ୍ୟରତ ଆନନ୍ଦ ସ୍ୱାଇଁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ତାଙ୍କୁ ‘ବିଦ୍ୟୁତ କଟା ଯାଇଛି ତୁମେ ଗଛ କାଟି ପାର’ କହିଥିଲେ । ଦୈତାରୀ ଏକ ଧାରୁଆ ଅସ୍ତ୍ରରେ ଗଛକୁ କାଟୁଥିବା ସମୟରେ ସେହି ଗଛରେ ଲାଗିଥିବା ବିଦ୍ୟୁତ ତାରରେ ତାଙ୍କୁ ଆଘାତ ଲାଗିଥିଲା । ତାଙ୍କ ଛାତି, ଅଣ୍ଟା ଓ ବାମ ଜଙ୍ଘର ଚର୍ମ ବାହାରି ଯାଇଥିବାରୁ ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।

    ଏହି ଘଟଣାପରେ, ଉତକ୍ଷିପ୍ତ ଗ୍ରାମବାସୀ କୁରୁଣ୍ଟି ବିଦ୍ୟୁତ ସେବା ଶାଖାର କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରିବା ପରେ ବିଦ୍ୟୁତ କର୍ମଚାରୀଙ୍କ ସହିତ ବୁଝାମଣା ହୋଇଥିଲା ଅବସ୍ଥା ଶାନ୍ତ ପଡିଥିଲା

    ମନୋଜ କୁମାର ସେଠୀ, ରାଜନଗର, କେନ୍ଦ୍ରାପଡା।

  • ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନୱାଡିକୁ ନେଇ ଅସନ୍ତୋଷ

    ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନୱାଡିକୁ ନେଇ ଅସନ୍ତୋଷ

    ଶିଶୁ ବିକାଶ ଯୋଜନାରେ ସରକାରଙ୍କ ଅଦ୍ଭୂତ ଯୁଗାଡ। ଗୋଟିଏ ସେଣ୍ଟରରେ ଚାଲିଛି ଦୁଇଟି ଅଙ୍ଗନୱାଡି କେନ୍ଦ୍ର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଏକ ବଡ ଗାଁ। ଜନସଂଖ୍ୟା ଦୃଷ୍ଟିରୁ ଗ୍ରାମରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର କାଗଜ କଲମରେ ରହିଛି। କିନ୍ତୁ ଗୃହ ନିର୍ମାଣ କରିବାକୁ ସତେ ଯେମିତି ଭୁଲି ଯାଇଛି ପ୍ରଶାସନ । ତେଣୁ ଅଙ୍ଗନୱାଡି କେନ୍ଦ୍ର (କ) ଓ (ଖ) ଗୋଟିଏ ଜାଗାରେ ଚାଲିଛି।

    ଏହି କେନ୍ଦ୍ର ପାଇଁ ରହିଛି ଗୋଟିଏ ଶ୍ରେଣୀ ଗୃହ ସହ ଗୋଟିଏ ରୋଷେଇ ଘର। ହେଲେ ଉଭୟ ଗୃହ ଆବଶ୍ୟକତାଠୁ ଆକାରରେ ବହୁ ଛୋଟ। ତେଣୁ ଶ୍ରେଣୀ ଗୃହରେ ଖୁନ୍ଦା ଖୁନ୍ଦି ହୋଇ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପାଠ ପଢୁଥିବା ବେଳେ ଷ୍ଟୋର ରୁମ୍ ଅଭାବରୁ ତାକୁ ଷ୍ଟୋର ରୁମ ଭାବେ ବ୍ୟବହାର କରାଯାଉଛି। ଏଥିରୁ ଶ୍ରେଣୀଗୃହର ଅବସ୍ଥା ସହଜରେ ଅନୁମାନ କରାଯାଇପାରିବ। ସ୍ଥାନାଭାବରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅଙ୍ଗନୱାଡିକୁ ପଠାଉ ନାହାନ୍ତି ମଧ୍ୟ। ସେହିପରି ୫ ବାଇ ୫ ର ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉଛି।

    କୋଠରୀଟି ଏତେ ଛୋଟ କି, ପାଚିକା ରୋଷେଇ ଘରେ ଥିଲେ ସହାୟିକା ଦୁଆର ବନ୍ଧରେ ବସି ପରିବାପତ୍ର କଟା ବଟା କରନ୍ତି। ତା ସାଙ୍ଗକୁ କୋଠରୀରେ ନାହିଁ ଝରକା କି ସ୍କାଇ ଲାଇଟ। ପିଲା ବସି ଖାଇବାକୁ ସ୍ଥାନ ନାହିଁ। ସରକାର ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ନାହିଁ ପାଇଖାନାଟିଏ। ନିକଟରେ ଏକ ପୋଖରୀ ରହିଛି। ଯେଉଁଥିପାଇଁ ଛୋଟ ଛୋଟ ପିଲା ଶୌଚ ଆଦି ଯିବା କେନ୍ଦ୍ରର ଦିଦି ଓ ସହାୟିକାଙ୍କ ପାଇଁ ବଡ ଚିନ୍ତା। ତା ଉପରେ ପୁଣି କେନ୍ଦ୍ରଟି ପାଚେରୀ ବିହୀନ ହୋଇଥିବାରୁ ସବୁ ସମୟରେ ପିଲାଙ୍କ ଗତିବିଧି ଉପରେ ନଜର ରଖିବାକୁ ହେଉଛି ଦିଦିଙ୍କୁ

    କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ ସରପଞ୍ଚ ସନ୍ତୋଷ ନାୟକ କୁହନ୍ତି, ସେ କେନ୍ଦ୍ରର ସମସ୍ୟାକୁ ସ୍ବିକାର କରିଥିବା ବେଳେ ଏହି ଅବ୍ୟବସ୍ଥା ଦୂର କରିବାକୁ ପଦକ୍ଷେପ ନେବାକୁ କହିଛନ୍ତି।

    ମହେଶ୍ବରପୁର ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥାକୁ ଦେଖି ଲାଗୁଛି, ସରକାର କେବଳ ବାହାବା ନେବାକୁ ବ୍ୟବସ୍ଥା କରିଦେଇଥିଲେ ମଧ୍ୟ ଏହାର ତଦାରଖ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପ୍ରଶାସନିକ ଅଧିକାରୀ ନିଜର ଦରମା ନେଇ ନିଦାବିଷ୍ଣୁ ସାଜିଛନ୍ତି।

  • ଶ୍ରମିକ ମୃତ୍ୟୁରେ ଉତ୍ତେଜନା, କ୍ଷତି ପୂରଣ ଦାବିରେ ପ୍ଲାଣ୍ଟ ରାସ୍ତା ଅବରୋଧ

    ଶ୍ରମିକ ମୃତ୍ୟୁରେ ଉତ୍ତେଜନା, କ୍ଷତି ପୂରଣ ଦାବିରେ ପ୍ଲାଣ୍ଟ ରାସ୍ତା ଅବରୋଧ

    ନାଲ୍‌କୋ ସ୍ମେଲଟର୍ ପ୍ଲାଣ୍ଟରେ ଦୀର୍ଘ ୧୫ ବର୍ଷ ଧରି ଠିକା ଶ୍ରମିକ ରୂପେ କାର୍ଯ୍ୟ କରୁଥିବା ନାଲକୋ ନିକଟସ୍ଥ ବାଦିବାହାଳ ଗ୍ରାମର ସୁଧୀର କୁମାର ସାହୁଙ୍କର ଆକସ୍ମିକ ମୃତ୍ୟୁ ପରେ ପ୍ଲାଣ୍ଟ ସମ୍ମୁଖରେ ଦେଖାଦେଇଥିଲା ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ। କାନ୍ଦବୋବାଳିରେ ଫାଟିପଡିଥିଲା ସାରା ଅଞ୍ଚଳ। ସୂଚନା ମୁତାବକ, ଶୁକ୍ରବାର ଦିନ ସୁଧୀରଙ୍କର ଫାଷ୍ଟ ସିଫ୍ଟ୍ ଡ୍ୟୁଟି ଥିବାରୁ ଘରୁ ୫.୩୦ ମିନିଟ ସମୟରେ ବାହାରି ଆସିଥିଲେ , ଓ ୬ଟା ପୂର୍ବରୁ କାର୍ଯ୍ୟରେ ଯୋଗଦେଇଥିଲେ। କିନ୍ତୁ ସକାଳ ୭ .୩୦ ମିନିଟ ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ।

    ତେଣୁ ସହକର୍ମଚାରୀ ମାନେ ତାଙ୍କୁ ପ୍ରଥମେ ନାଲକୋ ଚିକିତ୍ସାଳୟକୁ ନେଇ ଥିଲେ। ସେଠାରୁ ଡାକ୍ତର ତାଙ୍କୁ ESCI ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡାକ୍ତର ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ସୁଧୀରଙ୍କ ଏପରି ମୃତ୍ୟୁ ପରେ ପରିବାର ସଦସ୍ୟ ଓ ଗ୍ରାମବାସୀ କମ୍ପାନୀରୁ କ୍ଷତିପୂରଣ ଦାବିକରି ପ୍ଲାଣ୍ଟ ସମ୍ମୁଖ ରାସ୍ତା ଅବରୋଧ କରିବସିଥିଲେ। ପରିବାର ବର୍ଗଙ୍କ କାନ୍ଦ କଟାରେ ସମଗ୍ର ଅଞ୍ଚଳ ଶୋକରେ ଛାୟୀ ଯାଇଥିଲା। ମାଆ ରାସ୍ତାରେ ବିକଳ ହୋଇ ବସି କାନ୍ଦୁଥିବା ବେଳେ ପତ୍ନୀ ପିଲାମାନଙ୍କ ଭବିଷ୍ୟତକୁ ନେଇ ବାଡେଇ ଛାଟି ହେଉଥିବା ଦେଖିବାକୁ ମିଳିଥିଲା।

    ସେପଟେ ମୃତକଙ୍କ ପରିବାରର ଜଣଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦେବା ଏବଂ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି କରିଥିଲେ ଆନ୍ଦୋଳନକାରୀ ଲୋକେ| ତେବେ ନାଲକୋ ଠିକା ଶ୍ରମିକ ମାନଙ୍କ ଅଭିଯୋଗ କି ପୂର୍ବରୁ ଯେଉଁ ଠିକା ଶ୍ରମିକ ମାନେ ମୃତ୍ୟୁ ବରଣ କରିଛନ୍ତି ଓ ନାଲକୋ ତରଫରୁ କ୍ଷତି ପୂରଣ ବାବଦକୁ ଯେଉଁ ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ମିଳୁଛି ତାହା ପୁରଣ ହୋଇପାରୁନାହିଁ । ତେଣୁ ନାଲକୋ କ୍ଷତି ପୂରଣ ରାଶି ତୁରନ୍ତ ଚେକ୍ ଆକାରରେ ପ୍ରଦାନ କରୁ

  • ଶେଷ ପର୍ଯ୍ୟାୟରେ ଗଞ୍ଜାମ ଦଣ୍ଡଯାତ୍ରା

    ଶେଷ ପର୍ଯ୍ୟାୟରେ ଗଞ୍ଜାମ ଦଣ୍ଡଯାତ୍ରା

    ଗଞ୍ଜାମର ଐତିହାସିକ ଦଣ୍ଡନାଚ ଶେଷ ପର୍ଯ୍ୟାୟରେ । ଆଉ ଗୋଟିଏ ଦିନ ପରେ ମେରୁ ଯାତ୍ରା । ମା ଦଣ୍ଡକାଳୀ ଓ ଦେବ ଦେବ ମହାଦେବଙ୍କୁ ନେଇ ମନସ୍କାମନା ଧାରି ୧୩,୧୮,୨୧ ଦିନ ଯାଏଁ ଖାଲି ପାଦରେ ଗାଆଁକୁ ଗାଆଁ ବୁଲୁଛନ୍ତି । ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି ପରିବେଷଣ କରୁଛନ୍ତି । ଏଥି ସହିତ ଶରୀରରେ ହଳଦିଆ ଧୋତି ଧାରଣ କରି ଦିନକୁ ଗୋଟିଏ ଓଳି ଖାଇ ରହୁଛନ୍ତି । ତେବେ ମେରୁ ଯାତ୍ରା ବା ପଣା ସଂକ୍ରାନ୍ତିରେ ଶେଷ ହେବ ଦଣ୍ଡନାଚ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ବ୍ଲକ୍ କଳିଙ୍ଗପଦର ଗ୍ରାମରେ ଅଷ୍ଟଦଣ୍ଡଙ୍କ ମହାମିଳନ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ଏହି ଦଣ୍ଡଯାତ୍ରାରେ । ଅନ୍ୟପଟେ ଗାଆଁ ଯୁବକ ମାନେ ଆନନ୍ଦ ପ୍ରସାଦର ମଧ୍ୟ ବ୍ୟବସ୍ଥା କରିଛନ୍ତି । ମେରୁ ଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତାରାସିଙ୍ଗି ପୋଲିସ୍ ବାଟାଲିୟନ ସହ କାର୍ଯ୍ୟକ୍ରମ ଉପରେ ରଖିଛି କଡ଼ା ନଜର । ଏହି ଅଷ୍ଟସମ୍ଭୁ ମିଳନରେ ଗେରେଡ଼ା, ମଶାବାଡ଼ି, ତାରାସିଙ୍ଗି, ଗୁଣ୍ଡୁରିବାଡି, କଳିଙ୍ଗପଦର, ବନ୍ତା, ତୋଲଡି ଏବଂ ପଟାଙ୍ଗି ଦଣ୍ଡ ଅଂଶ ଗ୍ରହଣ କରିଛନ୍ତି ଚଳିତ ଦଣ୍ଡଯାତ୍ରାରେ ।