ଧର୍ମଶାଳାରେ ନିର୍ବାଚନୀ ହିଂସା

ଏକ ତାରିଖରେ ଯାଜପୁରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଧର୍ମଶାଳାରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା। ଯାହାକୁ ନେଇ ଅଶାନ୍ତ ହୋଇଉଠିଛି ଧର୍ମଶାଳା ମାହୋଲ। ଗତକାଲି ଅପରାହ୍ନରେ ବିଜେଡିର ବର୍ତ୍ତମାନର ବିଧାୟକ ତଥା ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ ପ୍ରଚାରରେ ବାହାରିଥିଲେ। ମାଣ୍ଡିଆ ଛକରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ବେହେରା ନିଜ ସ୍କର୍ପିଓ ରାଲି ଉପରେ ଚଢାଇ ଦେଇଥିଲେ। ଏଥିରେ ବହୁ ବାଇକ ଭାଙ୍ଗି ଯାଇଥିବା ବେଳେ ବାଇକ ଚାଳକ ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଦିଲ୍ଲୀପ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ପ୍ରଣବଙ୍କ ସମର୍ଥକମାନେ ସ୍କର୍ପିଓକୁ ବାଡେଇ ଭାଙ୍ଗି ଦେବା ସହ ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ଦିଲୀପଙ୍କ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେହିପରି ଗତ ରାତିରେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ଆଉ ଏକ ଘଟଣା ଘଟି ଯାଇଛି। ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁକୁ ରାତି ପ୍ରାୟ ୧୨ଟାରେ ବିଜେଡି ଜିଲ୍ଲା ପରିଷଦ ସଭ୍ଯାଙ୍କ ସ୍ବାମୀ ପ୍ରହଲ୍ଲାଦ ଲେଙ୍କା ନିଜ ସହଯୋଗୀଙ୍କ ସହ ଯାଇଥିଲେ। ଗ୍ରାମବାସୀ ଗାଡି ଅଟକାଇ ରାତି ଅଧରେ କାହିଁ ଗାଁକୁ ଆସିଛନ୍ତି ବୋଲି ପଚାରିଥିଲେ। ଟଙ୍କା ବାଣ୍ଟିବାକୁ ପ୍ରହଲ୍ଲାଦଙ୍କ ଅନ୍ଧାରୀ ବିଜେ ବୋଲି ଅଭିଯୋଗ କରି ଦୀର୍ଘ ସମୟ ଧରି ରାସ୍ତା ଉପରେ ଗାଡିକୁ ଘେରିଥିଲେ। ଖବର ପାଇ ପୋଲିସ ପହଞ୍ଚିଥିଲା। ହେଲେ ପୋଲିସ ଲୋକଙ୍କ ଅଭିଯୋଗରେ ପ୍ରହଲ୍ଲାଦଙ୍କ ଗାଡି ଯାଞ୍ଚ କରିବା ବଦଳରେ ସେଠାରୁ ତାଙ୍କୁ ଖସି ଯିବାରେ ସାହାଯ୍ୟ କରିଥିଲା। ଯାହାକୁ ନେଇ ଉତ୍କ୍ଷିପ୍ତ ଲୋକେ ପୋଲିସ ଗାଡି ଭାଙ୍ଗି ଦେଇଥିଲେ। ଏଥିରେ ପୋଲିସ ୪ ଜଣଙ୍କୁ ଉଠାଇନେଇଥିଲା। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *