ଜଗଦ୍ଦେବଙ୍କୁ ନେଇ ରାଜନୀତି

ପ୍ରଶାନ୍ତ ଜଗଦେଵଙ୍କୁ ଡରିଗଲେ କି ? ତାଙ୍କ କର୍ମତତ୍ପରତା, ଲୋକପ୍ରିୟତା ରହିଛି। ଯାହାକୁ ଡରିଯାଇଛି ବିଜେଡି। ତାଙ୍କୁ ଫସାଇବାକୁ ଏପରି ଏପରି କରାଯାଇଛି। ଯାହାର ୩ଟି ପ୍ରମାଣ ଅଛି ଆମ ପାଖରେ। ସିସିଟିଭି ଫୁଟେଜରେ ଜଗଦେଵ ଯେ ଇଭିଏମ ଭାଙ୍ଗି ନାହାନ୍ତି ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ପ୍ରଶାନ୍ତ ଜଗଦେବଙ୍କୁ ନେଇ ଖୋର୍ଦ୍ଧା ରାଜନୀତି ଉଠୁଛି ପଡୁଛି। ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି ।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଜେପି ଉଠାଇଛି ପ୍ରଶ୍ନ। ଛେଣ୍ଡିପଦା ବିଧାୟକ ସ୍ପଷ୍ଟ ଦିବାଲୋକରେ ବିଶୃଙ୍ଖଳା ଘଟାଇଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି, କିନ୍ତୁ ବିନା ଯାଞ୍ଚରେ, ବିନା ଅନୁମତିରେ ଜଣେ ସାଂସଦଙ୍କ ଗାଡି ଅଟକାଇ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଆଗଲା। ୩ ଦିନ ହେଲା ସେ ଜେଲରେ। ଏସବୁ ପାଇଁ ମୁଖ୍ୟମନ୍ତ୍ରୀ କୋଟେରୀ, ତୃତୀୟ ମହଲା ଏବଂ ତାମିଲ ବାବୁ ଦାୟୀ। ଜଗଦ୍ଦେବଙ୍କୁ ଫସେଇବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେପଟେ ବିଜେପିକୁ କଡା ଜବାବ ଦେଇଛି ବିଜେଡି । ଆଉ କହିଛି ଗୁଣ୍ଡାର ପ୍ରଶଂସା କରୁଛି ବିଜେପି ଦଳ। ଦଳ ଗୁଣ୍ଡାର ଗୁଣଗାନ କରୁଛି। ଏହା ହେଉଛି ବିଜେପିର ଚରିତ୍ର । ଏଥିସହ ସିଧା ସଳଖ ଅପରାଜିତା ଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର। ଅପରାଜିତାଙ୍କ ପୁରୁଣା ବୟାନକୁ ମନେପକାଇଛନ୍ତି ସସ୍ମିତ ।

ତେବେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବୋଲଗଡ ବ୍ଲକ କାଉଁରିପାଟଣା ବୁଥରେ ପସି ହଙ୍ଗାମା କରିବା ସହ ଇଭିଏମ ଭାଙ୍ଗିଥିଲେ ବୋଲି ୨୫ ତାରିଖରେ ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ୧୬ ଟି ଦଫା ଲଗାଯାଇ ଜେଲକୁ ପଠାଇ ଦିଆଯାଇଛି। ଯାହାକୁ ବିରୋଧ କରୁଛି ବିଜେପି। ଆଜି ଅପରାଜିତା ଷଡଙ୍ଗୀ ଏକ ସିସିଟିଭି ଫୁଟେଜ ସାର୍ବଜନୀନ କରିବା ପରେ ଜଗଦ୍ଦେବଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। ହେଲେ କିଏ ବିଧାନସଭା ପୋଲିଂ କ୍ୟାବିନେଟ ଭାଙ୍ଗିଲା ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *