ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନୱାଡିକୁ ନେଇ ଅସନ୍ତୋଷ

ଶିଶୁ ବିକାଶ ଯୋଜନାରେ ସରକାରଙ୍କ ଅଦ୍ଭୂତ ଯୁଗାଡ। ଗୋଟିଏ ସେଣ୍ଟରରେ ଚାଲିଛି ଦୁଇଟି ଅଙ୍ଗନୱାଡି କେନ୍ଦ୍ର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଏକ ବଡ ଗାଁ। ଜନସଂଖ୍ୟା ଦୃଷ୍ଟିରୁ ଗ୍ରାମରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର କାଗଜ କଲମରେ ରହିଛି। କିନ୍ତୁ ଗୃହ ନିର୍ମାଣ କରିବାକୁ ସତେ ଯେମିତି ଭୁଲି ଯାଇଛି ପ୍ରଶାସନ । ତେଣୁ ଅଙ୍ଗନୱାଡି କେନ୍ଦ୍ର (କ) ଓ (ଖ) ଗୋଟିଏ ଜାଗାରେ ଚାଲିଛି।

ଏହି କେନ୍ଦ୍ର ପାଇଁ ରହିଛି ଗୋଟିଏ ଶ୍ରେଣୀ ଗୃହ ସହ ଗୋଟିଏ ରୋଷେଇ ଘର। ହେଲେ ଉଭୟ ଗୃହ ଆବଶ୍ୟକତାଠୁ ଆକାରରେ ବହୁ ଛୋଟ। ତେଣୁ ଶ୍ରେଣୀ ଗୃହରେ ଖୁନ୍ଦା ଖୁନ୍ଦି ହୋଇ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପାଠ ପଢୁଥିବା ବେଳେ ଷ୍ଟୋର ରୁମ୍ ଅଭାବରୁ ତାକୁ ଷ୍ଟୋର ରୁମ ଭାବେ ବ୍ୟବହାର କରାଯାଉଛି। ଏଥିରୁ ଶ୍ରେଣୀଗୃହର ଅବସ୍ଥା ସହଜରେ ଅନୁମାନ କରାଯାଇପାରିବ। ସ୍ଥାନାଭାବରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅଙ୍ଗନୱାଡିକୁ ପଠାଉ ନାହାନ୍ତି ମଧ୍ୟ। ସେହିପରି ୫ ବାଇ ୫ ର ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉଛି।

କୋଠରୀଟି ଏତେ ଛୋଟ କି, ପାଚିକା ରୋଷେଇ ଘରେ ଥିଲେ ସହାୟିକା ଦୁଆର ବନ୍ଧରେ ବସି ପରିବାପତ୍ର କଟା ବଟା କରନ୍ତି। ତା ସାଙ୍ଗକୁ କୋଠରୀରେ ନାହିଁ ଝରକା କି ସ୍କାଇ ଲାଇଟ। ପିଲା ବସି ଖାଇବାକୁ ସ୍ଥାନ ନାହିଁ। ସରକାର ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ନାହିଁ ପାଇଖାନାଟିଏ। ନିକଟରେ ଏକ ପୋଖରୀ ରହିଛି। ଯେଉଁଥିପାଇଁ ଛୋଟ ଛୋଟ ପିଲା ଶୌଚ ଆଦି ଯିବା କେନ୍ଦ୍ରର ଦିଦି ଓ ସହାୟିକାଙ୍କ ପାଇଁ ବଡ ଚିନ୍ତା। ତା ଉପରେ ପୁଣି କେନ୍ଦ୍ରଟି ପାଚେରୀ ବିହୀନ ହୋଇଥିବାରୁ ସବୁ ସମୟରେ ପିଲାଙ୍କ ଗତିବିଧି ଉପରେ ନଜର ରଖିବାକୁ ହେଉଛି ଦିଦିଙ୍କୁ

କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ ସରପଞ୍ଚ ସନ୍ତୋଷ ନାୟକ କୁହନ୍ତି, ସେ କେନ୍ଦ୍ରର ସମସ୍ୟାକୁ ସ୍ବିକାର କରିଥିବା ବେଳେ ଏହି ଅବ୍ୟବସ୍ଥା ଦୂର କରିବାକୁ ପଦକ୍ଷେପ ନେବାକୁ କହିଛନ୍ତି।

ମହେଶ୍ବରପୁର ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥାକୁ ଦେଖି ଲାଗୁଛି, ସରକାର କେବଳ ବାହାବା ନେବାକୁ ବ୍ୟବସ୍ଥା କରିଦେଇଥିଲେ ମଧ୍ୟ ଏହାର ତଦାରଖ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପ୍ରଶାସନିକ ଅଧିକାରୀ ନିଜର ଦରମା ନେଇ ନିଦାବିଷ୍ଣୁ ସାଜିଛନ୍ତି।

Leave a Reply

Your email address will not be published. Required fields are marked *