ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଦବଙ୍ଗ ନେତା ଗଣେଶ ଜଗଦ୍ଦେବ ଗିରଫ। ବୁଥରେ ଦବଙ୍ଗଗିରି ଗଣେଶଙ୍କୁ ପଡିଲା ମହଙ୍ଗା। ଗତ ମଧ୍ୟରାତ୍ରରେ ଗିରଫ କଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଗଲେ ଜେଲ। ତାଙ୍କ ବିରୋଧରେ ଲାଗିଛି ୧୬ଟି ସଂଗୀନ ଦଫା। ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବା ଗଣେଶ ଜଗଦ୍ଦେବ ଖୋର୍ଦ୍ଧା ବୋଲଗଡ ବ୍ଲକ କାଉଁରିପାଟଣା ବୁଥରେ ପସି ହଙ୍ଗାମା କରିବା ସହ ଇଭିଏମ ଭାଙ୍ଗିଥିଲେ ଯାହାକୁ ନେଇ ପ୍ରିଜାଇଡିଂ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି।

ତାଙ୍କ ବିରୋଧରେ ୧୬ ଟି ଦଫା ଲଗାଯାଇ ତାଙ୍କୁ ପୋଲିସ ଗିରଫ କରିଥିଲା। ତେବେ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗତକାଲି ପ୍ରାୟ ସାଢେ ତିନିଟାରେ ବୁଥରେ ପସି ଜଗଦ୍ଦେବ ପ୍ରିଜାଇଡିଂ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ସେଠାରେ ଥିବା ଇଭିଏମ ଭାଙ୍ଗି ସେଠାରୁ ଖସି ପଳାଇଥିଲେ। ହେଲେ କିଛି ବାଟରେ ତାଙ୍କୁ କାବୁ କରିନେଇଥିଲା ପୋଲିସ। ପୋଲିସ ତାଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପରେ ଅଟକ ରଖିବାରୁ ଧାରଣାରେ ବସିଥିଲେ ଜଗଦ୍ଦେବ। ସେ କିଛି କରି ନାହାନ୍ତି କହିବା ସହ ପୋଲିସ ଓ ପିର୍ଜାଇଡିଂ ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସିସିଟିଭି ଯାଞ୍ଚ କରିବା ଦାବିରେ ଅଡିବସିଥିଲେ ଜଗଦ୍ଦେବ। ସେପଟେ ସମର୍ଥକମାନେ ଜଗଦ୍ଦେବଙ୍କୁ ମୁକୁଳେଇବା ପାଇଁ ବୋଲଗଡ ଭାଲିଆବାଡି ଗାଁରେ ଘେରାବନ୍ଦୀ କରି ରଖିଥିଲେ। ଏହି ଖବର ପାଇ ଉପଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସମର୍ଥକମାନେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ଏମିତି କି ତାଙ୍କୁ ଠେଲାପେଲା କରିବା ସହ ତାଙ୍କ ସହ ତାଙ୍କ ଉପସ୍ଥିତିରେ ଅସଭ୍ୟ ଭାଷାରେ ଗାଲିମନ୍ଦ କରିଥିଲେ। ତେବେ ବୁଥର ପ୍ରିଜାଇଡିଂ ଅଧିକାରୀ ଏନେଇ ଥାନାରେ ଗୋଟିଏ ଅଭିଯୋଗ କରିବାରୁ ଜଗଦ୍ଦେବଙ୍କୁ ରାତିରେ ଗିରଫ କରିଛି ପୋଲିସ।

Leave a Reply

Your email address will not be published. Required fields are marked *